ଶେଫାଳି ଓ ସ୍ନେହ ଜୁନ୍‌ ମାସର ଶ୍ରେଷ୍ଠ ଖେଳାଳି

ଦୁବାଇ: ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିବା ଦୁଇ ଭାରତୀୟ ଶେଫାଳି ବର୍ମା ଏବଂ ସ୍ନେହ ରାଣା ଆଇସିସି ପକ୍ଷରୁ ପ୍ରଚଳିତ ମାସର ଶ୍ରେଷ୍ଠ ଖେଳାଳି ମନୋନୀତ ହୋଇଛନ୍ତି। ବ୍ୟାଟିଂ ବିସ୍ମୟ ଶେଫାଳି ଓ ଅଲ୍‌ରାଉଣ୍ଡର ସ୍ନେହ ଜୁନ୍‌ ମାସ ପାଇଁ ମହିଳା କ୍ରିକେଟର୍‌ଙ୍କ ବର୍ଗରେ ଏହି ପୁରସ୍କାର ପାଇବେ ବୋଲି ବୁଧବାର ଆଇସିସି ଘୋଷଣା କରିଛି। ଏହି ଦୁଇ ଭାରତୀୟଙ୍କ ବ୍ୟତୀତ ଇଂଲଣ୍ଡର ବାମହାତୀ ସ୍ପିନର ସୋଫି ଏକ୍‌ଲେ‌ଷ୍ଟୋନ୍‌ ମଧ୍ୟ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

୧୭ ବର୍ଷ ବୟସ୍କା ଶେଫାଳି ଚମତ୍କାର ଢଙ୍ଗରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍‌ ପଦାର୍ପଣ କରିଥିଲେ। ସେ ବ୍ରିଷ୍ଟଲ ଟେଷ୍ଟ୍‌ରେ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଏହି ଯୁବା କ୍ରିକେଟର୍‌ ପ୍ରଥମ ଭାରତୀୟ ମହିଳା ଏବଂ ମୋଟ ଉପରେ ଚତୁର୍ଥ ଖେଳାଳି ଭାବେ ପଦାର୍ପଣ ଟେଷ୍ଟ୍‌ରେ ଉଭୟ ପାଳିରେ ଅର୍ଦ୍ଧଶତକ ଜମାଇବାର ଗୌରବ ବହନ କରିଥି‌ଲେ। ସେ ପ୍ରଥମ ପାଳିରେ ୯୬ ଓ ଦ୍ବିତୀୟ ପାଳିରେ ୬୩ ରନ୍‌ କରିଥିଲେ। ତାଙ୍କ ପ୍ରଥମ ପାଳି ସ୍କୋର୍‌ ମଧ୍ୟ ‌କୌଣସି ଭାରତୀୟଙ୍କ ପାଇଁ ପଦାର୍ପଣରେ ସର୍ବୋଚ୍ଚ ଥିଲା। ଶେଫାଳି ମଧ୍ୟ ଇଂଲଣ୍ଡ ବିପକ୍ଷରେ ଦିନିକିଆରେ ୫୯ ହାରରେ ରନ୍‌ ସଂଗ୍ରହ କରିଥିଲେ।

ଅନ୍ୟପକ୍ଷରେ ଅଲ୍‌ରାଉଣ୍ଡର ସ୍ନେହଙ୍କ ଟେଷ୍ଟ ପଦାର୍ପଣ ମଧ୍ୟ ସ୍ମରଣୀୟ ରହିଥିଲା। ବ୍ରିଷ୍ଟଲରେ ୧୫୪ ବଲ୍‌ରୁ ତାଙ୍କ ଅପରାଜିତ ୮୦ ରନ୍‌ ହିଁ ଭାରତକୁ ପରାଜୟରୁ ବଞ୍ଚାଇ ଦେଇଥିଲା। ଏହା ପୂର୍ବରୁ ସେ ବୋଲିଂରେ ୧୩୧ ରନ୍‌ରେ ୪ ୱିକେଟ୍‌ ନେଇଥିଲା ବେଳେ ଦିନିକିଆରେ ୪୩ ରନ୍‌ରେ ଗୋଟିଏ ୱିକେଟ୍‌ ପାଇଥିଲେ। ଅନ୍ୟପକ୍ଷରେ ପୁରୁଷ କ୍ରିକେଟର୍‌ଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ୍‌ ବ୍ୟାଟ୍‌ସମ୍ୟାନ୍‌ ଡେଭନ୍‌ କନ୍‌ୱେ ଏବଂ ଦ୍ରୁତ ବୋଲର କାଇଲ ଜାମିସନ୍‌ଙ୍କ ସହିତ ଦକ୍ଷିଣ ଆଫ୍ରିକା ୱିକେଟ୍‌ରକ୍ଷକ କ୍ବିଣ୍ଟନ ଡି’କକ୍‌ ଜୁନ୍‌ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର