ଜିବ୍ରାଲେଟର୍‌ ଚେସ୍‌ରେ ଚମକ

ଦେବାଶିଷ* ବନାମ ୯ ଜିଏମ୍‌

ଭୁବନେଶ୍ୱର: ଇଂଲଣ୍ଡରେ ଗୁୁରୁବାର ଶେଷ ହୋଇଥିବା ଟ୍ରେଡ୍‌ଓ୍ଵାଇଜ୍‌ ଜିବ୍ରାଲେଟର୍‌ ଚେସ୍‌ ମହୋତ୍ସବରେ ଓଡ଼ିଆ ପୁଅ ଦେବାଶିଷ ଦାସଙ୍କ ଚମକ ନଜରକୁ ଆସିଛି। ୧୦ ରାଉଣ୍ଡ୍‌ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଦେବାଶିଷ ୯ ଜଣ ଗ୍ରାଣ୍ଡମାଷ୍ଟରଙ୍କୁ ଭେଟି ଅପରାଜିତ ରହିବା ଉଲ୍ଲେଖନୀୟ। ୮୧ତମ ମାନ୍ୟତା ଭାବେ ଅଭିଯାନ ଆରମ୍ଭ କରିଥିବା ରାଜ୍ୟର ଏହି ଏକମାତ୍ର ଗ୍ରାଣ୍ଡମାଷ୍ଟର୍‌ ପ୍ରଥମ ୨ ଏବଂ ଶେଷ ୨ ରାଉଣ୍ଡ୍‌ ଲେଖାଏଁ ଜିତିଥିବାବେଳେ ମଝିରେ ୭ ଜଣ ଗ୍ରାଣ୍ଡମାଷ୍ଟରଙ୍କ ସହ ପଏଣ୍ଟ ଭାଗ କରିଥିଲେ। ୩ ଜଣ ଜିଏମ୍‌ଙ୍କୁ ହରାଇଥିଲେ। ଫଳରେ ୭ ପଏଣ୍ଟ୍‌ରେ ଅଭିଯାନ ଶେଷ କରି ଶୀର୍ଷ ୧୦ ଭିତରେ ରହିଥିଲେ। ପେରୁର ଭିଲାର ରେମୁଣ୍ଡୋ ଜୁଆନ୍‌ ଆଣ୍ଟୋନିଓ ଏବଂ ଚେକ୍‌ ରିପବ୍ଲିକ୍‌ ଜିଏମ୍‌ ନାଭାରା ଡେଭିଡ୍‌ (୨୭୪୯)ଙ୍କୁ ହରାଇ ଅଭିଯାନ ଆରମ୍ଭ କରିଥିଲେ। ଏହା ପରେ ହଙ୍ଗେରି ଗ୍ରାଣ୍ଡମାଷ୍ଟର୍‌ ପାପ୍‌ ଗବର୍‌ (୨୬୦୭), ଇଟାଲି ଜିଏମ୍‌ ଭୋକାତୁରୋ ଡାନିଏଲ୍‌ (୨୬୦୯), ସ୍ୱୀଡେନ୍‌ ଜିଏମ୍‌ ଗ୍ରାଣ୍ଡଲିୟସ ନିଲ୍‌ସ (୨୬୪୭), ଆମେରିକାର ଗ୍ରାଣ୍ଡମାଷ୍ଟର୍‌ ଆକୋବିଏନ୍‌ ଭାଜୁହା (୨୬୪୭), ଜର୍ମାନିର ଗ୍ରାଣ୍ଡମାଷ୍ଟର୍‌ ଯୋଡ଼ି ରସମସ୍‌ ସ୍ୱାନ୍‌ (୨୫୯୫), ରେନର୍‌ ବୁମାନ୍‌ (୨୫୮୭)ଙ୍କୁ ରୋକିବା ପରେ ଶେଷ ୨ ରାଉଣ୍ଡ୍‌ରେ ଭେନେଜୁଏଲାର ଗ୍ରାଣ୍ଡମାଷ୍ଟର ଏଡୁଆର୍ଡୋ ଇଟୁରିଜାଗୋ ବୋନେଲି (୨୬୫୦) ଏବଂ ଭାରତୀୟ ଗ୍ରାଣ୍ଡମାଷ୍ଟର୍‌ ସନ୍ଦୀପନ ଚନ୍ଦା (୨୫୭୯)ଙ୍କୁ ପରାସ୍ତ କରି ଚମତ୍କାର ଭାବେ ଅଭିଯାନ ଶେଷ କରିଥିଲେ। ସବୁଠାରୁ ଉଲ୍ଲେଖନୀୟ ହେଉଛି ପ୍ରଥମ ରାଉଣ୍ଡକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପ୍ରତିଯୋଗୀ ଗ୍ରାଣ୍ଡମାଷ୍ଟର୍‌ ଏବଂ ଦେବାଶିଷଙ୍କଠାରୁ ଉଚ୍ଚମାନ୍ୟତାପ୍ରାପ୍ତ ଖେଳାଳି। ସେହି ଦୃଷ୍ଟିରୁ ଦେବାଶିଷ (୨୫୦୧)ଙ୍କ ଅନ୍ତର୍ଜତୀୟ ରେଟିଂ ୩୧ ପଏଣ୍ଟ୍‌ରୁ ଊର୍ଧ୍ୱ ଫାଇଦା ହେବା ସହିତ ରେଟିଂ ପରଫର୍ମାନ୍‌ସ ୨୭୨୮ରେ ପହଞ୍ଚି ପାରିଥିଲା।

ସମ୍ବନ୍ଧିତ ଖବର