ଭୋପାଳ : ଉଦୀୟମାନ ଭାରତୀୟ ସୁଟର ସିଫ୍ଟ କୌର ସାମ୍ରା ଏଠାରେ ଚାଲିଥିବା ସୁଟିଂ ବିଶ୍ବକପ୍ରେ କାଂସ୍ୟ ପଦକ ଜିତିନେଇଛନ୍ତି। ୫୦ ମିଟର ରାଇଫଲ ଥ୍ରି ପୋଜିସନର ରବିବାର ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ମୁକାବିଲାରେ ଭାରତର ଜାତୀୟ ବିଜୟିନୀ ସିଫ୍ଟ ରୢାଙ୍କିଙ୍ଗ୍ ରାଉଣ୍ଡରେ ମୋଟ ୪୦୩.୯ ପଏଣ୍ଟ୍ ହାସଲ କରିଥିଲେ। ହେଲେ କ୍ବାଲିଫିକେସନ ରାଉଣ୍ଡ ଶେଷରେ ତାଙ୍କ ସ୍କୋର୍ ୫୮୮ ଥିଲା। ଏହା ହିଁ ତାଙ୍କୁ ଦ୍ବିତୀୟ ଶ୍ରେଷ୍ଠ ହେବାରେ ସହାୟକ ହୋଇଥିଲା। ସେ ତୃତୀୟ ସ୍ଥାନରେ ରହି ଏହି ପଦକ କରାୟତ କରିଛନ୍ତି। ଏହା ମଧ୍ୟ ବରିଷ୍ଠ ସ୍ତରରେ ସିଫ୍ଟଙ୍କର ବ୍ୟକ୍ତିଗତ ଦ୍ବିତୀୟ ଆନ୍ତର୍ଜାତିକ ଏବଂ ପ୍ରଥମ ବିଶ୍ବକପ୍ ପଦକ।
ଏହି ଇଭେଣ୍ଟରେ ଚୀନ୍ର ଝାଙ୍ଗ୍ କ୍ବିଙ୍ଗ୍ୟୁଇ ୧୬-୮ରେ ଚେକ୍ ପ୍ରତିଦ୍ବନ୍ଦ୍ବୀ ଆନେଟା ବ୍ରାବ୍କୋଭାଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଥିଲେ। ସିଫ୍ଟ କାଂସ୍ୟ ଜିତିଥିଲା ବେଳେ ସମସ୍ତଙ୍କ ନଜର ରହିଥିବା ଅନ୍ୟତମ ଭାରତୀୟ ତଥା ବିଶ୍ବ ଚାମ୍ପିଅନ୍ସିପ୍ ରୌପ୍ୟ ବିଜୟିନୀ ଅଞ୍ଜୁମ ମୁଦ୍ଗିଲ୍ ନିରାଶ କରିଥିଲେ। ସେ ୫୮୩ ସ୍କୋର୍ ସହ ତ୍ରୟୋଦଶ ସ୍ଥାନରେ ଅଭିଯାନ ଶେଷ କରିଥିଲା ବେଳେ ମାନିନି କୌଶିକ ନବମରେ ରହିଥିଲେ। ଅନ୍ୟପକ୍ଷରେ ଏହି ବିଶ୍ବକପ୍ରେ କେବଳ ରୢାଙ୍କିଙ୍ଗ୍ ପଏଣ୍ଟ ପାଇଁ ଖେଳିଥିବା ଅନ୍ୟତମ ଦୁଇ ଭାରତୀୟ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ଏବଂ ଆଶି ଚୌକ୍ସେ ଯଥାକ୍ରମେ ୫୮୨ ଓ ୫୮୧ ପଏଣ୍ଟ ହାସଲ କରିଥିଲେ। ତଥାପି ରବିବାର ସିଫ୍ଟ କୌରଙ୍କ କାଂସ୍ୟ ସହିତ ଭାରତ ଏହି ବିଶ୍ବକପ୍ରେ ମୋଟ ୭ (୧ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୫ କାଂସ୍ୟ) ପଦକ ପାଇ ଚୀନ୍ ପଛକୁ ତାଲିକାର ଦ୍ବିତୀୟରେ ସ୍ଥାନରେ ଅଭିଯାନ ଶେଷ କରିଛି। ଚୀନ୍ ସର୍ବାଧିକ ୧୨ (୮ ସ୍ବର୍ଣ୍ଣ, ୨ ରୌପ୍ୟ, ୨ କାଂସ୍ୟ) ପଦକ ସହ ପ୍ରଥମ ସ୍ଥାନ ପାଇଥିଲା ବେଳେ ଜର୍ମାନି ୩ (୧ ସ୍ବର୍ଣ୍ଣ, ୧ ରୌପ୍ୟ, ୧ କାଂସ୍ୟ) ପଦକ ପାଇ ତୃତୀୟ ସ୍ଥାନରେ ରହିଛି।