ଭୁବନେଶ୍ବର: ଭାରତୀୟ ମହିଳା କ୍ରିକେଟ୍ ଦଳର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ଲାଗି ପୂର୍ବତନ ଟେଷ୍ଟ୍ ଓପନର୍ ଶିବସୁନ୍ଦର ଦାସ ବ୍ୟାଟିଂ ପ୍ରଶିକ୍ଷକ ପଦ ବଜାୟ ରଖିଛନ୍ତି। ଗତ ଇଂଲଣ୍ଡ ଗସ୍ତ ପରେ ଶିବସୁନ୍ଦରଙ୍କ ପାଇଁ ଏହା ଲଗାତାର ଦ୍ବିତୀୟ ଦାୟିତ୍ବ। ମୁଖ୍ୟ ପ୍ରଶିକ୍ଷକ ରମେଶ ପାୱାର ମଧ୍ୟ ଅପରିବର୍ତ୍ତିତ ରହିଛନ୍ତି। ତେବେ ଅଭୟ ଶର୍ମାଙ୍କ ବଦଳରେ ଶୁଭଦୀପ ଘୋଷଙ୍କୁ କ୍ଷେତ୍ରରକ୍ଷକ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ସେହିଭଳି ଅମୋଘ ପଣ୍ଡିତ ଓ ତନୁଜା ଲେଲେଙ୍କୁ ଷ୍ଟ୍ରେଙ୍ଗ୍ଥ ଆଣ୍ଡ୍ କଣ୍ଡିସନିଂ ପ୍ରଶିକ୍ଷକ, ଅକାଂକ୍ଷା ସତ୍ୟବଂଶୀ ଓ ଟ୍ରେସି ଫର୍ଣ୍ଣାଣ୍ଡିଜ୍ଙ୍କୁ ଫିଜିଓଥେରାପିଷ୍ଟ୍ ନିଯୁକ୍ତ କରାଯାଇଛି। ପୂର୍ବତନ ବ୍ୟାଟିଂ ଅଲରାଉଣ୍ଡର୍ ଗାର୍ଗି ବାନାର୍ଜୀଙ୍କୁ ଭାରତୀୟ ଦଳର ପ୍ରବଂଧକ ନିଯୁକ୍ତ କରାଯାଇଛି। ବେଙ୍ଗାଲୁରୁଠାରେ ଆରମ୍ଭ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ଗାର୍ଗି ସାମିଲ ହୋଇ ସାରିଛନ୍ତି।
ଭାରତୀୟ ମହିଳା ଦଳ ସେପ୍ଟେମ୍ବର ୧୯ରୁ ଅଷ୍ଟ୍ରେଲିଆ ବିପକ୍ଷରେ ୩ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବାର କ୍ରୀଡ଼ାସୂଚୀ ରହିଛି। ବୁଧବାର ଏଥିଲାଗି ୩୫ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ୬୦ ବର୍ଷୀୟା ଗାର୍ଗି ଭାରତ ପାଇଁ ୧୯୭୮ରୁ ୧୯୯୧ ମସିହା ମଧ୍ୟରେ ୧୨ ଟେଷ୍ଟ୍ ଏବଂ ୨୬ ଦିନିକିଆ ଖେଳିଥିଲେ। ଘରୋଇ କ୍ରିକେଟ୍ ପ୍ରତିଯୋଗିତାରେ ସେ ରେଳବାଇ ଓ ଆସାମ ପାଇଁ ପ୍ରତିନିଧିତ୍ବ କରିଥିଲେ। ଏବେ ସେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି)ର ଆପେକ୍ସ କାଉନସିଲ୍ରେ ରହିଛନ୍ତି।