କରାଚି ଟେଷ୍ଟ୍‌ରେ ସଚିନ୍‌ଙ୍କୁ ଅଡ଼ୁଆରେ ପକାଇଥିଲେ ଅଖ୍‌ତର: ଆସିଫ୍‌

ନୂଆଦିଲ୍ଲୀ : ଭାରତ ୨୦୦୬ରେ ପାକିସ୍ତାନ ଗସ୍ତ କରି ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିଥିଲା। ମୁଲତାନ ଓ ଫୈସଲାବାଦରେ ଖେଳାଯାଇଥିବା ପ୍ରଥମ ଦୁଇ ଟେଷ୍ଟ୍‌ ଅମୀମାଂସିତ ରହିଥିଲା ବେଳେ କରାଚିରେ ଆୟୋଜିତ ତୃତୀୟ ତଥା ଶେଷ ଟେଷ୍ଟ୍‌କୁ ପାକିସ୍ତାନ ଜିତି ୧-୦ରେ ଶୃଙ୍ଖଳା କବ୍‌ଜା କରିଥିଲା। ଏହି ‌ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଇର୍ଫାନ ପଠାନ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ହେଲେ ଏହି ଟେଷ୍ଟ୍‌ରେ ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କୁ କିପରି ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖ୍‌ତର ଅଡ଼ୁଆରେ ପକାଇଥିଲେ ସେହି ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ଅନ୍ୟତମ ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆସିଫ। କିପରି ‌ଅଖ୍‌ତରଙ୍କ ବାଉଁସରକୁ ସଚିନ୍‌ ଆଖି ବୁଜି ଦେଉଥିଲେ ବୋଲି ଆସିଫ୍‌ ସ୍ମୃତି ରୋମନ୍ଥନ କରିଛନ୍ତି।

ପାକିସ୍ତାନୀ ସୋ ବର୍ଗେଜକୁ ଆସିଫ୍‌ କହିଥିଲେ, ୨୦୦୬ରେ ପାକିସ୍ତାନ ଗସ୍ତରେ ଆସିଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ୍ ଅପ୍‌ ଦୃଢ଼ ଥିଲା। ରାହୁଲ ଦ୍ରାବିଡ଼ ଅଧିକ ରନ୍‌ କରିଥିଲା ବେଳେ ବୀରେନ୍ଦ୍ର ସେହବାଗ ମୁଲ୍‌ତାନ୍‌ରେ ଆମକୁ ପ୍ରହାର କରିଥିଲେ। ‌ଫୈସଲାବାଦ ଟେଷ୍ଟ୍‌ରେ ଉଭୟ ଦଳ ୬୦୦ ରନ୍ କରିଥିଲେ। ସେମାନଙ୍କ ବ୍ୟାଟିଂ ଲାଇନ୍ ଦୃଢ଼ ଯୋଗୁଁ ଆମେ ଚିନ୍ତିତ ଥିଲୁ। ମହେନ୍ଦ୍ର ସିଂହ ଧୋନି ୭ କିମ୍ବା ୮ ନମ୍ବରରେ ବ୍ୟାଟିଂ କରୁଥିଲେ ବୋଲି ୨୦୧୦ରେ ସ୍ପଟ୍‌ ଫିକ୍ସିଂ ମାମଲାରେ ୭ ବର୍ଷ ବାସନ୍ଦ ହୋଇଥିବା ଆସିଫ୍‌ ପ୍ରକାଶ କରିଛନ୍ତି। ଶୃଙ୍ଖଳାର ଫାଇନାଲ୍‌ ମ୍ୟାଚ୍‌ରେ ଇର୍ଫାନ ପ୍ରଥମ ପାଳିର ପ୍ରଥମ ଓଭରରେ ହ୍ୟାଟ୍ରିକ୍‌ ନେଇ ଆମକୁ ପଛକୁ ଠେଲି ଦେଇଥିଲେ। ହେଲେ କମ୍ରାନ ଆକମଲଙ୍କ ଶତକ ବଳରେ ଆମେ ୨୪୫ ‌ରନ୍‌ କରିପାରିଥିଲୁ। ଯେତେବେଳେ ଆମେ ବୋଲିଂ କଲୁ, ଅଖତର ଏକ୍ସପ୍ରେସ ଗତିରେ ବୋଲିଂ କରିଥିଲେ। ମୁଁ ସ୍କୋୟାର‌ ଲେଗ୍‌ ଅମ୍ପାୟାରଙ୍କ ନିକଟରେ ଠିଆ ହୋଇଥିଲି। ମୁଁ ନିଜ ଆଖ‌ିରେ ଦେଖିଛି, ଅଖ୍‌ତର ବାଉଁସର୍‌ ମାରିଲା ବେଳେ ତେନ୍ଦୁଲକର ଆଖି ବନ୍ଦ କରି ଦେଉଥିଲେ। ଅଖ୍‌ତରଙ୍କ ଗତିଶୀଳ ବାଉଁସରକୁ ବୁଝିବାରେ ସଚିନ୍‌ ସମର୍ଥ ହୋଇପାରୁନଥିଲେ। ସେ ବହୁବାର ଅସ୍ତବ୍ୟସ୍ତ ହୋଇପଡୁଥିଲେ। ଆମେ ତାଙ୍କୁ ୨୩୮ ରନ୍‌ରେ ଅଲ୍‌ଆଉଟ୍‌ କରିଥିଲୁ। ଦ୍ବିତୀୟ ପାଳିରେ ଆମେ ୫୯୯ ରନ୍‌ କରିଥିଲା ବେଳେ ସେମାନଙ୍କୁ ୨୬୫ ରନ୍‌ରେ ସୀମିତ ରଖି ୩୪୧ ରନ୍‌ ବ୍ୟବଧାନରେ ବିଜୟୀ ହୋଇଥିଲୁ ବୋଲି ଆସିଫ୍‌ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର