ନୂଆଦିଲ୍ଲୀ: ‘‘ପିଲାଦିନେ ମୁଁ ନିୟମିତ ଭାବେ ଯୌନ ଶୋ‌ଷଣର ଶିକାର ହୋଇଥିଲି। ପଢ଼ାଇବା ନାଁରେ ଟିଉସନ୍ ସାର୍ ମୋତେ ଅଜବ ଅଜବ ସମୟରେ ତାଙ୍କ ଘରକୁ ଡାକୁଥିଲେ। ପାଠ ତ ପଢ଼ାଉ ନଥିଲେ ବରଂ ମୋ ସରଳତାର ସୁଯୋଗ ନେଇ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରୁଥିଲେ। ‌ସେତେବେଳେ ମୋତେ ବହୁତ ଖରାପ ଲାଗୁଥିଲା। ଏପରିକି ଟିଉସନ୍ ଯିବାକୁ ଭୀଷଣ ଡର ଲାଗୁଥିଲା। କିନ୍ତୁ କେଜାଣି କାହିଁକି ସେତେବେଳେ ମୁଁ ନିଜକୁ ନିଜେ ଦୋଷୀ ବୋଲି ଭାବୁଥିଲି। ଏଣୁ ପରିବାର ଲୋକ ଓ ମା’ଙ୍କୁ ଏହି ବିଷୟ‌ରେ କିଛି କହିପାରି ନଥିଲି’’ ଏକମାତ୍ର ଭାରତୀୟ ମହିଳା ଭାବେ କୁସ୍ତିରୁ ଅଲିମ୍ପିକ୍ସ ପଦକ ଜିତିଥିବା ଚର୍ଚ୍ଚିତ ପହିଲମାନ ସାକ୍ଷୀ ମଲ୍ଲିକ ଖୁବ୍‌ଶୀଘ୍ର ବଜାରକୁ ଆସିବାକୁ ଯାଉଥିବା ତାଙ୍କ ଆତ୍ମଜୀବନୀ ‘ୱିଟନେସ୍’ରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ପୁସ୍ତକଟି ବହି ଦୋକାନରେ ବିକ୍ରି ହେବା ପୂର୍ବରୁ ଏଥିରେ ନିଜ ଜୀବନର ଅନେକ ଅକୁହା କଥାର ବିସ୍ତୃତ ବିବରଣୀକୁ ସାକ୍ଷାତକାରରେ କହିଛନ୍ତି ସାକ୍ଷୀ। ଖେଳ ଜୀବନର ସଂଘର୍ଷ, ଅଲିମ୍ପିକ୍ସ ଯାତ୍ରା, ବିବାହ, ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣସିଂହଙ୍କ ବିରୋଧରେ ବିକ୍ଷୋଭ ଓ ତାଙ୍କ ଅବସର ନେଇ ପାଠକ ଏହି ପୁସ୍ତକରୁ ବହୁ ରୋଚକ ତଥ୍ୟ ଜାଣିପାରିବେ ବୋଲି ସୂଚନା ଦେଇଛନ୍ତି ସେ। 

Advertisment

ପିଲାଦିନ ନାଁ ସୋଫିଆ
ସାକ୍ଷୀ ନିଜ ପିଲାବେଳ କଥା ମନେ ପକାଇ ଏହି ପୁସ୍ତକରେ ଲେଖିଛନ୍ତି ଯେ ଛୋଟ ଥିଲା ବେଳେ ମୋ ନାଁ ପରିବାର ଲୋକ ସୋଫିଆ ରଖିଥିଲେ। ୫ବର୍ଷ ଯାଏ ମୁଁ ଏହି ନାଁରେ ପରିଚିତ ଥିଲି। ଦିନେ ହଠାତ୍ ମୋ ବଡ଼ ଭାଇ କହିଥିଲେ ତୋ ନାଁ ସୋଫିଆ ନୁହେଁ ସାକ୍ଷୀ। ସେବେଠାରୁ ମୋ ନାଁ ସାକ୍ଷୀ ରହିଥିଲା। ଛୋଟ ଥିଲା ବେଳେ କୁସ୍ତି ଆଖଡ଼ାକୁ ଯିବାବେଳେ ମୋତେ ବହୁତ ଡର ଲାଗୁଥିଲା। ପ୍ରଶିକ୍ଷକ ଶିଖାଉଥିବା କୁସ୍ତିର ମୌଳିକ କଳା କୌଶଳ ଶିଖିବା ‌ମୋ ପାଇଁ ସହଜ ନଥିଲା। ହେଲେ ମୁଁ ହାର୍ ମାନି ନଥିଲି। ଲଢ଼ିବା ଜାରି ରଖିଥିଲି। ଶେଷରେ ଅଲିମ୍ପିକ୍ସ ପଦକ ଜିତିବାର ସ୍ବପ୍ନକୁ ସାକାର କରି ରାଜ୍ୟ ଓ ଦେଶ ପାଇଁ ଗର୍ବ, ଗୌରବ ଆଣିଥିଲି।

