ଚୋଙ୍ଗୱନ: ଏଠାରେ ଚାଲିଥିବା ବନ୍ଧୁକଚାଳନା ବିଶ୍ବକପ୍ରେ ବୁଧବାର ସୁଦ୍ଧା ୨ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୧ କାଂସ୍ୟ ପଦକ ଜିତି ତାଲିକାର ଦ୍ବିତୀୟ ସ୍ଥାନରେ ରହିଥିବା ଭାରତ ଗୁରୁବାର ଆଉ ୪ ପଦକ ଅମଳ କରି ଶୀର୍ଷ ସ୍ଥାନରେ ଅଭିଯାନ ଶେଷ କରିଛି। ଗୁରୁବାର ସୁଦ୍ଧା ଭାରତର ପଦକ ସଂଖ୍ୟା ମୋଟ ୮ ହୋଇଛି। ସେଥିରେ ୩ ସ୍ବର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ସାମିଲ ରହିଛି। ଚଳିତ ବିଶ୍ବକପ୍ରେ ଭାରତ ଶୀର୍ଷ ସ୍ଥାନ ପାଇଥିଲା ବେଳେ ଆୟୋଜକ କୋରିଆ ଏବଂ ସର୍ବିଆ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଛନ୍ତି।
ସୋମବାର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟ୍ରେ ଅର୍ଜୁନ ବାବୁତା ସ୍ବର୍ଣ୍ଣ ଜିତିଥିଲା ବେଳେ ବୁଧବାର ୧୦ ମିଟର ଏୟାର ରାଇଫଲ୍ ମିଶ୍ରିତ ଦଳ ବର୍ଗରେ ମେହୁଲି ଘୋଷ ଓ ତୁଷାର ମାନେ ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ ଭେଟି ଦେଇଥିଲେ। ତେବେ ଗୁରୁବାର ଦେଶ ପାଇଁ ତୃତୀୟ ସ୍ବର୍ଣ୍ଣ ପଦକ ଅମଳ କରିଥିଲା ୧୦ ମିଟର ଏୟାର ରାଇଫଲ ଦଳ। ଅର୍ଜୁନ ବାବୁତା, ତୁଷାର ମାନେ ଓ ପାର୍ଥ ମାଖିଜାଙ୍କୁ ନେଇ ଗଠିତ ଦଳ ଫାଇନାଲ୍ରେ କୋରିଆ (ସିଉନ୍ଗୋ ବାଙ୍ଗ୍, ସାଙ୍ଗ୍ଡୋ କିମ୍, ହଜୁନ ପାର୍କ)କୁ ୧୭-୧୫ରେ ପରାସ୍ତ କରି ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ। ଏହା ମଧ୍ୟ ଚଳିତ ବିଶ୍ବକପ୍ରେ ଉଭୟ ବାବୁତା ଓ ମାନେଙ୍କର ଦ୍ବିତୀୟ ସ୍ବର୍ଣ୍ଣ ପଦକ ଥିଲା। ଗୁରୁବାର ଗୋଟିଏ ସ୍ବର୍ଣ୍ଣ ବ୍ୟତୀତ ଭାରତ ଅନ୍ୟ ୩ ରୌପ୍ୟ ପଦକ ହାସଲ କରିଥିଲା।
ଏଲାଭେନିଲ ଭାଲାରିଭାନ, ମେହୁଲି ଘୋଷ ଓ ରମିତାଙ୍କୁ ନେଇ ଗଠିତ ମହିଳା ଦଳ ଆୟୋଜକ ଦେଶର ଜିହେୟନ୍ କିଉମ, ଇଉନସିଓ ଲି ଓ ଦାୟେଓଙ୍ଗ୍ ଗ୍ବନ୍ଙ୍କ ନିକଟରୁ ୧୦-୧୬ରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା ବେଳେ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଦଳ ଫାଇନାଲ୍ରେ ପ୍ରବଳ ସଂଘର୍ଷ କରିବା ସତ୍ତ୍ବେ ଅନଭିଜ୍ଞ ଇଟାଲି ଦଳ (ପାଓଲୋ ମୋନା, ଆଲେସିଓ ଟୋରାଚି, ଲୁକା ଟେସ୍କୋନି)ଠୁ ୧୫-୧୭ରେ ହାରି ଯାଇ ରୌପ୍ୟ ପାଇଥିଲା। ସେହିପରି ୧୦ ମିଟର ଏୟାର ପିସ୍ତଲ ଦଳଗତ ମହିଳା ଇଭେଣ୍ଟ ଫାଇନାଲ୍ରେ ରିଦିମ ସାଙ୍ଗୱାନ୍, ୟୁଭିକା ଟୋମାର ଓ ପଲକ ୨-୧୦ରେ କୋରିଆ ନିକଟରୁ ହାର୍ ମାନି ଦିବସର ତୃତୀୟ ରୌପ୍ୟ ପାଇଥିଲା।