ଭୁବନେଶ୍ୱର (ସୁରେଶ ସ୍ୱାଇଁ): ଏକବିଂଶ ଶତାବ୍ଦୀ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ୍ ଶୃଙ୍ଖଳାକୁ ଭାରତୀୟ କ୍ରିକେଟର୍ ନୂଆ ମୋଡ଼ ରୂପେ ବିବେଚନା କରାଯାଏ। ୦-୧ରେ ପଛୁଆ ରହି ୨-୧ରେ ଜିତିଥିଲା ସୌରଭ ଗାଙ୍ଗୁଲିଙ୍କ ଦଳ। ଷ୍ଟିଭ୍ ଓ୍ଵ’ଙ୍କ ଦୁର୍ଦ୍ଧଶ ଦଳ ବିପକ୍ଷ ଏହି ଶୃଙ୍ଖଳା ସଫଳତା ସହ ଯୋଡ଼ି ହୋଇଥିବା ଖେଳାଳିଙ୍କ ମଧ୍ୟରେ ଥିଲେ ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍ ସମୀର ଦୀଘେ। ପଦାର୍ପଣ ଟେଷ୍ଟ୍୍ରେ ସ୍ମରଣୀୟ ପ୍ରଦର୍ଶନ କରିବା ଏବଂ ଶୃଙ୍ଖଳା ବିଜୟ ପାଇବାର ଗୌରବ ମିଳିଥିଲା ସମୀରଙ୍କୁ। ପରବର୍ତୀ ସମୟରେ ଭାରତ ପାଇଁ ୬ ଟେଷ୍ଟ୍ ଓ ୨୩ ଦିନିକିଆ ଅନ୍ତର୍ଜାତୀୟ ଖେଳିଥିଲେ। ରଣଜୀ ପଦାର୍ପଣରେ ଶତକ, ମୁମ୍ବାଇକୁ ରଣଜୀ ବିଜେତା କରାଇଥିବା ଅନ୍ୟତମ ଅଧିନାୟକ ଭାବେ ଏହି ଛୋଟ ଚେହେରାର ଖେଳାଳି ମାତ୍ର ୩୩ ବର୍ଷ ବୟସରେ ଅବସର ନେଇ ପ୍ରଶିକ୍ଷଣକୁ ବୃତ୍ତି କରିଛନ୍ତି। ହଂ କଂ, ତ୍ରିପୁରା, ଇଣ୍ଡିଆ ‘ଏ’, ଇଣ୍ଡିଆ ବ୍ଲୁ, ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବା ପରେ ଏବେ ନିଜ ରଣଜୀ ଦଳ ମୁମ୍ବାଇ ଭାର ସମ୍ଭାଳିଛନ୍ତି। ଓଡ଼ିଶା ବିପକ୍ଷ ରଣଜୀ ମୁକାବିଲାରେ ଚଳିତ ଋତୁର ପ୍ରଥମ ବିଜୟ ପାଇବା ପରେ ସମୀର ଭୁବନେଶ୍ୱର କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ‘ସମ୍ବାଦ’କୁ ପ୍ରଦାନ କରିଥିଲେ ସ୍ୱତନ୍ତ୍ର ସାକ୍ଷାତକର।
ବଦଳିଛି ଓ୍ଵିକେଟରକ୍ଷଣ ଗୁରୁତ୍ୱ
