ଟେଲରଙ୍କ ପାଇଁ ଆଧାର ମାଗିଲେ ସେହବାଗ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍‌ ରସ୍‌ ଟେଲରଙ୍କ ପାଇଁ ଆଧାର କାର୍ଡ ମାଗିଲେ ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହବାଗ। ତିନିଟି ଲେଖାଏଁ ଦିନିକିଆ ଏବଂ ଟେ୍ଵଣ୍ଟି ମ୍ୟାଚ୍‌ ଖେଳିବା ଲାଗି ସଂପ୍ରତି ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତରେ ରହିଛି। ଦିନିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଥିଲା ବେଳେ ଟେ୍ଵଣ୍ଟି-୨୦ ଏବେ ୧-୧ ସ୍ଥିତିରେ ରହିଛି। ଶେଷ ମ୍ୟାଚ୍‌ ମଙ୍ଗଳବାର ଥିରୁବନ୍ତପୁରମ୍‌ରେ ଖେଳାଯିବ। ଏହା ପୂର୍ବରୁ ଟେଲର ଏବଂ ସେହବାଗ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଚାଲିଥିବା ବାକ୍‌ଯୁଦ୍ଧ ଆହୁରି ଘନେଇଛି। କିଛି ଦିନ ତଳେ ଟ୍ଵିଟରରେ ଟେଲରଙ୍କୁ ସେହବାଗ ଦର୍ଜି ବୋଲି ଆକ୍ଷେପ କହିଥିଲେ। ଏହାର ଜବାବ ରବିବାର ଟେଲର ଦେଇଥିଲେ। ରାଜକୋଟ ମ୍ୟାଚ୍‌ ପରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ଏକ ବନ୍ଦ ହୋଇଥିବା ଟେଲର୍‌ ଦୋକାନ ଆଗରେ ବସିଥିବାର ଫଟୋ ଛାଡ଼ିଥିଲେ। ଏଥିରେ ହିନ୍ଦିରେ ଲେଖିଥିଲେ ଯେ ରାଜକୋଟ ମ୍ୟାଚ୍‌ ପରେ ଦର୍ଜି (ଟେଲର) ଦୋକାନ ବନ୍ଦ, ଆଗାମୀ ସିଲାଇ ଥିରୁବନ୍ତପୁରମ ହେବ।

ଟେଲର୍‌ଙ୍କ ହିନ୍ଦି ଭାଷାର ନିପୁଣତାକୁ ସେହବାଗ ୟୁଡିଆଇ (ଆଧାର କାର୍ଡ ପ୍ରଦାନ କରିବାର ସର୍ବୋଚ୍ଚ ସଂସ୍ଥା)ର ଧ୍ୟାନ ଆକର୍ଷଣ କରିଥିଲେ। ୟୁଡିଆଇର ଟ୍ଵିଟର ପୃଷ୍ଠାକୁ ଟ୍ୟାଗ୍‌ କରି ସେ ଲେଖିଥିଲେ ଯେ ଏହି ପୁରୁଖା ନ୍ୟୁଜିଲାଣ୍ଡ ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍‌ ହିନ୍ଦି କହିବାରେ ପୂରା ଧୁରନ୍ଦର। ତାଙ୍କୁ ଆଧାର କାର୍ଡ ମିଳିପାରିବ କି? ଏହାର ଜବାବ ବି ତାଙ୍କୁ ତୁରନ୍ତ ମିଳି ଯାଇଥିଲା। ୟୁଡିଆଇ କତୃପକ୍ଷ ନିଜ ମତାମତ ରଖିବାକୁ ଯାଇ ଲେଖିଥିଲେ ଯେ ଭାଷା ପ୍ରତିବନ୍ଧକ ନୁହେଁ, ନାଗରିକତ୍ୱର ସ୍ଥିତି ହିଁ ମୁଖ୍ୟ। ତା’ ସହ ଅଧାର କାର୍ଡ ମିଳିବାର ନିୟମାବଳୀର ଏକ ବିସ୍ତତ ତାଲିକା ମଧ୍ୟ ପଠାଇ ଦେଇଥିଲେ।

ସମ୍ବନ୍ଧିତ ଖବର