ବନ୍ଧୁକ ଚାଳନା କନିଷ୍ଠ ବିଶ୍ୱକପ୍‌: ଇଲାଭେନିଲ୍‌ଙ୍କୁ ସ୍ୱର୍ଣ୍ଣ

ସିଡ୍‌ନି: ଭାରତୀୟ ବନ୍ଧୁକ ଚାଳିକା ଇଲାଭେନିଲ୍‌ ଭାଲାରିଭାନ ଚଳିତ ଆଇଏସ୍‌ଏସ୍‌ଏଫ୍‌ କନିଷ୍ଠ ବିଶ୍ୱକପ୍‌ରେ ବିଶ୍ୱକୀର୍ତିମାନ ସହ ସ୍ୱର୍ଣ୍ଣ ପଦକ କରାୟତ କରିଛନ୍ତି। ଗୁରୁବାର ମହିଳା ୧୦ ମିଟର ଏୟାର ରାଇଫଲ୍‌ ଏକକ ବର୍ଗ ଫାଇନାଲ୍‌ରେ ଇଲାଭେନିଲ୍‌ ୨୪୯.୮ ପଏଣ୍ଟ୍‌ ହାସଲ କରି ସ୍ୱର୍ଣ୍ଣ ପଦକ କବ୍‌ଜା କରିଥିଲେ। ଯୋଗ୍ୟତା ମୁକାବିଲାରେ ସେ ୬୩୧.୪ ପଏଣ୍ଟ୍‌ ପାଇ ନୂଆ ବିଶ୍ୱକୀର୍ତିମାନ ମଧ୍ୟ କରିଥିଲେ। ତାଙ୍କ ପଛକୁ ଚାଇନିଜ୍‌ ତାଇପେର ଲିନ୍‌ ୟିଙ୍ଗ୍‌-ସିନ୍‌ ରୌପ୍ୟ ଏବଂ ଚୀନ୍‌ର ଓ୍ଵାଙ୍ଗ୍‌ ଜେରୁ କାଂସ୍ୟ ପଦକ ପାଇଥିଲେ। ଇଲାଭେନିଲ୍‌ ମଧ୍ୟ ଶ୍ରୀୟା ଅଗ୍ରଓ୍ଵାଲ୍‌ ଏବଂ ଜୀନା ଖିଟ୍ଟାଙ୍କ ସହ ମିଶ୍ରିତ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ଏକକ ବର୍ଗ ଫାଇନାଲ୍‌ରେ ପହଞ୍ଚିଥିବା ଜିନା ଏବଂ ଶ୍ରୀୟା ଯଥାକ୍ରମେ ଷଷ୍ଠ ଏବଂ ସପ୍ତମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ଅନ୍ୟପକ୍ଷରେ ଗତବର୍ଷ ଏସୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଅର୍ଜୁନ ବାବୁତ (୨୨୬.୩) ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ରେ କାଂସ୍ୟ ପଦକ ଜିତିଥିଲେ। ଏହି ବର୍ଗରେ ଚୀନ୍‌ର ୟୁକି ଲିଉ (୨୪୭.୧) ସ୍ୱର୍ଣ୍ଣ ଏବଂ ହଙ୍ଗେରିର ଜଲାନ ପେକଲର୍‌ (୨୪୬) ରୌପ୍ୟ ଜିତିଥିଲେ। ସୂର୍ଯ୍ୟ ପ୍ରତାପ ସିଂହ ଏବଂ ଶାହୁ ତୁଷାର ମାନେ ଯଥାକ୍ରମେ ଷଷ୍ଠ ଓ ସପ୍ତମରେ ରହିଥିଲେ।

ସମ୍ବନ୍ଧିତ ଖବର