ଫ୍ରାନ୍ସକୁ ଝଟ୍‌କା: ଲିଗାମେଣ୍ଟରେ ଆଘାତ ଯୋଗୁଁ ବିଶ୍ବକପ୍‌‌ରେ ଖେଳିବେନି ଲୁକାସ୍‌

ୟାସିର୍‌ଙ୍କୁ ହରାଇବ ସାଉଦି ଆରବ

ଦୋହା: ଗତ ସଂସ୍କରଣର ବିଜେତା ଫ୍ରାନ୍ସ ଦମ୍‌ଦାର ପ୍ରଦର୍ଶନ କରି ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି। ହେଲେ ଦଳର ପ୍ରମୁଖ ଖେଳାଳି ଲୁକାସ ହର୍ଣ୍ଣାଣ୍ଡେଜ୍‌ଙ୍କ ଆହତ ଦଳକୁ ସମସ୍ୟାରେ ପକାଇଛି। ମଙ୍ଗଳବାର ରାତିରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ର ଦଶମ ମିନିଟ୍‌ରେ ଲୁକାସ ଆହତ ହୋଇ ପଡ଼ିଆ ବାହାରକୁ ଆସିଥିଲେ। ତାଙ୍କ ସ୍ଥାନରେ ଭାଇ ଥିଓ ହର୍ଣ୍ଣାଣ୍ଡେଜ୍‌ ବଳକା ସମୟରେ ଖେଳିଥିଲେ। ତେବେ ପରୀକ୍ଷା ପରେ ଲୁକାସ୍‌ଙ୍କ ଡାହାଣ ଆଣ୍ଠୁ ଲିଗାମେଣ୍ଟରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଥିଲା। ଏଥି‌‌ଯୋଗୁଁ ବିଶ୍ବକପ୍‌ରେ ସେ ଆଉ‌ ଖେଳିପାରିବେନି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରୁପ୍‌ ଡି’ରେ ଫ୍ରାନ୍ସ ୩ ପଏଣ୍ଟ ସହ ଶୀର୍ଷରେ ରହିଥିଲା ବେଳେ ପରବର୍ତ୍ତୀ ମ୍ୟାଚ୍‌ ଡେନମାର୍କ ବିପକ୍ଷରେ ୨୬ ତାରିଖରେ ଖେଳିବ।

ଅନ୍ୟପକ୍ଷରେ ଆର୍ଜେଣ୍ଟିନା ବିପକ୍ଷରେ ସାଉଦି ଆରବ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ହେଁ ଡିଫେଣ୍ଡର ୟାସିର ଅଲ୍‌ ଶେହରାନିଙ୍କ ରୂପରେ ଦଳ ବଡ଼ କ୍ଷତି ସହିବାକୁ ଯାଉଛି। ଏହି ମ୍ୟାଚ୍‌ ବେଳେ ଗୋଲ୍‌ରକ୍ଷକ ମହମ୍ମଦ ଅଲ୍‌ ଓୱାସିସ୍‌ଙ୍କ ସହିତ ଜୋର୍‌ରେ ଧକ୍କା ହେବାରୁ ଗୁରୁତର ଆହତ ହୋଇଥିଲେ ୟା‌ସିର। ତାଙ୍କୁ ଷ୍ଟ୍ରେଚର୍‌ରେ ବାହାରକୁ ନିଆଯାଇଥିଲା। ରିୟାଧର ନ୍ୟାସନାଲ୍‌ ଗାର୍ଡ ହସ୍‌ପିଟାଲ୍‌ରେ ତାଙ୍କର ସ୍କାନିଂ କରାଯିବା ପରେ ମୁହଁରେ ସର୍ଜରି କରାଯିବ ବୋଲି ସାଉଦି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଦଳର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରେ ସେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର