ବକୁ: ପୂର୍ବତନ କନିଷ୍ଠ ବିଶ୍ବକପ୍‌ ବିଜେତା ହୃଦୟ ହଜାରିକା ଏବଂ ହରିୟାଣାର ନାନ୍‌ସି ବରିଷ୍ଠ ସୁଟିଂ ବିଶ୍ବକପ୍‌ରେ ନିଜ ନିଜର ପ୍ରଥମ ପଦକ ଜିତିଛନ୍ତି। ବକୁରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ବ ସୁଟିଂ ପ୍ରତିଯୋଗିତାରେ ଶୁକ୍ରବାର ୧୦ ମିଟର ଏୟାର ରାଇଫଲ୍‌ ପୁରୁଷ ବର୍ଗରେ ହୃଦୟ ଏବଂ ମହିଳାରେ ନାନ୍‌ସି ରୌପ୍ୟ ପଦକ ଜିତିଥିଲେ। ଫାଇନାଲ୍‌ରେ ହୃଦୟ ୨୫୧.୯-୨୫୨.୪ରେ ହଙ୍ଗେରିର ଜଲାନ ପେକଲରଙ୍କଠୁ ଏବଂ ନାନ୍‌ସି ୨୫୩.୩-୨୫୪.୦ରେ ଚୀନ୍‌ର ହାଙ୍ଗ୍‌ ଜିୟାୟୁଙ୍କଠୁ ପରାସ୍ତ ହୋଇଥିଲେ।

୨୯ ବର୍ଷର କୀର୍ତ୍ତିମାନ ଭାଙ୍ଗିଲେ ରିଦିମ

Advertisment

ଭାରତୀୟ ସୁଟର ରିଦିମ ସାଙ୍ଗୱାନ ଶନିବାର ଚଳିତ ବିଶ୍ବକପ୍‌ରେ ୨୯ ବର୍ଷର କୀର୍ତ୍ତିମାନ ଭାଙ୍ଗିଛନ୍ତି। ସେ ‌୨୫ ମିଟର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ୫୯୫ ପଏଣ୍ଟ ସହ ବୁଲଗେରିଆର ଡାଏନା ଲୋରଗୋଭା (୧୯୯୪ ମସିହା, ମିଲାନ)ଙ୍କ ନା‌ମରେ ଥିବା କୀର୍ତ୍ତିମାନକୁ ଭାଙ୍ଗିଥିଲେ। ଏଥିସହ ସେ ଟେବୁଲର ଶୀର୍ଷରେ ରହି ଫାଇନାଲ୍‌ରେ ପହଞ୍ଚିଥିଲେ। ହେଲେ ୮ ଜଣିଆ ଫାଇନାଲ୍‌ରେ ପ୍ରଥମ ସୁଟର୍‌ ଭ‌ାବେ ସେ ବିଦାୟ ନେଇ ପଦକରୁ ବଞ୍ଚିତ ହୋଇଥିଲେ। ପୂର୍ବରୁ ମଧ୍ୟ ରିଦିମ କନିଷ୍ଠ ବିଶ୍ବକପ୍‌ରେ ୩୪ ବର୍ଷର କୀର୍ତ୍ତିମାନ ଭାଙ୍ଗିଥିଲେ। ଜାଗ୍ରେବ ୟୁରୋପୀୟ ଚାମ୍ପିଅନ୍‌ସିପ୍‌ରେ ରୁଷିଆର ନିନୋ ସାଲୁକ୍‌ଭାଜେ (୫୯୩)ଙ୍କ ନାମରେ କୀର୍ତ୍ତିମାନ ରହିଥିଲା।

ତେବେ ରଦିମ ପଦକ ନ ପାଇବାରୁ ଚଳିତ ପ୍ରତିଯୋଗିତାରେ ପ୍ରଥମ ଥର ଭାରତ ଗୋଟିଏ ଦିନ (ଶନିବାର) ପଦକ ଶୂନ୍ୟ ରହିଛି। ରିଦିମଙ୍କ ସାଥୀ ଈଶା ସିଂହ (୫୮୨) ଏବଂ ମନୁ ଭାକର (୫୭୮) ଯଥାକ୍ରମେ ୧୩ ଓ ୨୭ତମ ସ୍ଥାନରେ ପଦକ ଦୌଡ଼ରୁ ବାଦ୍‌ ପଡ଼ିଥିଲେ। ସେହିପରି ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନରେ ୩ ଭାରତୀୟ ଭାଗନେଇଥିଲେ ମଧ୍ୟ ଶୀର୍ଷ ୮ରେ ରହିପାରିନଥିଲେ। ଐଶ୍ବର୍ଯ୍ୟ ପ୍ରତାପ ସିଂହ (୫୮୬), ଅଖିଳ ‌ସିଓରାନ (୫୮୫) ଓ ସ୍ବପ୍ନିଲ କୁସାଲେ (୫୮୩) ଯଥାକ୍ରମେ ଦଶମ, ତ୍ରୟୋଦଶ ଓ ୨୨ତମ ସ୍ଥାନରେ ରହି ପଦକ ଦୌଡ଼ରେ ସାମିଲ ହୋଇପାରିନଥିଲେ।