ନୂଆଦିଲ୍ଲୀ: ଫ୍ରାନ୍ସର ପ୍ୟାରିସ୍ରେ ଚାଲିଥିବା ପାରା ବନ୍ଧୁକଚାଳନା ବିଶ୍ବକପ୍ରେ ଯୁବ ପାରାଲିମ୍ପିଆନ୍ ବିଜେତା ଅବନି ଲେଖରା ଚମତ୍କାର ଫର୍ମ ଜାରି ରଖି ବ୍ୟକ୍ତିଗତ ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରଥମ ଦିବସରେ ବିଶ୍ବ କୀର୍ତ୍ତିମାନ ପ୍ରୟାସ ସହ ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସ୍ଏଚ୍୧ ବର୍ଗରେ ସ୍ବର୍ଣ୍ଣ ଜିତି ୨୦୨୪ ପ୍ୟାରିସ୍ ପାରାଲିମ୍ପିକ୍ସ କ୍ରୀଡ଼ାକୁ ଯୋଗ୍ୟତା ହାସଲ କରିସାରିଥିବା ଲେଖରା ରବିବାର ମହିଳା ୫୦ ମିଟର ରାଇଫଲ ଥ୍ରି ପୋଜିସନ ଏସ୍ଏଚ୍୧ ଫାଇନାଲ୍ରେ ୪୫୮.୩ ସଟ୍ ମାରି ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ। ବିଶେଷକରି ଶେଷ ୩ ରାଉଣ୍ଡରେ ଲେଖରା ୧୦ରୁ ଅଧିକ ସ୍କୋର୍ କରି ବିଜେତା ହୋଇଥିଲେ। ତାଙ୍କ ପଛକୁ ସ୍ଲୋଭାକିଆର ଅଭିଜ୍ଞ ପାରାଲିମ୍ପିକସ ତାରକା ଭେରୋନ୍ସିଆ ଭଦୋଭିକୋଭା (୪୫୬.୬) ଏବଂ ସ୍ବିଡେନ୍ର ଆନ୍ନା ନର୍ମାନ୍ (୪୪୧.୯) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।
ଅନ୍ୟତମ ଭାରତୀୟ ରୁବିନା ଫ୍ରାନ୍ସିସ୍ ମଧ୍ୟ ଚଳିତ ବିଶ୍ବକପ୍ରେ ବ୍ୟକ୍ତିଗତ ଦ୍ବିତୀୟ ପଦକ ଜିତି ନେଇଛନ୍ତି। ପୂର୍ବଦିନ ପି-୫ ମିଶ୍ରିତ ଏୟାର ପିସ୍ତଲ ଷ୍ଟାଣ୍ଡାର୍ଡ ଏସ୍ଏଚ୍୧ରେ ରୌପ୍ୟ ପଦକ ଜିତିଥିବା ରୁବିନା ଫ୍ରାନ୍ସିସ୍ (୨୧୩.୧ ସ୍କୋର୍) ରବିବାର ପି-୨ ମହିଳା ୧୦ ମିଟର ଏୟାର ପିସ୍ତଲ ଏସ୍ଏଚ୍-୧ରେ କାଂସ୍ୟ ପଦକ ଅମଳ କରିଛନ୍ତି। ତୁର୍କିର ଆୟସେଲ ଓଜ୍ଗାନ (୨୪୦.୦) ସ୍ବର୍ଣ୍ଣ ଏବଂ ଆୟେସେଗୁଲ ପେହଲିଭାନ୍ଲାର (୨୩୬.୭) ରୌପ୍ୟ ପଦକ କରାୟତ କରିଥିଲେ। ଏଥି ସହିତ ପ୍ରତିଯୋଗିତାର ପଞ୍ଚମ ଦିନ ସୁଦ୍ଧା ଭାରତ ମୋଟ ୧୦ (୬ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ଗୋଟିଏ କାଂସ୍ୟ) ପଦକ ଜିତିସାରିଛି।
ପାରାବନ୍ଧୁକଚାଳନା ବିଶ୍ବକପ୍: ଅବନିଙ୍କୁ ଦ୍ବିତୀୟ ସ୍ବର୍ଣ୍ଣ; ରୁବିନା ଜିତିଲେ କାଂସ୍ୟ
/sambad/media/post_attachments/wp-content/uploads/2022/06/6545fs4s65fh465hffhs-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)