ବବିତା ରଖିଥିଲେ ବିକ୍ଷୋଭର ମୂଳଦୁଆ
ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ଆମେ କରିଥିବା ବିକ୍ଷୋଭର ମୂଳଦୁଆ ପ୍ରକୃତରେ ବବିତା ଫୋଗଟ ରଖିଥିଲେ। ବିକ୍ଷୋଭର ତିନି-ଚାରି ଦିନ ପୁର୍ବରୁ ଆମ ଭିତରେ ଏକ ଗୁପ୍ତ ବୈଠକ ହୋଇଥିଲା। ସେତେବେଳେ ବବିତା ମୋତେ କହିଥିଲେ, ତୁମେ ଆମ ସହ ଅଛ ତ? ମୁଁ କହିଥିଲି, ତୁମ ସହ ମୁଁ ୧୫-୨୦ ବର୍ଷ ହେବ ଅଛି, ଆଗକୁ ବି ରହିବି। ପରେ ବିକ୍ଷୋଭ ସ୍ଥଳକୁ ଗଲାପରେ ଆମେ ଜାଣିବାକୁ ପାଇଥିଲୁ ଯେ ବବିତା ଓ ତିରଣ ରାଣା ଏଥିଲାଗି ପୁଲିସଠାରୁ ଅନୁମତି ନେଇଛନ୍ତି। ମୁଁ ଖୁସି ଥିଲି ଯେ ଶେଷରେ କେହି ତ ବ୍ରିଜଭୂଷଣଙ୍କ  ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାହସ ଦେଖାଇଛନ୍ତି। ବଡ଼ କଥା ହେଲା ବିକ୍ଷୋଭ ଦିନକ ଭିତରେ ଶେଷ ହୋଇଯିବ ବୋଲି ମୁଁ ଭାବିଥିଲି। ଏହା ମାସାଧିକ କାଳ ଚାଲିବ ବୋଲି ସ୍ବପ୍ନରେ ଭାବି ନଥିଲି। ବବିତା ଜଣେ ବିଜେପି ନେତ୍ରୀ ‌ହୋଇଥିବାରୁ ପରେ ବ୍ୟକ୍ତିଗତ ଲାଭ ପାଇଁ ବିକ୍ଷୋଭରୁ ଓହରି ଯାଇଥିଲେ ବୋଲି ସାକ୍ଷୀ ଲେଖିଛନ୍ତି। 

ଭିନେଶ ଓ ବଜରଙ୍ଗ ବ୍ୟକ୍ତିଗତ ଲାଭ କ୍ଷତି ଦେଖିଥିଲେ
ବିକ୍ଷୋଭର କିଛି ଦିନ ପରେ ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ କିଛି ଲୋକଙ୍କ କଥାରେ ଭାସି ଯାଇଥି‌ଲେ। ଭାରତୀୟ କୁସ୍ତିର ହିତ ପରିବର୍ତ୍ତେ, ବ୍ୟକ୍ତିଗତ ଲାଭ-କ୍ଷତିର ହିସାବ ଅଧିକ ରଖିଥିଲେ। ସେମାନେ ଅଲିମ୍ପିକ୍ସ ଚୟନ ଶିବିରରୁ ରିହାତି ପାଇବା କଥା ଉଠାଇଥିଲେ। ଏହା ଆମ ବିକ୍ଷୋଭର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଥିଲା। ଅନେକ ସମର୍ଥକ ଆମର ଅସଲ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ। ରାଜନୈତିକ ବର୍ଗ ଆମକୁ ପୂରା ନିରାଶ କରିଥିଲା। କେହି ଆମକୁ ସମର୍ଥନ କରି ନଥିଲେ ବୋଲି ସାମ୍ବା‌ଦିକ ଜୋନାଥନ ସେଲଭରାଜଙ୍କ ସହ ମିଶି ଲେଖାଯାଇଥିବା ‘ୱିଟନେସ୍’ ପୁସ୍ତକରେ ଏହା କହିଛନ୍ତି। 

