ନେତୃତ୍ବ ଶୈଳୀରେ ଭିନ୍ନତା ବାଛିଲେ ଶିବରାମକୃଷ୍ଣନ୍

କୋହଲି ପ୍ରତିକ୍ରିୟାଶୀଳ: ଧୋନିଙ୍କୁ ପଢ଼ିବା କଷ୍ଟକର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ଦୁଇ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ନେତୃତ୍ବ ଶୈଳୀ ମଧ୍ୟରେ ଥିବା ପ୍ରଭେଦ ବାଛିବାକୁ ଚେଷ୍ଟା କରିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ଲକ୍ଷ୍ମଣ ଶିବରାମକୃଷ୍ଣନ୍। ସେହିଭଳି ଏହି ଦୁଇ ତାରକାଙ୍କ ନେତୃତ୍ବ ଶୈଳୀରେ ଥିବା ଭିନ୍ନତା ଲାଗି ଭାରତ ଦୁଇଟି ଭିନ୍ନ ସ୍ବଭାବର ଦଳ ପାଇଛି। ଉଭୟ କିନ୍ତୁ ଭାରତକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛନ୍ତି ବୋଲି ଆକଳନ କରିଛନ୍ତି ସେ। ‘‘ବିରାଟ କୋହଲି ଜଣେ ସକ୍ରିୟ ଓ ସ୍ବଭାବ ପ୍ରେରିତ ଅଧିନାୟକ। ଏହା ହିଁ ତାଙ୍କୁ ଶକ୍ତିଶାଳୀ କରିଥାଏ। ଦିନକୁ ଦିନ ତାଙ୍କ ନେତୃତ୍ବ ଦକ୍ଷତାରେ ଉନ୍ନତି ପରିଲକ୍ଷିତ ହେଉଛି। କୋହଲିଙ୍କ ଅଧିନାୟକତ୍ବର ସବୁଠାରୁ ଭଲ ଦିଗ ହେଲା, ସେ ସବୁବେଳେ ଆଗରେ ରହି ନେତୃତ୍ବ ନେଇଥାଆନ୍ତି। କେବଳ ରନ୍ କରିବା ନୁହେଁ ବରଂ ନିଜ ଉତ୍ସାହ ଓ କ୍ରିକେଟ୍ ପ୍ରତି ଥିବା ପାଗଳାମୀରେ ଅନ୍ୟମାନଙ୍କୁ ଅନୁପ୍ରେରିତ କରିଥାଆନ୍ତି। ଉଭୟ (ଧୋନି ଓ କୋହଲି) ଅଲଗା ଅଲଗା ଶୈଳୀର ଅଧିନାୟକ। କୋହଲି ଅଧିକ ଆକ୍ରାମକ ଓ ପ୍ରତିକ୍ରୟାଶୀଳ। ତାଙ୍କ ଶାରୀରିକ ଭାଷାରୁ ଏହା ସ୍ପଷ୍ଟଭାବେ ପ୍ରତୀୟମାନ ହୁଏ। ଧୋନି କିନ୍ତୁ ଚୁପ୍ ରହିବାକୁ ଭଲ ପାଆନ୍ତି, ତାଙ୍କ ମନର ଭାବନାକୁ ପଢ଼ିବା ଅତ୍ୟନ୍ତ କଷ୍ଟକର। ଧୋନି ଅବଶ୍ୟ ଜଣେ ବୋଲରଙ୍କ ଅଧିନାୟକ। ଯାହା ଯେ କୌଣସି ବୋଲରଙ୍କ ଆତ୍ମବିଶ୍ବାସକୁ ବଢ଼ାଇଥାଏ। ସେମାନେ ଧୋନିଙ୍କ ଅଧୀନରେ ନିଜକୁ ଅଧିକ ସହଜ ମନେ କରନ୍ତି। କୋହଲି ଅନ୍ୟପକ୍ଷରେ ସବୁବେଳେ ବିଜୁଳି ଭଳି ଚଳଚଞ୍ଚଳ ଥାଆନ୍ତି। ତାଙ୍କ ପାଖରେ ବୋଲରଙ୍କ ପାଇଁ ସବୁବେଳେ କିଛି ନା କିଛି ଯୋଜନା ଥାଏ। କୌଣସି ଲକ୍ଷ୍ୟକୁ ହାସଲ କରିବା ଲାଗି ଅନୁସରଣ କରାଯାଉଥିବା ପ୍ରକ୍ରିୟା ମହତ୍ବପୂର୍ଣ୍ଣ, ତେବେ ତା’ଠାରୁ ଅଧିକ ମହତ୍ବପୂର୍ଣ୍ଣ ହେଲା ଫଳାଫଳ’’ ବୋଲି ଶିବରାମକୃଷ୍ଣନ୍ କହିଛନ୍ତି। କ୍ରିକେଟରରୁ ଭାଷ୍ୟକାର ପାଲଟିଥିବା ଏହି ପୂର୍ବତନ ସ୍ପିନର ମଧ୍ୟ କୋହଲିଙ୍କୁ ନବେ ଦଶକ ଓ ୨୦୦୦ ମସିହା ପ୍ରାରମ୍ଭର ଅଷ୍ଟ୍ରେଲିଆ ଦଳ ସହ ତୁଳନା କରିବାକୁ ଭୁଲିନାହାନ୍ତି। ସେ କହିଛନ୍ତି ଯେ ବିରାଟ କୋହଲି ହାରିବାକୁ ଡରନ୍ତି ନାହିଁ, କାରଣ ସେ ଜିତିବାକୁ ଖେଳନ୍ତି। ନବେ ଦଶକ ଓ ୨୦୦୦ ମସିହାର ଆଦ୍ୟ ଭାଗରେ ଅଷ୍ଟ୍ରେଲିଆ ଏହା ହିଁ କରୁଥିଲା। ଆପଣ ଯେତେବେଳେ କେବଳ ଜିତିବାକୁ ଚାହାଁନ୍ତି, ସେହି ପ୍ରକ୍ରିୟା‌ରେ କିଛି ମ୍ୟାଚ୍ ହାରନ୍ତି, ଏହା ଖେଳର ଅଂଶ ବିଶେଷ।

ସୂଚନାଯୋଗ୍ୟ ଯେ ଧୋନି ୨୦୦ ଦିନିକିଆରେ ଭାରତର ନେତୃତ୍ବ ନେଇ ୧୧୦ ବିଜୟ ଓ ୭୪ ପରାଜୟ ପାଇଛନ୍ତି। ଅନ୍ୟପକ୍ଷରେ କୋହଲି ଅଧିନାୟକ ଦାୟତ୍ବ ତୁଲାଇଥିବା ୮୯ ଦିନିକିଆରୁ ଭାରତ ୬୨ଟି ଜିତିଛି। ଟେଷ୍ଟ୍‌ରେ ଧୋନି ୬୦ ମ୍ୟାଚ୍‌ରୁ ୨୭ ଜିତିଥିଲା ବେଳେ ୧୮ ମ୍ୟାଚ୍ ହାରିଛନ୍ତି। ସେପଟେ କୋହଲି ନେତୃତ୍ବ ନେଇଥିବା ୫୫ ଟେଷ୍ଟ୍‌ରୁ ଭାରତ ୩୩ ମ୍ୟାଚ୍ ଜିତିଥିଲା ବେଳେ ମାତ୍ର ୧୨ଟି ହାରିଛି। ଆଇସିସି ଟ୍ରଫି ଜିତିବାରେ କିନ୍ତୁ କୋହଲିଙ୍କଠାରୁ ଧୋନି ବହୁତ ଆଗରେ ରହିଛନ୍ତି। ଅଧିନାୟକ ଧୋନି ଦୁଇଟି ବିଶ୍ବକପ୍ (୨୦୦୭ ଟ୍ବେଣ୍ଟି-୨୦, ୨୦୧୧ ଏକଦିବସୀୟ) ସହ ଗୋଟିଏ ଚାମ୍ପିଅନ୍ସ ଟ୍ରଫି ଜିତିଛନ୍ତି। ଅପରପକ୍ଷରେ କୋହଲି ଏ ପର୍ଯ୍ୟନ୍ତ ନିଜ ନେତୃତ୍ବରେ ଗୋଟିଏ ହେଲେ ବି ଆଇସିସି ଟ୍ରଫି ଜିତି ନାହାନ୍ତି। ସେଥିପାଇଁ କୋହଲିଙ୍କ ନେତୃତ୍ବ ଦକ୍ଷତା ନେଇ ଗତ ସପ୍ତାହରେ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ‌ପ୍ରଶ୍ନ ଉଠାଇଥିଲେ।

ସମ୍ବନ୍ଧିତ ଖବର