ଶିବସୁନ୍ଦର ଜାତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟିଂ ପ୍ରଶିକ୍ଷକ

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌କୁ ସୋମବାର ମିଳିଛି ବଡ଼ ଖୁସି ଖବର। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତିଙ୍କ ପରେ ଶିବସୁନ୍ଦର ଦାସଙ୍କୁ ଜାତୀୟ କ୍ରିକେଟ୍ ଦୃଶ୍ୟପଟ୍ଟରେ ମହତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି। ଦେବାଶିଷ ସଂପ୍ରତି ଭାରତୀୟ ପୁରୁଷ ଦଳର ଚୟନକର୍ତ୍ତା ଥିଲା ବେଳେ ରାଜ୍ୟ ରଣଜୀ ଦଳର ପୂର୍ବତନ ଅଧିନାୟକ, ପ୍ରଶିକ୍ଷକ ତଥା ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିବସୁନ୍ଦର ଜାତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଶିବସୁନ୍ଦର ପୂର୍ବରୁ ଗତବର୍ଷ ପାଟନାଠାରେ ଖେଳା ଯାଇଥିବା ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାରତୀୟ ମହିଳା ଏ’ ଦଳର ପ୍ରଶିକ୍ଷକ ମଣ୍ଡଳିରେ ଥିଲେ। ତେବେ ପ୍ରଥମ ଥର ଲାଗି ଜାତୀୟ ମହିଳା ଦଳ ସହ କାର୍ଯ୍ୟ କରିବେ।

ଅବଶ୍ୟ ତାଙ୍କୁ କେବଳ ଭାରତୀୟ ମହିଳା ଦଳର ଆଗାମୀ ଇଂଲଣ୍ଡ ଗସ୍ତ ଲାଗି ଏହି ପଦରେ ଅବସ୍ଥାପିତ କରାଯାଇଛି। ବିସିସିଆଇ ଏହା ପୂର୍ବରୁ ପୂର୍ବତନ ଭାରତୀୟ ସ୍ପିନର ରମେଶ ପାୱାରଙ୍କୁ ଡବ୍ଲ୍ୟୁଭି ରମଣଙ୍କ ସ୍ଥାନରେ ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିଥିଲା। ସୋମବାର ପ୍ରକାଶ ପାଇଥିବା ୯ ଜଣିଆ ପ୍ରଶିକ୍ଷକ ମଣ୍ଡଳିରେ ଦିଲ୍ଲୀର ପୂର୍ବତନ ୱିକେଟ୍ ରକ୍ଷକ ଅଭୟ ଶର୍ମା କ୍ଷେତ୍ରରକ୍ଷକ ପ୍ରଶିକ୍ଷକ, ବରୋଦା ମହିଳା ଦଳ ଚୟନସମିତିର ମୁଖ୍ୟ ରାଜକୁବରଦେବୀ ଗାଏକ୍ବାଡ୍ ପ୍ରବନ୍ଧକ ଭାବେ ରହିଛନ୍ତି। ଗାଏକ୍ବାଡ୍ ଭାରତୀୟ ମହିଳା ଦଳର ଦୀର୍ଘ ଦିନର ପ୍ରବନ୍ଧକ ତୃପ୍ତି ଭଟ୍ଟାଚାର୍ଯ୍ୟଙ୍କ ସ୍ଥାନ ନେବେ। ଆର ନରେଶ ଦଳର ଟ୍ରେନର ଥିଲା ବେଳେ ସନ୍ଦୀପ ରାଜୁ ଭିଡିଓ ସମୀକ୍ଷକ, ନୀରଜ ଦେଶାଇ ମାଲିସ୍ ବାଲା ଅଛନ୍ତି। ଭାରତୀୟ ମହିଳା ଦଳର ସ୍ପିନ୍ ପରାମର୍ଶଦାତା ଥିବା ପୂର୍ବତନ ଅନ୍ତର୍ଜାତୀୟ ସ୍ପିନର ନରେନ୍ଦ୍ର ହିରୱାନୀ ଏହି ତାଲିକାରେ ନାହାନ୍ତି। ‘‘ମୋତେ ପ୍ରଥମ ଥର ଲାଗି ଭାରତୀୟ ମହିଳା ଦଳର କୌଣସି ଦାୟିତ୍ବ ମିଳିଛି। ଏଥିନେଇ ମୁଁ ବେଶ୍ ଉତ୍ସାହିତ ଅଛି। ମୋ ପାଇଁ ଏହା ଅବଶ୍ୟ ଏକ ସୁଖଦ ଆହ୍ବାନ ନେଇ ଆସିବ। କାରଣ ଜଣେ ଖେଳାଳି ଭାବେ ମୁଁ ବହୁବାର ଇଂଲଣ୍ଡ ଗସ୍ତ କରିଥିଲା ବେଳେ ସେଠାରେ ଅନେକ କ୍ରିକେଟ୍ ଖେଳିଛି। ସେଠାକାର ପରିବେଶ ବିଷୟରେ ମୁଁ ଭଲ ଭାବରେ ଜାଣିଛି। ଏଣୁ ଦଳର ମୂଲ୍ୟବୃଦ୍ଧିରେ କିଛିବି ଅବଦାନ ଦେଇ ପାରିଲେ ମୁଁ ବହୁତ ଆ‌ନନ୍ଦିତ ହେବି। ମୋର ସମସ୍ତ ଧ୍ୟାନ କିନ୍ତୁ ଇଂଲଣ୍ଡ ଗସ୍ତ ଉପରେ ରହିବ। କାରଣ ମୁଁ କେବଳ ଇଂଲଣ୍ଡ ଗସ୍ତ ପାଇଁ ନିଯୁକ୍ତ ହୋଇଛି ବୋଲି ଶିବସୁନ୍ଦର ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର