ଭାରତକୁ ଝଟ୍‌କା: ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିଲେ ନୀରଜ

ନୂଆଦିଲ୍ଲୀ: ଆଗାମୀ ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବାକୁ ଯାଉଥିବାର ମାତ୍ର ଦୁଇ ଦିନ ପୂର୍ବରୁ ଭାରତକୁ ଶକ୍ତ ଝଟ୍‌କା ଲାଗିଛି। ଭାରତ ପାଇଁ ପଦକ ଜିତିବାର ଦୃଢ଼ ଦାବିଦାର ଥିଲେ ଜାଭ୍‌ଲିନ ତାରକା ନୀରଜ ଚୋପ୍ରା। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ମଧ୍ୟ ଆମେରିକାର ଇଉଜେନିଠାରେ ନିକଟରେ ଶେଷ ହୋଇଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ରୌପ୍ୟ ଜିତି ଦେଶ ପାଇଁ ଆଉ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ତେଣୁ ବର୍ମିଂହାମ୍‌ରେ ପୁରୁଷ ଜାଭ୍‌ଲିନ୍‌ ପଦକ ବଜାୟ ରଖିବା ଲକ୍ଷ୍ୟରେ ରହିଥିଲେ। ହେଲେ ବିଶ୍ବ ପ୍ରତିଯୋଗିତାରେ ତାଙ୍କର ସେହି ଐତିହାସିକ ସଫଳତା ଅବସରରେ ଆହତ ହୋଇଥିଲେ ନୀରଜ।

ଫଳରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା‌ରୁ ଓହରିଯାଇଛନ୍ତି। ମଙ୍ଗଳବାର ଏଭଳି ଝଟ୍‌କା ଖବର ଭାରତକୁ ମିଳିଛି। ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ମହାସଚିବ ରାଜୀବ ମେହଟା ଏହି ସୂଚନା ଦେବା ସାଙ୍ଗକୁ ନୀରଜଙ୍କ ଏମ୍‌ଆର୍‌ଆଇ ସ୍କାନ୍‌ ସୋମବାର ଆମେରିକାରେ ହୋଇଥିଲା ଏବଂ ତାଙ୍କୁ ଗୋଟିଏ ମାସ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିବା କହିଛନ୍ତି। ନୀରଜ ଆଜି ଆମେରିକାରୁ ମୋତେ ଫୋନ୍‌ କରି ଫିଟ୍‌ନେସ୍‌ କାରଣରୁ ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ବୋଲି ଅବଗତ କରାଇଥିବା ମେହଟା କହିଥିଲେ। ତେଣୁ ଗ୍ରେନେଡାର ବିଶ୍ବ ବିଜେତା ଆଣ୍ଡରସନ୍‌ ପିଟରର୍ସଙ୍କ ସହ ତାଙ୍କର ବହୁ ପ୍ରତୀକ୍ଷିତ ମୁକାବିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଖିବାକୁ ମିଳିବନି। ତଥାପି ନୀରଜ ଆହତ ସମସ୍ୟାରୁ ମୁକୁଳିବା ପାଇଁ ସମସ୍ତ ସହାୟତା ଯୋଗାଇଦେବାକୁ ଆମେ ତାଙ୍କ ସଂପର୍କରେ ରହିଛୁ ବୋଲି କହିଛନ୍ତି ସର୍ବଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ) ସଭାପତି ଆଦିଲ ସୁମରିୱାଲା। ନୀରଜ ବର୍ମିଂହାମ୍‌ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟନୀ ସମାରୋହରେ ଭାରତୀୟ ଦଳ ପକ୍ଷରୁ ତ୍ରିରଙ୍ଗା ଧାରଣ କରିଥା’ନ୍ତେ। ହେଲେ ତାଙ୍କ ଆହତ ସବୁକିଛି ବଦଳାଇଦେଲା। ତେବେ ଆଜି ଆମେ ବୈଠକରେ ଏକାଠି ହୋଇ ନୂଆ ତ୍ରିରଙ୍ଗା ଧାରକଙ୍କୁ ନେଇ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ଭାରତୀୟ ଦଳର ଚିଫ୍‌ ଡି ମିସନ ରାଜେଶ ଭଣ୍ଡାରି।

ସମ୍ବନ୍ଧିତ ଖବର