ବିବାହ ପାଇଁ ଲଢ଼ିଥିଲି
ସାକ୍ଷୀ ନିଜ ଆତ୍ମଜୀବନୀରେ ସତ୍ୟବ୍ରତ କାଡ଼ିଆନଙ୍କ ସହ ପ୍ରେମ ବିବାହକୁ ତାଙ୍କ ପରିବାର କେମିତି ପ୍ରଥମେ ସ୍ବୀକୃତି ଦେଇ ପରେ ବିରୋଧ କରିଥିଲେ, ସେ ବିଷୟ ନିଖୁଣ ଭାବେ ବର୍ଣ୍ଣନା କରିଥିବା କହିଛନ୍ତି। ୨୦୧୫ ମସିହାରେ ମୋ ପରିବାର ସତ୍ୟବ୍ରତଙ୍କୁ ଜ୍ବାଇଁ ଭାବେ ଗ୍ରହଣ କରି ନେଇଥିଲେ। ସେତେବେଳେ ସେ ମୋଠାରୁ ଅଧିକ ସଫଳତା ପାଇଥିଲେ। ସେଥିପାଇଁ ୨୦୧୬ ରିଓ ଅଲିମ୍ପିକ୍ସ ପରେ ମୋର ବିବାହ କରିଦେବାକୁ ମୁଁ ପରିବାର ବର୍ଗଙ୍କୁ କହିଥିଲି। ହେଲେ ରିଓ ଅଲିମ୍ପିକ୍ସରେ ମୁଁ ପଦକ ଜିତିବା ପରେ ମୋ ପରିବାରବର୍ଗଙ୍କ ମତ ହଠାତ୍ ବଦଳି ଯାଇଥିଲା। ସେମାନେ ମୋତେ ଖେଳ ଜାରି ରଖିବାକୁ କହିବା ସହ ସତ୍ୟବ୍ରତଙ୍କୁ ଭୁଲି ଯିବାକୁ ଚାପ ପକାଇଥିଲେ। ହେଲେ ମୁଁ ମୋ ଜିଦ୍‌ରେ ଅଟଳ ରହିଥିଲି। ମା’ଙ୍କୁ କହିଥିଲି ମୁଁ ଦେଇଥିବା କଥାରୁ କେବେବି ଓହରି ଯାଇପାରିବି ନାହିଁ। ବହୁ ବାଦ ବିବାଦ ପରେ ଶେଷରେ ସେମାନେ ରାଜି ହୋଇଥିଲେ ଏବଂ ମୋ ବାହାଘର ହୋଇଥିଲା। 

ଅଲିମ୍ପିକ୍ସରେ ୧୦୦ ଗ୍ରାମ୍‌ ନୁହେଁ, ୧୦ ଗ୍ରାମ୍‌ର ବି ମହତ୍ତ୍ବ ଥାଏ
ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ପାଇଁ ପ୍ୟାରିସ୍‌ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ‌ହୋଇଥିବା ଭିନେଶ ଫୋଗଟଙ୍କୁ ନେଇ ମତ ରଖିବାକୁ ଯାଇ ସାକ୍ଷୀ ଲେଖିଛନ୍ତି, ଭିନେଶ ସ୍ବର୍ଣ୍ଣ ପଦକର ପ୍ରମୁଖ ଦାବିଦାର ଥିଲେ। ହେଲେ ଅଲିମ୍ପିକ୍ସରେ ୧୦୦ ଗ୍ରାମ ନୁହେଁ, ୧୦ ଗ୍ରାମର ବି ଢେର ମହତ୍ତ୍ବ ଥାଏ। ଏଣୁ ଶରୀର ଓଜନ ବଢ଼ିବା ପାଇଁ ଭିନେଶ ଦାୟୀ। ସୂଚନାଯୋଗ୍ୟ ଯେ ପ୍ୟାରିସ୍‌ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ପରେ ଭିନେଶ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ୍ ଟିକେଟରୁ ଲଢ଼ି ବିଜୟୀ ହୋଇଛନ୍ତି।