ବନ୍ଧୁକଚାଳନା ବିଶ୍ବକପ୍‌: ଭାରତ ପୁରୁଷ ଓ ମହିଳା ଦଳକୁ ୧୦ ମିଟର ଏୟାର ପିସ୍ତଲ ସ୍ବର୍ଣ୍ଣ

ଏୟାର ରାଇଫଲ୍‌ରେ ପୁରୁଷ ଦଳକୁ ରୌପ୍ୟ

ନୂଆଦିଲ୍ଲୀ: ଡ. କର୍ଣ୍ଣି ସିଂହ ସୁଟିଂ ‌ରେଞ୍ଜ୍‌ରେ ଚଳିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌ର ରବିବାର ତୃତୀୟ ଦିବସରେ ଆଧିପତ୍ୟ ବିସ୍ତାର କରିଥିବା ଭାରତର ଉଭୟ ପୁରୁଷ ଓ ମହିଳା ୧୦ ମିଟର ଏୟାର ପିସ୍ତଲ ଦଳଗତ ବର୍ଗରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲା ବେଳେ ଏୟାର ରାଇଫଲ୍‌ରେ ପୁରୁଷ ଦଳ ରୌପ୍ୟ ପଦକ ଜିତିଛି। ତେବେ ଏହି ବର୍ଗରେ ମହିଳା ଦଳ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛି। ଏଥିସହିତ ଭାରତର ମୋଟ ପଦକ ସଂଖ୍ୟା ୮କୁ ବଢ଼ିଛି। ସେଥିରେ ୩ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ସାଙ୍ଗକୁ ୨ କାଂସ୍ୟ ସାମିଲ ରହିଛି।

ପ୍ରଥମେ ଯଶସ୍ବିନୀ ସିଂହ ଦେଶୱାଲ, ମନୁ ଭାକେର ଓ ଶ୍ରୀ ନିବେତାଙ୍କୁ ନେଇ ଗଠିତ ମହିଳା ଦଳ ସ୍ବର୍ଣ୍ଣ ପଦକ ମୁକାବିଲାରେ ୧୬ ସଟ୍‌ ସହ ପ୍ରଥମ ସ୍ଥାନରେ ରହିଥିଲା। ଏହି ଦଳ ପୋଲାଣ୍ଡ (ଜୁଲିଟା ବୋରେକ୍‌, ଜୋଆନ୍ନା ଇୱନା ୱାରଜୋନୋୱକ୍ସା ଓ ଅଗ୍ନିସ୍କା କୋରେଜୋ)କୁ ପଛରେ ପକାଇ ଦେଇଥିଲା। ପୋଲାଣ୍ଡ ଦଳ ୮ ପଏଣ୍ଟ୍‌ ହାସଲ କରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା। ଭାରତ ମହିଳା ଦଳ ଦ୍ବିତୀୟ ଯୋଗ୍ୟତା ରାଉଣ୍ଡ୍‌ରେ ୫୭୬ ପଏଣ୍ଟ ସହ ପ୍ରଥମରେ ରହିଥିଲା ବେଳେ ପୋଲାଣ୍ଡ (୫୬୭) ଦ୍ବିତୀୟରେ ରହିଥିଲା। ପ୍ରଥମ ଯୋଗ୍ୟତା ରାଉଣ୍ଡ୍‌ରେ ଭାରତ ୧୭୩୧ ଏବଂ ପୋଲାଣ୍ଡ ୧୭୦୧ ପଏଣ୍ଟ୍‌ ହାସଲ କରିଥିଲା।

ମହିଳାଙ୍କ ପରେ ପୁରୁଷ ଦଳଗତ ବର୍ଗରେ ଭିଏତନାମକୁ ପଛରେ ପକାଇ ଭାରତ ସ୍ବର୍ଣ୍ଣ ପଦକ କବ୍‌ଜା କରିନେଇଥିଲା। ୟୁଥ୍‌ ଅଲିମ୍ପିକ୍ସ ତଥା ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ସୌରଭ ଚୌଧୁରୀ, ଅଭିଷେକ ବର୍ମା ଓ ସାହଜର ରିଜ୍‌ଭିଙ୍କୁ ନେଇ ଗଠିତ ଦଳ ଫାଇନାଲ୍‌ରେ ଭିଏତନାମକୁ ୧୭-୧୧ରେ ପରାସ୍ତ କରିଦେଇଥିଲା। ଭାରତୀୟ ଦଳ ଦୁଇଟିଯାକ ଯୋଗ୍ୟତା ରାଉଣ୍ଡ୍‌ରେ ଯଥାକ୍ରମେ ୧୭୫୦ ଓ ୫୭୯ ପଏଣ୍ଟ୍‌ ହାସଲ କରିଥିଲା ବେଳେ ଭିଏତନାମ ଯଥାକ୍ରମେ ୧୭୦୮ ଓ ୫୬୫ ପଏଣ୍ଟ୍‌ ପାଇଥିଲା।

ଏୟାର ରାଇଫଲ୍‌ରେ ପୁରୁଷ ଦଳକୁ ରୌପ୍ୟ

ଏହି ବିଶ୍ବକପ୍‌ରେ ରବିବାର ଏୟାର ରାଇଫଲ୍‌ ବର୍ଗରେ ଭାରତୀୟ ପୁରୁଷ ଦଳକୁ ରୌପ୍ୟ ପଦକ ମିଳିଛି। ଐଶ୍ବରି ପ୍ରତାପ ସିଂହ ତୋମାର, ଦୀପକ କୁମାର ଓ ପଙ୍କଜ କୁମାରଙ୍କୁ ନେଇ ଗଠିତ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ମୁକାବିଲାରେ ଆମେରିକା ନିକଟରୁ ହାରି ଯାଇଥିଲା। ଭାରତୀୟ ଦଳ ଫାଇନାଲ୍‌ରେ ୧୪ ପଏଣ୍ଟ୍‌ ହାସଲ କରିଥିଲା ବେଳେ ଲୁକାସ କୋଜେନିସ୍କି, ୱିଲିୟମ୍‌ ସାନେର ଓ ତିମୋତି ସେରିଙ୍କୁ ନେଇ ଗଠିତ ଆମେରିକା ଦଳ ୧୬ ପଏଣ୍ଟ୍‌ ସହ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା। ଏହା ପୂର୍ବରୁ ଯୋଗ୍ୟତା ରାଉଣ୍ଡରେ ଭାରତ ଯଥାକ୍ରମେ ୧୮୮୫.୯ ଓ ୬୨୩.୪ ପଏଣ୍ଟ୍‌ ହାସଲ କରିଥିଲା ବେଳେ ଆମେରିକା ୧୮୮୦.୮ ଓ ୬୨୫.୧ ପଏଣ୍ଟ୍‌ ପାଇଥିଲା। ତେବେ ନିଶା କନ୍‌ୱାର, ଶ୍ରୀୟଙ୍କା ଷଡ଼ଙ୍ଗୀ ଓ ଅପୂର୍ବୀ ଚାନ୍ଦିଲାଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ଏୟାର ରାଇଫଲ୍‌ ବର୍ଗରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ରହିଥିଲା। ଭାରତୀୟ ଦଳ ୬୨୩.୭ ପଏଣ୍ଟ୍‌ ପାଇଥିଲା ବେଳେ ୬୨୪.୧ ପଏଣ୍ଟ୍‌ ସହ ପୋଲାଣ୍ଡ କାଂସ୍ୟ ପଦକ ଜିତି ନେଇଥିଲା। ଏହି ବର୍ଗରେ ଆମେରିକା ମହିଳା (୬୨୭.୩) ସ୍ବର୍ଣ୍ଣ ଏବଂ ଡେନ୍‌ମାର୍କ (୬୨୫.୯) ରୌପ୍ୟ ପଦକ ଜିତିଥିଲା।

ସମ୍ବନ୍ଧିତ ଖବର