ରାଜ୍ୟଗୋଷ୍ଠୀ ବନ୍ଧୁକଚାଳନା ବିବାଦରେ ହସ୍ତକ୍ଷେପ କରିବେ ବ୍ରିଟିସ୍‌ ସରକାର

ଲଣ୍ଡନ : ଆଗାମୀ ୨୦୨୨ ବର୍ମିଙ୍ଗ୍‌ହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବନ୍ଧୁକଚାଳନାକୁ ବାଦ୍‌ ଦିଆଯାଇଥିବା ନେଇ ବିବାଦ ଥମୁନି। ଭାରତ ସମେତ ଦକ୍ଷିଣ ଏସୀୟ ରାଷ୍ଟ୍ରମାନେ ଏନେଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିଯିବାକୁ ଧମକ ଦେଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଗତ ‌ଗୋଲ୍‌ଡକୋଷ୍ଟ ସଂସ୍କରଣରେ ଭାରତ ମୋଟ ୬୬ରୁ ବନ୍ଧୁକଚାଳନାରେ ୧୬ ପଦକ ହାସଲ କରିଥିଲା। ୨୦୨୨ ସଂସ୍କରଣରୁ ଏହି ଶୃଙ୍ଖଳକୁ ବାଦ୍‌ ଦିଆଯାଇଥିବାରୁ ଭାରତ ତା’ ବିରୋଧରେ ଏହା ଏକ ଚକ୍ରାନ୍ତ ବୋଲି ବିବେଚନା କରୁଛି। ତେଣୁ ଭାରତ ବର୍ମିଙ୍ଗ୍‌ହାମ୍‌ ସଂସ୍କରଣରୁ ଓହରିଯିବ ବୋଲି ଧମକ ଦେଇଛି। ଭାରତୀୟ ଅଲମ୍ପିକ୍‌ ସଂଘ (ଆଇଓଏ) ମଧ୍ୟ ଏନେଇ ଖୁବ୍‌ ଶୀଘ୍ର ତା’ର ନିଷ୍ପତ୍ତି ଶୁଣାଇବ। ଏପରିସ୍ଥଳେ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ନଓହରିବାକୁ ଭାରତକୁ ମନାଇବା ପାଇଁ ବ୍ରିଟିସ୍‌ ସରକାର ଅଣ୍ଟା ଭିଡ଼ିଛନ୍ତି। ସରକାରଙ୍କ ହସ୍ତକ୍ଷେପ ଫଳରେ ଏହି ବିବାଦର ସମାଧାନ ସୂତ୍ର ବାହାରିବ ବୋଲି ବ୍ରିଟେନ୍‌ କ୍ରୀଡ଼ା ମନ୍ତ୍ରୀ ନିଗେଲ ଆଦାମ୍‌ସ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବନ୍ଧୁକଚାଳନାର ଭରପୁର ପ୍ରଶଂସକ ରହିଥିବା ମୁଁ ବୁଝିସାରିଛି। ମୁଁ ମଧ୍ୟ ଏହାକୁ ସାମିଲ କରିବାକୁ ରାଜ୍ୟଗୋଷ୍ଠୀ ଫେଡେରେସନ୍‌କୁ ପତ୍ର ଲେଖିଛି। ଯଦି ବନ୍ଧୁକଚାଳନାକୁ ବର୍ମିଙ୍ଗ୍‌ହାମ୍‌ ସଂସ୍କରଣରେ ଆମେ ସାମିଲ କରିନପାରୁ ପ୍ରତିବଦଳରେ ଏକ ରାଜ୍ୟଗୋଷ୍ଠୀ ବନ୍ଧୁକଚାଳନା ପ୍ରତିଯୋଗିତା ଆୟୋଜନ କରିବା ଉପରେ ବିଚାର କରୁଛୁ ବୋଲି ଆଦାମ୍ସ କହିଛନ୍ତି। ସମ୍ଭବ ହେଲେ ସରେଠୁ ୨୦୯ କିମି ଦୂର ବିସ୍‌ଲେଠାରେ ବନ୍ଧୁକଚାଳନା ପ୍ରତିଯୋଗିତା ଆୟୋଜିତ ହୋଇପାରିବ ବୋଲି ରାଜ୍ୟଗୋଷ୍ଠୀ ଫେଡେରେସନ୍‌ ସଭାପତି ଲୁଇସ୍‌ ମାର୍ଟିନ୍‌ କହିଛନ୍ତି। ଏ ସଂପର୍କରେ ଆମେ ଭାରତକୁ ମନାଇବାକୁ ପ୍ରୟାସ କରିବୁ ଏବଂ ସମାଧାନ ସୂତ୍ର ବାହାରିପାରିବ ବୋଲି ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ଗ୍ରେଭେମ୍‌ବର୍ଗ କହିଛନ୍ତି। ଏହା ଏକ ସଂକଟଜନକ ପ୍ରସଙ୍ଗ। ଆମେ ଚାହୁଁ ଭାରତୀୟ ଆଥ୍‌ଲେଟ୍‌ ଅଂଶ ଗ୍ରହଣ କରନ୍ତୁ। ବର୍ମିଙ୍ଗ୍‌ହାମ୍‌ରେ ମଧ୍ୟ ବିପୁଳ ସଂଖ୍ୟକ ଭାରତୀୟ ସଂପ୍ରଦାୟ ରହୁଥିବାରୁ ସେମାନେ ନିଜ ଦେଶର ଆଥ୍‌ଲେଟ୍‌ଙ୍କୁ ଦେଖିବାକୁ ଚାହିଁବେ। ସେହି ଦୃଷ୍ଟିରୁ ଭାରତ ୨୦୨୨ କ୍ରୀଡ଼ାରୁ ନଓହରୁ ବୋଲି ଗ୍ରେଭେମ୍‌ବର୍ଗ କହିଛନ୍ତି।

ସମ୍ବନ୍ଧିତ ଖବର