କେବଳ ଭାରତୀୟ କ୍ରିକେଟ୍ ନୁହେଁ ବିଶ୍ୱ କ୍ରିକେଟ୍ରେ ଓ୍ଵିକେଟରକ୍ଷଣର ଗୁରୁତ୍ୱ ବଢ଼ିଛି ଏବଂ ବଦଳିଛି। କ୍ରିକେଟ୍ କ୍ରମେ ଅଲରାଉଣ୍ଡର୍ଙ୍କ ଖେଳ ହୋଇଥିବାରୁ ଓ୍ଵିକେଟରକ୍ଷକଙ୍କ ଦାୟିତ୍ୱ ବଢ଼ିଛି। ଆଗରୁ ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍ ରହୁଥିଲେ ଏବେ ବ୍ୟାଟସମ୍ୟାନ୍ ଓ୍ଵିକେଟ୍ରକ୍ଷକ ଖୋଜା ପଡ଼ୁଛି। ଅଲଗା ଫର୍ମାଟ୍ ପାଇଁ ବି ଅଲଗା ଖେଳାଳି କଥା ଉଠୁଛି। କିନ୍ତୁ ଓ୍ଵିକେଟରକ୍ଷଣ ଏକ ଅତିରିକ୍ତ ଦକ୍ଷତା ହୋଇଥିବାରୁ ଏହାର ଗୁରୁତ୍ୱ ସବୁବେଳେ ଉପଲବ୍ଧ ହେବ। ବିଶେଷ କରି ଟେଷ୍ଟ୍ କ୍ରିକେଟ୍ ହେଉ କି ପ୍ରଥମ ଶ୍ରେଣୀ ମ୍ୟାଚ୍ ଜଣେ ଓ୍ଵିକେଟ୍ରକ୍ଷକକୁ ପ୍ରାୟ ୨ ଦିନ ଓ୍ଵିକେଟ୍ ପଛପଟେ ଲଢ଼ିବା ସହିତ ବ୍ୟାଟିଂରେ ବି ଏକାଗ୍ରତା ଦେବାକୁ ପଡ଼ିଥାଏ।
ପୃଥ୍ଵୀ ରନ୍ ଭୋକିଲା
ରଣଜୀ ଏବଂ ଦଲିପ ଟ୍ରଫି ପଦାର୍ପଣରେ ଶତକ ମାରିବା ସହିତ ଓଡ଼ିଶା ବିପକ୍ଷରେ ମଧ୍ୟ ଆକର୍ଷଣୀୟ (୧୦୫, ୪୬) ଖେଳି ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି ମୁମ୍ବାଇର ବିସ୍ମୟ କିଶୋର ପୃଥ୍ଵୀ ସ’ (୧୭ ବର୍ଷ)। ପୃଥ୍ଵୀଙ୍କୁ ଢ଼େର ପ୍ରଶଂସା କରିଥିଲେ ଦୀଘେ। କହିଥିଲେ ପୃଥ୍ଵୀ ବଡ଼ ରନ୍ ଭୋକିଲା। ଏହି ଭୋକ ରହିବା ଆବଶ୍ୟକ। ଭବିଷ୍ୟତ ନିଶ୍ଚିତ ଉଜ୍ୱଳ। କିନ୍ତୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିବାର ଆବଶ୍ୟକତା ନାହିଁ।
ଓଡ଼ିଶା ସମ୍ପର୍କ
ଅଷ୍ଟ୍ରେଲିଆ ବିପକ୍ଷ ପଦାର୍ପଣ ମ୍ୟାଚ୍ରେ ଭଲ ଅବଦାନ ରଖିବା ଏବଂ ଶୃଙ୍ଖଳା ବିଜୟୀ ଦଳର ଅଂଶ ବିଶେଷ ରହିଥିବାରୁ ମୁଁ ବଡ଼ ଭାଗ୍ୟବାନ। ଏହି ଶୃଙ୍ଖଳାରେ ଶିବସୁନ୍ଦର ଦାସ ବି ଥିଲେ। ସେ ମୋର ଜଣେ ଭଲ ବଂଧୁ ଏବଂ ଶ୍ରୀଲଙ୍କା ଗସ୍ତରେ ଶିବସୁନ୍ଦର ମୋ ରୁମ୍ ମେଟ୍ ଥିଲେ। ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍ ଏବଂ ଫୋକସ୍ କ୍ରିକେଟ୍ର ଭାବେ ଜଣାଶୁଣା। ତାଙ୍କ ସହିତ ମୋର ବହୁ ସ୍ମରଣୀୟ ମୁହୂର୍ତ ରହିଛି। ଅଷ୍ଟ୍ରେଲିଆ ଶୃଙ୍ଖଳାର ସଫଳତାରେ ଯେଉଁ ଖେଳାଳିଙ୍କ ସହିତ ଯୋଡ଼ି ହୋଇଥିଲୁ ସେମାନଙ୍କୁ ତାଙ୍କ ରାଜ୍ୟରେ ଭେଟିବା ନିଶ୍ଚିତ ନିଆରା ଅନୁଭବ। ସୂଚନାଯୋଗ୍ୟ, ୨୦୦୧ ମସିହାରେ ଚେନ୍ନାଇରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ନିର୍ଣ୍ଣାୟକ ଟେଷ୍ଟ୍ରେ ଶିବସୁନ୍ଦର ୮୪ ରନ୍ର ଭଲ ପାଳି ଖେଳିଥିବାବେଳେ ଦୀଘେ ଭାରତର ରୋମାଞ୍ଚକ ୨ ଓ୍ଵିକେଟ୍ ବିଜୟରେ ୨୨* ରନ୍ର ବହୁମୂଲ୍ୟ ଯୋଗଦାନ ରଖିଥିଲେ।
ହରାରେରେ ଦେବାଙ୍କ ସ୍ମୃତି
କେବଳ ଶିବସୁନ୍ଦର ଦାସ ନୁହଁନ୍ତ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତିଙ୍କ ସହିତ ମଧ୍ୟ ମୋର ରହିଛି ଘନିଷ୍ଠ ସମ୍ପର୍କ। ତାଙ୍କ ସହିତ ହରାରେ ସ୍ମୃତିକୁ ମୁଁ କେବେ ବି ଭୁଲି ପାରିବି ନାହିଁ। ଏହା ମୋ ଅନ୍ତର୍ଜାତୀୟ ଖେଳ ଜୀବନର ସବୁଠାରୁ ଶ୍ରେଷ୍ଠ ପାଳି ଓ ସ୍ମରଣୀୟ ଅବଦାନ ଥିଲା। କିନ୍ତୁ ଦେବାଶିଷ ମହାନ୍ତିଙ୍କ ଅବଦାନ ସତ୍ତ୍ୱେ ଆମେ ମ୍ୟାଚ୍ ଜିତି ନପାରିବାର ଦୁଃଖ ରହିଯାଇଥିଲା। କୋକାକୋଲା କପ୍ ତ୍ରିରାଷ୍ଟ୍ରୀୟ ଫାଇନାଲ୍ରେ େଓ୍ଵଷ୍ଟଇଣ୍ଡିଜ୍ର ୨୯୦ ରନ୍କୁ ପିଚ୍ଛା କରି ଭାରତ ୨୦୯ ରନ୍ରେ ୮ ଓ୍ଵିକେଟ୍ ହରାଇଥିଲା। କିନ୍ତୁ ଦେବାଶିଷ (୧୮*, ୨୦ ବଲ୍)ଙ୍କୁ ସାଥୀ କରି ଦୀଘେ (୯୪*, ୯୬ ବଲ୍) ବିଜୟ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଭାରତ ୧୬ ରନ୍ ପଛରେ ପଡ଼ିଯାଇଥିଲେ। ଦୀଘେଙ୍କ ଏହି ପାଳି ତାଙ୍କ ଅନ୍ତର୍ଜାତୀୟ ଖେଳ ଜୀବନର ଏକମାତ୍ର ଅର୍ଧଶତକ ହୋଇରହିଛି।
ଦେବା ଓ ଶିବାଙ୍କ ସ୍ମୃତି ଅଭୁଲା: ଦୀଘେ
/sambad/media/post_attachments/wp-content/uploads/2017/11/stadium.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)