ଭାରତ-ପାକ୍‌ କ୍ରିକେଟ୍‌ ସଂପର୍କ ପୁନଃଆରମ୍ଭ ବିଶ୍ବ ଚାହେଁ: ସୋଏବ୍‌

ନୂଆଦିଲ୍ଲୀ : ପୂର୍ବରୁ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଅଧିକାଂଶ ସ୍ମରଣୀୟ କ୍ରିକେଟ୍‌ ମୁକାବିଲା ଦେଖିବାକୁ ମିଳିଥିଲା। ଭାରତୀୟ ଦ୍ରୁତ ବୋଲର ଭେଙ୍କଟେସ୍‌ ପ୍ରସାଦ ଏବଂ ପାକ୍‌ ବ୍ୟାଟ୍‌ସମ୍ୟାନ୍‌ ଆମୀର ସୋହେଲଙ୍କ ମଧ୍ୟରେ ବାକ୍ୟ ବିନିମୟ ଏବେ ବି ଉଭୟ ଦେଶର କ୍ରିକେଟ୍‌ ପ୍ରଶଂସକଙ୍କ ମନରୁ ଲିଭିନାହିଁ। ପୁଣି ଅନ୍ୟ ଏକ ମ୍ୟାଚ୍‌ରେ ଶେଷ ବଲ୍‌ରେ ଜାଭେଦ୍‌ ମିଆଁଦାଦ୍‌ ଛକା ମାରି ପାକିସ୍ତାନକୁ ବିଜୟୀ କରାଇବାର ମୁହୂର୍ତ୍ତ, ୱିକେଟ୍‌ରକ୍ଷକ କିରଣ ମୋରେ କିପରି ମିଆଁଦାଦ୍‌ଙ୍କୁ ଚିଡାଇ ତାଙ୍କ ଧ୍ୟାନ ଭଙ୍ଗ କରିବାର ପ୍ରୟାସ ଏବଂ ତା’କୁ ନେଇ ମିଆଁଦାଦ୍‌ଙ୍କ ମାଙ୍କଡ ଡିଆଁ ଭଳି ଘଟଣା ମଧ୍ୟ ରୋଚକ ଥିଲା। ଏଭଳି କେତେକ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମୁହୂର୍ତ୍ତକୁ ବାଦ୍‌ ଦେଲେ ଦୁଇ ଦଳ ଆଇସିସି ପ୍ରତିଯୋଗିତାରେ ମଧ୍ୟ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ। ସେଥିମଧ୍ୟରୁ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ଏବଂ ୨୦୧୭ ଚାମ୍ପିଅନ୍‌ସ ଟ୍ରଫି ଫାଇନାଲ୍‌ ଦୁଇଟି ଉଦାହରଣ। କିନ୍ତୁ କୁଟନୈତିକ ସଂପର୍କ ଖରାପ ଯୋଗୁଁ ଦୁଇ ଦଳ ମଧ୍ୟରେ କ୍ରିକେଟ୍‌ ବଳି ପଡ଼ିଯାଇଛି। ଉଭୟ ଭାରତ ଓ ପାକିସ୍ତାନ ପ୍ରାୟ ୮ ବର୍ଷ ହେଲାଣି ଦ୍ବିପାକ୍ଷିକ ଶୃଙ୍ଖଳା ପରସ୍ପର ମଧ୍ୟରେ ଖେଳିନାହାନ୍ତି। ଏହି ସମୟ ମଧ୍ୟରେ କେବଳ ଆଇସିସି ପ୍ରତିଯୋଗିତା ଖେଳିଛନ୍ତି। ଶେଷଥର ପାଇଁ ପରସ୍ପର ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ୨୦୧୨ରେ ଖେଳାଯାଇଥିଲା। ସେତେବେଳେ ପାକିସ୍ତାନ ଦଳ ଭାରତ ଗସ୍ତ କରି ୨ ଟ୍ବେଣ୍ଟି-୨୦ ଏବଂ ୩ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା। ତେବେ ଏତେ ବର୍ଷ ଧରି ଉଭୟଙ୍କ କ୍ରିକେଟ୍‌ ସଂପର୍କ ବିଚ୍ଛିନ୍ନ ହୋଇଥିବା‌ରୁ ଏହା ବିଶ୍ବରେ ପ୍ରଭାବ ପକାଇଛି। କାରଣ ଏହି ଦୁଇ ପାରମ୍ପରିକ ଦେଶ ପୁଣି ଥରେ କ୍ରିକେଟ୍‌ ଖେଳନ୍ତୁ ବୋଲି ସାରା ବିଶ୍ବ ଚାହେଁ। ଦୁଇ ଦଳର ପ୍ରତିଦ୍ବନ୍ଦ୍ବିତାକୁ ସମଗ୍ର ବିଶ୍ବରେ ପ୍ରଶଂସକମାନେ ଚାହିଁବସିଥାନ୍ତି। ଯେପରି ଆସେସ୍‌କୁ ସାରା ବିଶ୍ବ ଚାହିଁ ରହିଥାଏ। ତେଣୁ ବିଶ୍ବବାସୀଙ୍କ ଖୁସୀ ଦୃଷ୍ଟିରୁ ଭାରତ-ପାକିସ୍ତାନ କ୍ରିକେଟ୍‌ ସଂପର୍କର ପୁନଃଆରମ୍ଭ ହେଉ ବୋଲି ପ୍ରସ୍ତାବ ବାଢ଼ିଛନ୍ତି ପାକ୍‌ ଅଲ୍‌ରାଉଣ୍ଡର ସୋଏବ୍‌ ମଲ୍ଲିକ।

