ନିଜ ଦେଶରେ ବି ରଙ୍ଗଭେଦର ଶିକାର ହେଉଛି: ଶିବରାମକ୍ରିଷ୍ଣନ୍

କାନପୁର: ‘‘ମୁଁ ସାରାଜୀବନ ରଙ୍ଗଭେଦର ଶିକାର ହୋଇଆସୁଛି। ବିଦେଶ ଛାଡ଼ନ୍ତୁ, ନିଜ ଦେଶରେ ବି ଅନେକଥର ଏଭଳି ଦୁଃଖଦ ଓ ଯନ୍ତ୍ରଣାଦାୟକ ପରିସ୍ଥିତିର ସାମ୍ନା କରିଛି’’। ସୋମବାର ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ପୂର୍ବତନ ଭାରତୀୟ ଲେଗ୍‌ସ୍ପିନର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ୍। ବର୍ଣ୍ଣବୈଷମ୍ୟକୁ ନେଇ ଇଂଲଣ୍ଡ କ୍ରିକେଟ୍ ଜଗତରେ ସୃଷ୍ଟି ହୋଇଥିବା ଝଡ଼ ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ୯ ଟେଷ୍ଟ୍ ଓ ୧୬ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିବା ଶିବରାମକ୍ରିଷ୍ଣନ୍ ଏହା କଥା କହିଛନ୍ତି। ‘‘ମୁଁ ସାରା ଜୀବନ ମୋ ଶରୀରର ରଙ୍ଗକୁ ନେଇ ସମାଲୋଚିତ ହୋଇଆସୁଛି। ପାତର ଅନ୍ତରର ଶିକାର ହେଉଛି। ଏଣୁ ମୋ ପାଇଁ ଏବେ ଏହାର କୌଣସି ମାନେ ନାହିଁ। ଦୁର୍ଭାଗ୍ୟଜନକ ଭାବେ ମୋ ଦେଶରେ ବି ବାରମ୍ବାର ମୋ ସହ ଏଭଳି ଅନ୍ୟାୟ ହୋଇଛି’’ ବୋଲି ଟ୍ବିଟ୍ କରିଛନ୍ତି ଶିବରାମକ୍ରିଷ୍ଣନ୍। ଏହାପୂର୍ବରୁ ତାମିଲନାଡୁ କ୍ରିକେଟର୍ ଅଭିନବ ମୁକୁନ୍ଦ ୨୦୧୭ ମସିହାରେ କ୍ରିକେଟ୍‌ରେ ଥିବା ରଙ୍ଗଭେଦକୁ ନେଇ ସ୍ବର ଉତ୍ତୋଳନ କରିଥିଲେ। ଗତବର୍ଷ ପୂର୍ବତନ ଭାରତୀୟ ଓ କର୍ଣ୍ଣାଟକ ପେସର୍‌ ଡୋଡା ଗଣେଶ ମଧ୍ୟ ରଙ୍ଗଭେଦକୁ ନେଇ ଥିବା ନିଜ ତିକ୍ତ ଅଭିଜ୍ଞତା ବିଷୟରେ ଖୋଲି କହିଥିଲେ। ସୂଚନାଯୋଗ୍ୟ ଯେ କାଉଣ୍ଟି କ୍ଲବ୍‌ ୟର୍କସାୟାରର ଖେଳାଳି ଅଜିମ ରଫିକ ତାଙ୍କ ସହ ହୋଇଥିବା ବର୍ଣ୍ଣବୈଷମ୍ୟ ବିଷୟରେ କହିବା ପରେ ଇସିବି ଏହାର ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର