ବକୁ: ଭାରତୀୟ ଯୋଡ଼ି ଦିବ୍ୟା ସୁବାରାଜୁ ଥାଡ଼ିଗୋଲ ଓ ସରବଜୋତ ସିଂହ ଆଜରବୈଜାନର ବକୁରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବିଶ୍ବକପ୍‌ରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍‌ ଇଭେଣ୍ଟ୍‌ ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ସର୍ବିଆର ଜୋରାନା ଅରୁନୋଭିକ ଓ ଡାମିର ମିକେକଙ୍କୁ ହରାଇ ଏହି ପଦକ ଜିତିଥିଲେ। ଦିବ୍ୟା ଓ ସରବଜୋତ ୫୫ ଦଳୀୟ ଯୋଗ୍ୟତା ରାଉଣ୍ଡରେ ୫୮୧ ପଏଣ୍ଟ ସହ ‌ପଦକ ଦୌଡ଼ରେ ସାମିଲ ହୋଇଥିଲେ। ସ୍ବର୍ଣ୍ଣ ମୁକାବିଲାରେ ଏହି ଯୋଡ଼ି କଡ଼ା ସଂଘର୍ଷ କରି ୧୬-୧୪ରେ ସର୍ବିଆ ଯୋଡ଼ିଙ୍କୁ ମାତ୍‌ ଦେଇଥିଲେ। ତୁର୍କିର ଇସ୍‌ମାଇଲ କେଲେସ ଓ ସିମାଲ ୟିଲମାଜ କାଂସ୍ୟ ଜିତିଥିଲେ। ଏହି ପ୍ରତିଯୋଗିତାରେ ସଂପ୍ରତି ଭାରତ ୧ ସ୍ବର୍ଣ୍ଣ ଓ ୧ କାଂସ୍ୟ ସହ ମୋଟ ୨ ପଦକ ପାଇ ଦ୍ବିତୀୟରେ ରହିଥିଲା ବେଳେ ଚୀନ୍‌ ୧ ସ୍ବର୍ଣ୍ଣ ଓ ୧ ରୌପ୍ୟ ସହ ଶୀର୍ଷରେ ରହିଛି।