ହାଇଦ୍ରାବାଦ ଓ ଦିଲ୍ଲୀକୁ ଝଟ୍‌କା: ବାଦ୍‌ ପଡ଼ିଲେ ଭୁବି, ଅମିତ

ଦୁବାଇ: ଆହତ ‌ ସନ୍‌ରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଲେଗ୍‌ ସ୍ପିନର ଅମିତ ମିଶ୍ରା ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌‌ ବେଳେ ଭୁବି ଏବଂ ଶନିବାର କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ଅବସରରେ ଅମିତ ଆହତ ହୋଇଥି‌ଲେ। ଭୁବି ମ୍ୟାଚ୍‌ର ୧୯ତମ ଓଭରର ପ୍ରଥମ ବଲ୍‌ ପକାଇଲା ବେଳେ ତାଙ୍କ ଜଙ୍ଘ ମାଂସପେସୀ ଟାଣି ହୋଇଯାଇଥିଲା। ସେ ସେହି ଗୋଟିଏ ବଲ୍‌ ପକାଇ ପଡ଼ିଆ ଛାଡ଼ିଥିଲେ। ତାଙ୍କର ଆଘାତ ସମସ୍ୟା ଗୁରୁତର ଥିବାରୁ ମୁକୁଳିବା ଲାଗି ଅନ୍ୟୁନ ୬ରୁ ୮ ସପ୍ତାହ ଲାଗିବ। ଫଳରେ ଅବଶି‌ଷ୍ଟ ଆଇପିଏଲ୍‌ରୁ ସେ ବାଦ୍‌ ପଡ଼ିଥିଲା ବେଳେ ଚଳିତ ବର୍ଷ ଶେଷ ଭାଗରେ ଭାରତର ଅଷ୍ଟ୍ରେଲିଆ ଗସ୍ତରୁ ମଧ୍ୟ ବାଦ୍‌ ପଡ଼ିବାର ଆଶଙ୍କା ଦେଖାଦେଇଛି।

ଅନ୍ୟପକ୍ଷରେ କେକେଆର୍‌ ବିପକ୍ଷ ମ୍ୟାଚ୍‌ରେ ଏକ ପାଲଟା କ୍ୟାଚ୍‌ ଧରିବାକୁ ଯାଇ ୩୭ ବର୍ଷୀୟ ଅମିତଙ୍କ ପରି ଆଙ୍ଗୁଠିରେ ଆଘାତ ଲାଗିଥିଲା। ଯନ୍ତ୍ରଣା ସ‌ତ୍ବେ ସେ ଭଲ ବୋଲିଂ କରିବା ସହ ଶୁବମନ ଗିଲ୍‌ଙ୍କ ୱିକେଟ୍‌ ଅକ୍ତିଆର କରିଥିଲେ। ତେବେ ପରୀକ୍ଷା ପରେ ସେ ଖେଳିବା ବିପଜ୍ଜନକ ବୋଲି ଜଣାପଡ଼ିଥିଲା। ଏହି ସମସ୍ୟାରୁ ମୁକୁଳିବା ଲାଗି ଅମିତଙ୍କୁ କିଛି ଦିନ ଲାଗିବ। ସେଥିପାଇଁ ସେ ୟୁଏଇରୁ ଭାରତ ଫେରି ଆସିବେ। ସୂଚନାଯୋଗ୍ୟ ଯେ ଭୁବନେଶ୍ବର ଚଳିତ ଆଇପିଏଲ୍‌ରେ ୪ ମ୍ୟାଚ୍ ଖେଳି ୩ ୱିକେଟ୍ କରାୟତ କରିଥିଲେ। ଅନ୍ୟପକ୍ଷରେ ମିଶ୍ରା ୩ ମ୍ୟାଚ୍‌ରୁ ୩ ୱିକେଟ୍ ଅକ୍ତିଆର କରିଥିଲେ। ଉଭୟ ନିଜ ନିଜ ବୋଲିଂ ବାହିନୀର ପ୍ରମୁଖ ଅସ୍ତ୍ର ଥି‌ଲେ।

ସମ୍ବନ୍ଧିତ ଖବର