ଦକ୍ଷିଣ ଆଫ୍ରିକା ଯାଇ ନପାରି ଦୁବାଇରୁ ଫେରିଲେ ପତ୍ନୀ-ସନ୍ତାନ, ଟୁଇଟରରେ ଜଣାଇଲେ ଶିଖର ଧାଓ୍ଵନ

ନୂଆଦିଲ୍ଲୀ: ଦୁବାଇ ବିମାନ ବନ୍ଦରରେ ଏକ ବିରଳ ଘଟଣା ଦେଖିବାକୁ ମିଳଛି। ଭାରତୀୟ ଓପନର ଶିଖର ଧାଓ୍ଵନଙ୍କ ପତ୍ନୀ ଓ ତାଙ୍କର ସନ୍ତାନଙ୍କୁ ଦକ୍ଷିଣ ଆଫ୍ରିକା ଯିବାକୁ ଅନୁମତି ମିଳି ନାହିଁ। କେପ୍‌ଟାଉନରେ ୨୦୧୮ ଜାନୁଆରି ୫ରୁ ଆରମ୍ଭ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଉପସ୍ଥିତ ହେବାକୁ ଚାହୁଁଥିବା ଶିଖରଙ୍କ ପତ୍ନୀଙ୍କୁ ଦୁବାଇ ବିମାନ ବନ୍ଦରରୁ ଫେରାଇ ଦିଆଯାଇଛି। ଦକ୍ଷିଣ ଆଫ୍ରିକାରେ ପରିବାର ଅନୁପସ୍ଥିତ ରହିବା ନେଇ ଅନ୍ୟମନସ୍କ ଶିଖର ଘଟଣା ସମ୍ପର୍କରେ ଟୁଇଟର ଜରିଆରେ ଜଣାଇଛନ୍ତି।

ଦୁବାଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଶିଖର ଧାଓ୍ଵନଙ୍କ ପତ୍ନୀ ଆୟସା ଓ ସନ୍ତାନଙ୍କୁ ଜନ୍ମ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଦେଖାଇବାକୁ କୁହାଯାଇଥିଲା। ପ୍ରମାଣପତ୍ର ଦେଖାଇ ନପାରିବାରୁ ସେମାନଙ୍କୁ ଦକ୍ଷିଣ ଆଫ୍ରିକା ଯିବାକୁ ଦିଆଗଲା ନାହିଁ। ଇମିରେଟସ୍‌ ଏୟାରଲାଇନ୍‌ର ବ୍ୟବହାରରେ କ୍ଷୁବ୍ଧ ହୋଇ ଧାଓ୍ଵନ କଲ କରିଥିଲେ, ଯାହାକି ସେ ପରେ ଟୁଇଟରରେ ସେୟାରେ କରିଛନ୍ତି।

ଶିଖର ଧାଓ୍ଵନ ଘଟଣାକୁ ଟୁଇଟରରେ ପୋଷ୍ଟ କରି ଲେଖିଛନ୍ତି, ମୁଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବେଳେ ମୋର ପରିବାର ଓ ସନ୍ତାନଙ୍କୁ ଦୁବାଇରୁ ଦକ୍ଷିଣ ଆଫ୍ରିକା ଯିବାକୁ ଦିଆଯାଇ ନାହିଁ। ନିଶ୍ଚିତ ଭାବରେ ଇମିରେଟସ୍‌ର ବ୍ୟବହାରଗତ ନୁହେଁ। ସେମାନଙ୍କ ଜନ୍ମ ଓ ଅନ୍ୟ ପ୍ରମାଣପତ୍ର ଦେଖାଇବାକୁ କୁହାଯାଇଥିଲା।

 

ସେମାନଙ୍କୁ ଦୁବାଇ ବିମାନ ବନ୍ଦରରେ ଅଟକ ରଖାଯାଇଛି। ମୁମ୍ବାଇରୁ ଆମେ ଯେତେବେଳେ ବାହାରିଲୁ ଦୁବାଇ ଏୟାରପୋର୍ଟ କାହିଁକି ପୂର୍ବରୁ ନୋଟିସ୍‌ କରି ନଥିଲା ବୋଲି ଶିଖର ଅନ୍ୟ ଏକ ଟୁଇଟରରେ କହିଛନ୍ତି। ଭାରତୀୟ ଗୁରୁବାର ରାତିରେ କେପଟାଉନ୍‌ର ଏକ ହୋଟେଲରେ ପହଞ୍ଚିଛି। ନବ ବିବାହିତ ଦମ୍ପତ୍ତି ବିରାଟ କୋହଲି-ଅନୁଷ୍କା ଶର୍ମା ମଧ୍ୟ ହୋଟେଲରେ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ ଭାରତ ଜାନୁଆରି ୫ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ୬ଟି ଦିନିକିଆ ମ୍ୟାଚ ପରେ ୩ଟି ଟି-୨୦ ମ୍ୟାଚ ଖେଳିବ। ଟିମ୍‌ ଇଣ୍ଡିଆ ଏଥି ପାଇଁ ୫୬ ଦିନିଆ ଗସ୍ତ କରିଛି।

ସମ୍ବନ୍ଧିତ ଖବର