ଭାରତକୁ ଝଟ୍‌କା: ଧାୱନ, ଗାଏକ୍ବାଡ୍, ଶ୍ରେୟସ୍‌ କୋଭିଡ୍ ପଜିଟିଭ୍

ଅହମଦାବାଦରେ ପହଞ୍ଚିଲା ୱେଷ୍ଟଇଣ୍ଡିଜ୍

ଅହମଦାବାଦ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାର ମାତ୍ର ୪ ଦିନ ପୂର୍ବରୁ ଭାରତୀୟ କ୍ରି‌କେଟ୍ ଦଳକୁ ଶକ୍ତ ଝଟ୍‌କା ଲାଗିଛି। ଦଳର ତିନି ଜଣ ଖେଳାଳି ଓପ୍‌ନର ଶିଖର ଧାୱନ, ଯୁବତାରକା ଋତୁରାଜ ଗାଏକ୍ବାଡ୍ ଏବଂ ମଧ୍ୟକ୍ରମ ବ୍ୟାଟର୍‌ ଶ୍ରେୟସ୍ ଆୟର କୋଭିଡ୍ ପଜିଟିଭ୍ ଥିବା ଏଠାରେ ପହଞ୍ଚିବା ପରେ ଜଣାପଡ଼ିଛି। କିଛି ଖେଳାଳିଙ୍କ ସହ ଏକାଧିକ ସହକାରୀ କର୍ମଚାରୀ ସଦସ୍ୟ ମଧ୍ୟ କୋଭିଡ୍ ପଜିଟିଭ୍ ଥିବା ବିସିସିଆଇ କୋଷାଧକ୍ଷ ଅରୁଣ ଧୂମଲ ସ୍ବୀକାର କରିଛନ୍ତି। ଭଲ କଥା ହେଲା ଏମାନେ କେହି ପ୍ରଶିକ୍ଷକ ମଣ୍ଡଳିର ସଦସ୍ୟ ନୁହନ୍ତି। ସମସ୍ତେ ସଂପ୍ରତି ସଙ୍ଗରୋଧରେ ଥିବା ସୂଚନା ଦେଇଛନ୍ତି ଧୂମଲ। ତେବେ ୬ ତାରିଖରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ସହ ପୂରା ଶୃଙ୍ଖଳାରେ ସଂକ୍ରମିତ ଖେଳାଳିମାନେ ଖେଳି ପାରିବେ କି ନାହିଁ ସେ ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ସେ। ସୂଚନାଯୋଗ୍ୟ ଯେ ଏହି ଶୃଙ୍ଖଳା ଲାଗି ଭାରତୀୟ ଦଳ ଗତ ସୋମବାର ଅହମଦାବାଦରେ ପହଞ୍ଚିଥିଲା। ଏହାପରେ ସମସ୍ତଙ୍କର କୋଭିଡ୍ ପରୀକ୍ଷା‌ କରାଯାଇଥିଲା। ଏଥିରେ ଧାୱନ, ଗାଏକ୍ବାଡ୍ ଓ ଆୟରଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ମାମଲାର ଗୁରୁତ୍ବକୁ ବୁଝି ବିସିସିଆଇ ସଂପ୍ରତି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଆବଶ୍ୟକ ହେଲେ ଖୁବଶୀଘ୍ର ଏମାନଙ୍କ ବଦଳ ଖେଳାଳି ଘୋଷଣା କରିବାକୁ ପ୍ରସ୍ତୁତ ହେଉଛି। ଅହମଦାବାଦଠାରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ଭାରତର ୧୦୦୦ତମ ଦିନିକିଆ ହେବ। ଏଭଳି ମାଇଲଖୁଣ୍ଟ ମ୍ୟାଚ୍‌ରେ ଖେଳି ନପାରିବା ଧାୱନ, ଆୟରଙ୍କ ସହ ଗାଏକ୍ବାଡଙ୍କ ପାଇଁ ମଧ୍ୟ ନୈରାଶ୍ୟଜନକ କଥା ହେବ। ବିସିସିଆଇ ସୂତ୍ର ଅନୁସାରେ ଶୃଙ୍ଖଳା ପାଇଁ ଷ୍ଟାଣ୍ଡବାଏ ଥିବା ଶାହାରୁଖ ଖାନ୍, ଆର ସାଇକିଶୋର ଏବଂ ରିଶି ଧାୱନ ଭାରତୀୟ ଦଳକୁ ଡାକରା ପାଇ ପାରନ୍ତି।

ଅହମଦାବାଦରେ ପହଞ୍ଚିଲା ୱେଷ୍ଟଇଣ୍ଡିଜ୍
ଭାରତ ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଲାଗି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ବୁଧବାର ଅହମଦାବାଦରେ ପହଞ୍ଚିଛି। ୱେଷ୍ଟଇଣ୍ଡିଜ୍ କ୍ରି‌କେଟ୍ ବୋର୍ଡ ଟ୍ବିଟ୍ କରି ଏହି ସୂଚନା ଦେଇଛି। ‘‘ବାର୍ବା‌ଡସ୍‌ରୁ ଦୁଇ ଦିନର ଲମ୍ବା ଯାତ୍ରା ପରେ ଆମ ଦଳ ଶେଷରେ ଭାରତ ପହଞ୍ଚିଛି’’‌ ବୋଲି ଟ୍ବିଟ୍ କରିଛି। ସୂଚନାଯୋଗ୍ୟ ଯେ ଆଗାମୀ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍ ଘରୋଇ ଭାରତ ବିପକ୍ଷରେ ତିନିଟି ଲେଖାଏଁ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବ। ଦିନିକିଆର ସମସ୍ତ ମ୍ୟାଚ୍ ଅହମଦାବାଦ ଏବଂ ଟ୍ବେଣ୍ଟି-୨୦ ଶୃଙ୍ଖଳାର ସବୁ ମୁକାବିଲା କୋଲକାତାରେ ଖେଳାଯିବ। ଅହମଦାବାଦ ପର୍ଯ୍ୟାୟ ବିନା ଦର୍ଶକରେ ଖେଳାଯିବ। ଅନ୍ୟପକ୍ଷରେ କୋଲକାତା ମ୍ୟାଚ୍‌ଗୁଡ଼ିକ ଲାଗି ପଶ୍ଚିମବଙ୍ଗ ସରକାର ୭୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଦିନିକିଆ ମ୍ୟାଚ୍‌ଗୁଡ଼ିକ ଫେବ୍ରୁଆରି ୬,୯ ଓ ୧୧ ତାରିଖରେ ଖେଳାଯିବ। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ମ୍ୟାଚ୍‌ଗୁଡ଼ିକ ଫେବ୍ରୁଆରି ୧୬, ୧୮ ଓ ୨୦ ତାରିଖରେ ଆୟୋଜିତ ହେବ।

ସମ୍ବନ୍ଧିତ ଖବର