ବନ୍ଧୁକଚାଳନା କନିଷ୍ଠ ବିଶ୍ୱକପ୍‌ରେ ମନୁଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ ଅଷ୍ଟ୍ରେଲିଆର ସିଡ୍‌ନିରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ କନିଷ୍ଠ ବିଶ୍ୱକପ୍‌ରେ ମନୁ ଭାକେର ଭାରତ ପାଇଁ ବ୍ୟକ୍ତିଗତ ବର୍ଗରେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ରେ ଥାଇଲାଣ୍ଡ୍‌ର କନ୍ୟାକୋର୍ନ ହିରୁନ୍‌ଫୋମ୍‌ଙ୍କୁ ପରାସ୍ତ କରି ୧୬ ବର୍ଷ ବୟସ୍କା ମନୁ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି। ମନୁ ୨୩୫.୯ ସ୍କୋର୍‌ କରି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା ବେଳେ କନ୍ୟାକୋର୍ନ ୨୩୪.୯ ସ୍କୋର୍‌ ସହ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଏହି ବର୍ଗରେ ଚୀନ୍‌ର ଲୁ କାଇମାନ୍‌ କାଂସ୍ୟ ପଦକ ପାଇଥିଲେ। ଏଥି ସହିତ ସିଡ୍‌ନିରେ କାଇମାନ୍‌ ନିଜ ଦେଶ ପାଇଁ ବ୍ୟକ୍ତିଗତ ବର୍ଗରେ ସପ୍ତମ ପଦକ ଜିତିଥିଲେ। ତେବେ ଭାକେର୍‌ଙ୍କ ଦଳୀୟ ସାଥୀ ଦେବାଂଶୀ ରାଣା ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ବିଶ୍ୱକପ୍‌ ପଦର୍ପଣ କରିଥିବା ୧୮ ବର୍ଷ ବୟସ୍କା ଦେବାଂଶୀ ୧୯୫.୩ ପଏଣ୍ଟ୍‌ ସହ ଚତୁର୍ଥ ସ୍ଥାନରେ ରହିଥିଲେ। ଚଳିତ ମାସରେ ଗୁଆଡାଲାଜାରାଠାରେ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ମଧ୍ୟ ମନୁ ବ୍ୟକ୍ତିଗତ ବର୍ଗ ସାଙ୍ଗକୁ ମିଶ୍ରିତ ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ମନୁ, ରାଣା ଓ ମହିମା ତୁର୍‌ହି ଦଳଗତ ବର୍ଗରେ ସ୍ୱର୍ଣ୍ଣ ଜିତି ଭାରତକୁ ଶୀର୍ଷରେ ରଖିଥିଲେ। ଅନ୍ୟପକ୍ଷରେ ୧୦ ମିଟର ଏୟାର ପିସ୍ତଲ ପୁରୁଷ ବର୍ଗରେ ଗୌରବ ରାଣା ଏବଂ ଅନ୍‌ମୋଲ୍‌ ଜୈନ୍‌ ମଧ୍ୟ ଭାରତକୁ ନିରାଶ କରିନାହାନ୍ତି। ମହିଳାରେ ମନୁ ସ୍ୱର୍ଣ୍ଣ ଜିତିଥିଲା ବେଳେ ପୁରୁଷରେ ଗୌରବ ରୌପ୍ୟ ଏବଂ ଅନ୍‌ମୋଲ୍‌ କାଂସ୍ୟ ପଦକ ହାସଲ କରିଛନ୍ତି। ତେବେ ଅନ୍ୟ ତିନି ଭାରତୀୟ ଅର୍ଜୁନ ସିଂହ ଚିମା (୧୫୨.୭), ଅନ୍‌ହାଦ୍‌ ଜଓ୍ଵାଣ୍ଡା (୧୩୪.୪) ଓ ଅଭିଷେକ ଆର୍ଯ୍ୟ (୧୧୪.୫) ଯଥାକ୍ରମେ ଷଷ୍ଠରୁ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ହେଲେ ଚିମା, ରାଣା ଓ ଅନ୍‌ମୋଲ୍‌ ମିଳିତ ଭାବେ ଭାରତକୁ ଦଳଗତ ସ୍ୱର୍ଣ୍ଣ ଭେଟି ଦେଇଥିଲା ବେଳେ ଜଓ୍ଵାଣ୍ଡା, ଆର୍ଯ୍ୟ ଓ ଆଦର୍ଶ ସିଂହ ଏହି ବର୍ଗରେ କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର