ସାନିଆଙ୍କୁ ଭେଟିବାକୁ ସୋଏବ୍‌ଙ୍କୁ ଅନୁମତି

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ସଂକଟ ଯୋଗୁଁ ପ୍ରାୟ ୫ ମାସ ହେଲା ନିଜ ପରିବାରଠୁ ଦୂରେଇ ରହିଛନ୍ତି ପାକିସ୍ତାନୀ ଅଲ୍‌ରାଉଣ୍ଡର ସୋଏବ୍ ମଲ୍ଲିକ। ଏପରିକି ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ ବିଶ୍ବବ୍ୟାପୀ କଟକଣା ଜାରି ଯୋଗୁଁ ସେ ଏହି ସମୟରେ ପାକିସ୍ତାନରେ ହିଁ ରହିଯାଇଥିଲା ବେଳେ ପତ୍ନୀ ଓ ପୁଅ ଭାରତରେ ଅଛନ୍ତି। ପାକିସ୍ତାନ ଦଳ ଅଗଷ୍ଟ-ସେପ୍ଟେମ୍ବରରେ ୩ ଲେଖାଏଁ ଟେଷ୍ଟ୍‌ ଏବଂ ଟ୍ବେଣ୍ଟି-୨୦ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ଇଂଲଣ୍ଡ ଗସ୍ତ କରିବ। କୋଭିଡ୍‌-୧୯ ମହାମାରୀ ଯୋଗୁଁ ଜୈବ ପରିବେଶରେ ଏହି ଶୃଙ୍ଖଳା ଖେଳାଯିବ। ଇଂଲଣ୍ଡ ଗସ୍ତ କରିବା ପାଇଁ ପାକସ୍ତାନ ଦଳରେ ସୋଏବ୍‌ ମଲ୍ଲିକ ସ୍ଥାନ ପାଇଛନ୍ତି। ଖେଳାଳି ଏବଂ ଅଧିକାରୀମାନଙ୍କୁ ମିଶାଇ ଏକ ୨୯ ଜଣିଆ ପାକ୍‌ ଦଳ ଚଳିତ ମାସ (ଜୁନ୍‌) ୨୮ ତାରିଖରେ ମାଞ୍ଚେଷ୍ଟର ଅଭିମୁଖେ ଯାତ୍ରା କରିବ। ସେଠାରେ ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରହି ଡର୍ବିସାୟାର ଯିବ। ଡର୍ବିସାୟାରରେ ରହି ପାକିସ୍ତାନ ଦଳ ପ୍ରସ୍ତୁତି ଓ ଅଭ୍ୟାସ କରିବ। ହେଲେ ଜୁନ୍‌ ୨୮ ତାରିଖରେ ଦଳ ସହ ଇଂଲଣ୍ଡ ଗସ୍ତ କରିବାକୁ ସୋଏବ୍‌ ରାଜି ହୋଇନଥିଲେ। କରୋନା ଯୋଗୁଁ ପାଞ୍ଚ ମାସ ଧରି ପରିବାରକୁ ଦେଖିନଥିବାରୁ ତାଙ୍କୁ (ପତ୍ନୀ ସାନିଆ ମିର୍ଜା ଏବଂ ପୁଅ ଇଜ୍‌ହାନ୍‌) ଭେଟିବା ପରେ ବିଳମ୍ବରେ ଇଂଲଣ୍ଡରେ ପହଞ୍ଚିବେ ବୋଲି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)କୁ ଅନୁମତି ମାଗିଥିଲେ। ତେ‌ବେ ସୋଏବ୍‌ଙ୍କ ଏହି ଅନୁରୋଧକୁ ଗ୍ରହଣ କରିଛି ପିସିବି। ପରିବାରକୁ ଭେଟିବା ପାଇଁ ପିସିବି ତାଙ୍କୁ ସୁବଜ ସଂକେତ ଦେଇଛି। ତେଣୁ ତୁରନ୍ତ ପରିବାରକୁ ଭେଟିବା ପରେ ସୋଏବ୍‌ ବିଳମ୍ବରେ ତଥା ଜୁଲାଇ ୨୪ ତାରିଖରେ ଇଂଲଣ୍ଡ ଗସ୍ତ କରି ଦଳ ସହ ଯୋଗଦେବେ ବୋଲି ପିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ୱାସିମ୍‌ ଖାନ୍‌ କହିଛନ୍ତି। ସୋଏବ୍‌ଙ୍କ ବିଳମ୍ବିତ ଯାତ୍ରା ପାଇଁ ଆମେ ମଧ୍ୟ ଇଂଲଣ୍ଡ ଆଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି)କୁ ଜଣାଇ ଦେଇଛୁ। ଇସିବି ମଧ୍ୟ ସୋଏବ୍‌ ଜୁଲାଇ ୨୪ରେ ଇଂଲଣ୍ଡରେ ପ୍ରବେଶ କରିବା ନେଇ ରାଜି ହୋଇଥିବା ୱାସିମ୍‌ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ୨୦୧୫ରେ ଟେଷ୍ଟ୍‌ ଏବଂ ଗତବର୍ଷ ବିଶ୍ବକପ୍‌ ପରେ ପରେ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇସାରିଥିବା ୩୮ ବର୍ଷ ବୟସ୍କ ସୋଏବ୍‌ ମଲ୍ଲିକ ପାକିସ୍ତାନ ପାଇଁ ଏବେ କେବଳ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଖେଳିବା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର