‘ତିନି ମାସ ପରେ ବଞ୍ଚିଥିବ କି ନାହିଁ ଜାଣିନ, ଏତେ ଲୋଭ କ’ଣ ପାଇଁ’

ମହଜୁଦକାରୀଙ୍କୁ ଅଖତରଙ୍କ ତାଚ୍ଛଲ୍ୟ କରିଛନ୍ତି ସୋଏବ

ଲାହୋର: କରୋନା ସଂକ୍ରମଣ ଭୟରେ ବିଶ୍ବର ଅଧିକାଂଶ ଦେଶ ନିଜ ଅନ୍ତର୍ଜାତୀୟ ସୀମାକୁ ସିଲ୍ କରିଛନ୍ତି। ଅଧିକାଂଶ ସହର ବଜାର ବନ୍ଦ ରହିଛି। କେବଳ ଯାହା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ଅଛି। ଏଭଳି ସ୍ଥିତିରେ ଅଧିକ ଲାଭ କରିବା ଲୋଭରେ କଳାବଜାରୀ, ଜମାଖୋର ଓ ମହଜୁଦକାରୀ ମହଣ ମହଣ ଅତ୍ୟାବଶ୍ୟକ ସାମଗ୍ରୀ ନିଜ ନିଜ ଗୋଦାମରେ ଠୁଳ କରି ରଖୁଛନ୍ତି। ଏଭଳି ଅସାଧୁ ବ୍ୟବସାୟୀଙ୍କୁ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର କଟାକ୍ଷ କରିଛନ୍ତି। ନିଜ ୟୁଟ୍ୟୁବ୍ ଚ୍ୟା‌ନେଲରେ ପ୍ରକାଶ କରିଥିବା ଏକ ଭିଡିଓରେ ଅଖତର କହିଛନ୍ତି ଯେ କରୋନା ସମଗ୍ର ବିଶ୍ବର ଶତ୍ରୁ। ଏହି ଭୂତାଣୁ ବିରୋଧରେ ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ଲଢ଼ିବା। ଜାତି, ବର୍ଣ୍ଣ, ଧର୍ମ ଓ ଅନ୍ତର୍ଜାତୀୟ ସୀମାକୁ ଭୁଲି କରୋନାକୁ ପରାସ୍ତ କରିବା ଲାଗି ଚେଷ୍ଟା କରିବା। ଯଦି ଆପଣ କଳାବଜାରୀ କରୁଛନ୍ତି, ଦୟାକରି ସେହି ଦିନ ମଜୁରିଆ ଓ ଗରିବ ଲୋକଙ୍କ କଥା ଟିକିଏ ଭାବନ୍ତୁ। ସେମାନଙ୍କ ପରିବାର ଲୋକଙ୍କୁ ସେମାନେ ଖାଇବାକୁ କ’ଣ ଦେବେ? ବର୍ତମାନ ଅଧିକାଂଶ ଦୋକାନ ଖାଲି ପଡ଼ିଛି। ଆପଣମାନେ ତିନି ମାସ ପରେ ବଞ୍ଚିଥିବେ ବୋଲି ଦାବି କରି କହି ପାରିବେ କି? ଏଭଳି ସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀକୁ ମହଜୁଦ କରି ରଖିବାର ମାନେ କିଛି ନାହିଁ। ମାନବିକତାକୁ ଭୁଲି ଯାଅନି। ହିନ୍ଦୁ, ମୁସଲିମ୍ କରିବା ଛାଡ଼, ଆମମାନଙ୍କୁ ପରସ୍ପରକୁ ସହଯୋଗ କରିବାକୁ ହେବ। ସେହି ଗରିବ ଓ ଅସହାୟ ଲୋକଙ୍କ ପାଇଁ ଆମକୁ ପାଣ୍ଠି ସଂଗ୍ରହ କରିବାକୁ ହେବ। ଦୟାକରି କଳାବଜାରୀ ବନ୍ଦ କରନ୍ତୁ। ଅଖତର ମଧ୍ୟ ଆହୁରି କହିଛନ୍ତି ଯେ ସାଂପ୍ରତିକ ସ୍ଥିତିରେ ଧନୀ ଲୋକ ବଞ୍ଚିବେ, ଗରିବ ଲୋକ କିଭଳି ଜୀବିକା ନିର୍ବାହ କରିବେ? ଆମେ ପଶୁଙ୍କ ଭଳି ବଞ୍ଚୁଛେ, ଭଲ ମଣିଷ ହେବାକୁ ଚେଷ୍ଟା କରିବାକୁ ହେବ।

ସମ୍ବନ୍ଧିତ ଖବର