ମୋର ପାକିସ୍ତାନୀ ବନ୍ଧୁମାନେ ମଧ୍ୟ ଭାରତୀୟ କ୍ରିକେଟ୍‌ରଙ୍କୁ ଖୁବ୍‌ ଭଲ ପାଆନ୍ତି ଏବଂ ସମ୍ମାନ ବି ଜଣାନ୍ତି। ସେହିପରି ମୁଁ ଓ ମୋ ପାକିସ୍ତାନ ଦଳୀୟ ସାଥୀମାନେ ମଧ୍ୟ ଯେତେବେଳେ ଭାରତ ସହ ଖେଳିଥାଉ ସେ‌ତେବେଳେ ସମର୍ଥନ ଓ ଭଲପାଇବା ଦେଇଥାଉ ବୋଲି କହିଛନ୍ତି ସୋଏବ୍‌। ଭାରତ ବିପକ୍ଷରେ ତାଙ୍କ ପସନ୍ଦର ଏକ ସ୍ମୃତିକୁ ମନେ ପକାଇ ସୋଏବ୍‌ କହିଛନ୍ତି, ୨୦୦୯ ଚାମ୍ପିଅନ୍‌ସ ଟ୍ରଫିର ସେଞ୍ଚୁରିଅନ୍‌ ମ୍ୟାଚ୍‌ରେ ଶତକ (୧୨୮ ରନ୍‌) ହାସଲ କରେ ମୁଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲି। ସେହିପରି ଶ୍ରୀଲଙ୍କାରେ ଆୟୋଜିତ ୨୦୦୪ ଏସିଆ କପ୍‌ର ଏକ ମ୍ୟାଚ୍‌ରେ ୧୨୭ ବଲ୍‌ରୁ ୧୪୩ ରନ୍‌ କରିବା ସାଙ୍ଗକୁ ସଚିନ୍‌ ତେନ୍ଦୁଲକର ଓ ଯୁବରାଜ ସିଂହଙ୍କ ୱିକେଟ୍‌ ଦଖଲ କରିବା ସବୁଠୁ ବଡ଼ ସ୍ମୃତି ଥିଲା ବୋଲି ସୋଏବ୍‌ ବର୍ଣ୍ଣନା କରିଛନ୍ତି। କିନ୍ତୁ ୨୦୦୪ରେ କୋଲ୍‌କାତାରେ ଖେଳାଯାଇଥିବା ଏକମାତ୍ର ଦିନିକିଆ ମ୍ୟାଚ୍‌ରେ ଆମେ ବିଜୟ ପାଇଁ ୨୯୩ ରନ୍‌ର ପିଛା କରୁଥିଲା ବେଳର ମୁହୂର୍ତ୍ତିକୁ ମୁଁ ଖୁବ୍‌ ଉପଭୋଗ କରିଥିଲି। ତାହା ଥିଲା ଇଦ୍‌ର ପୂର୍ବଦିନ। ସେହି ଦିବାରାତ୍ର ମ୍ୟାଚ୍‌ ବେଳେ ଐତିହାସିକ ଇଡେନ୍‌ ଗାର୍ଡେନ୍‌ର ପରିବେଶ ବେଶ୍‌ ଗମ୍ଭୀର ରହିଥିଲା ‌ବୋଲି ସୋଏବ୍‌ ମନେ ପକାଇଥିଲେ।

ସମ୍ବନ୍ଧିତ ଖବର