ବନ୍ଧୁକଚାଳନା ବିଶ୍ବକପ୍‌: ବାୟୁସେନା ବନ୍ଧୁକ ଚାଳକଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ

ନୂଆଦିଲ୍ଲୀ: ବନ୍ଧୁକଚାଳନା ବିଶ୍ବକପ୍‌ରେ ଅଂଶଗ୍ରହଣ କରିଥିବା ବାୟୁସେନାର ଦୁଇ ଜଣ ଖେଳାଳିଙ୍କୁ ‌ଫେରିଆସି ନିଜ କାର୍ଯ୍ୟ‌ରେ ଯୋଗଦେବାକୁ ନିର୍ଦେଶ ଦିଆଯାଛି। ପୁଲୱାମା ଆତଙ୍କବାଦ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ବାୟୁସେନାର ଦୁଇ ଅଧିକାରୀ ରବି କୁମାର ଏବଂ ଦୀପକ କୁମାର ଦିଲ୍ଲୀରେ ଆୟୋଜିତ ବିଶ୍ବକପ୍‌ରେ ଭାରତରୁ ପ୍ରତିନିଧିତ୍ବ କରିଥିଲେ। ସଂପ୍ରତି ଉତ୍ତେଜନାକୁ ନଜରରେ ରଖି ବାୟୁସେନା ସଜାଗ ରହିଛି। ଫଳରେ ଏହି ଦୁଇ ଜଣଙ୍କୁ ବୁଧବାର ସଂଧ୍ୟା ସୁଦ୍ଧା ନିଜନିଜ କର୍ମସ୍ଥାନରେ ପହଞ୍ଚିବାକୁ ନୋଟିସ କରାଯାଇଛି। ଆମ ପାଇଁ ଖେଳ ପଛ, ପ୍ରଥମେ ଦେଶ। ଆମର ସବୁ ସାଥୀ ଖେଳାଳି ପହଞ୍ଚି ସାରିଲେଣି। ଆମେ ଏବେ ନୋଟିସ ପାଇଲୁ। ‌ମୁଁ ପାଇଲଟ ନୁହେଁ। ଉଭୟ ଦୀପକ୍‌ ଓ ମୁଁ ଗ୍ରାଉଣ୍ଡ ଷ୍ଟାଫ୍‌। ଯଦି ଦରକାର ପଡ଼େ, ମୁଁ ମଧ୍ୟ ଯୁଦ୍ଧକୁ ଯିବି ‌ବୋଲି ରବି କୁମାର କହିଛନ୍ତି। ସୂଚନାଯୋଗ୍ୟ ଯେ ଉଭୟ ରବି କୁମାର ଓ ଦୀପକ୍‌ ଏହି ବିଶ୍ବକପ୍‌ରେ ଭାଗନେଇଥିଲେ ହେଲେ ପଦକ ଜିତିବାରେ ସଫଳ ହୋଇନଥିଲେ। ମିଶ୍ରିତ ୧୦ ମିଟର ଏୟାର ରାଇଫଲ୍ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର