ବନ୍ଧୁକଚାଳନା ବିଶ୍ବକପ୍‌: ସୌରଭଙ୍କୁ ଅଲିମ୍ପିକ୍‌ ଟିକେଟ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ବନ୍ଧୁକଚାଳନା ବିଶ୍ବକପ୍‌ରେ ଭାରତର ଅପୂର୍ବୀ ଚାନ୍ଦିଲାଙ୍କ ପରେ ସୌରଭ ଚୌଧୁରୀ ବିଶ୍ବ କୀର୍ତିମାନ ରଚିଛନ୍ତି। ରବିବାର ୧୦ ମିଟର ଏୟାର ପିସ୍ତଲ ବର୍ଗରେ ଏହି ୧୬ ବର୍ଷ ବୟସ୍କ ବନ୍ଧୁକଚାଳକ ୨୪୫ ସ୍କୋର୍‌ କରି ନୂଆ ବିଶ୍ବ କୀର୍ତିମାନ ରଚିବା ସାଙ୍ଗକୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ନିଜର ପ୍ରଥମ ବିଶ୍ବକପ୍‌ ବରିଷ୍ଠ ୮ ଜଣିଆ ଫାଇନାଲ୍‌ରେ ଏହା ମଧ୍ୟ ସୌରଭଙ୍କ ପ୍ରଥମ ସ୍ବର୍ଣ୍ଣ। ଆଉ ଏଥି ସହିତ ସୌରଭ ମଧ୍ୟ ଅଲିମ୍ପିକ୍‌ ଟିକେଟ ହାତେଇଛନ୍ତି। ଫାଇନାଲ୍‌ରେ ଅନ୍ୟ ୭ ପ୍ରତିଯୋଗୀଙ୍କୁ ପଛରେ ପକାଇ ସୌରଭ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା ବେଳେ ସର୍ବିଆର ଦାମିର୍‌ ମିକେକ୍‌ (୨୩୯.୩) ରୌପ୍ୟ ପଦକ ଜିତିଥିଲେ। ଏଥି ସହିତ ଏହି ବର୍ଗରୁ ସେ ମଧ୍ୟ ଦ୍ବିତୀୟ ଅଲିମ୍ପିକ୍‌ ଟିକେଟ୍‌ ନିଶ୍ଚିତ କରିଛନ୍ତି।

ଏହା ପୂର୍ବରୁ ଶନିବାର ଅପୂର୍ବୀ ଚାନ୍ଦିଲା ୧୦ ମିଟର ଏୟାର ରାଇଫଲ୍‌ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ ସହିତ ନୂଆ ବିଶ୍ବ କୀର୍ତିମାନ ରଚିଥିଲେ। ସେ ୨୫୨.୯ ସ୍କୋର୍‌ କରି ୮ ଜଣିଆ ଫାଇନାଲରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ଏଥି ସହିତ ଚାନ୍ଦିଲା ଚୀନ୍‌ର ରୁଝୁ ଝାଓ (୨୫୨.୪)ଙ୍କ ନାମରେ ଥିବା ବିଶ୍ବ କୀର୍ତିମାନକୁ ଭାଙ୍ଗି ଦେଇଥିଲେ। ଝାଓ ଗତବର୍ଷ କୋରିଆର ଚାଙ୍ଗ୍‌ୱନ୍‌ରେ ଆୟୋଜିତ ବିଶ୍ବକପ୍‌ରେ ଏହି କୀର୍ତିମାନ ପ୍ରତିଷ୍ଠା କରିଥିଲେ। ତେବେ ଚଳିତ ବିଶ୍ବକପ୍‌ରେ ଚାନ୍ଦିଲାଙ୍କଠୁ ୧.୧ ପଏଣ୍ଟ୍‌ ପଛରେ ରହି ଚୀନ୍‌ର ରୁଝୁ ଝାଓ (୨୫୧.୮) ରୌପ୍ୟ ଏବଂ ଅନ୍ୟତମ ଚୀନ୍‌ ତାରକା ଜୁ ହଙ୍ଗ୍‌ (୨୩୦.୪) କାଂସ୍ୟ ପଦକ ଜିତିଛନ୍ତି। ଗତ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ହିଁ ଟୋକିଓ ଅଲିମ୍ପିକ୍ ‌ଯୋଗ୍ୟତା ହାତେଇ ସାରିଥିବା ଚାନ୍ଦିଲା (୬୨୯.୩) ଯୋଗ୍ୟତା ପର୍ଯ୍ୟାୟରେ ଚତୁର୍ଥରେ ଥିଲେ। ଚଳିତ ବିଶ୍ବକପ୍‌ରେ ଭାରତ ମଧ୍ୟ ଟୋକିଓ ଅଲିମ୍ପିକ୍‌ ପାଇଁ ୩ ଟିକେଟ ହାସଲ କରିସାରିଲାଣି। ଚାନ୍ଦିଲା ଓ ଅଞ୍ଜୁମ୍‌ ମୁଦ୍‌ଗିଲ୍‌ (୧୦ ମିଟର ଏୟାର ରାଇଫଲ୍‌)ଙ୍କ ପରେ ସୌରଭ ଏହି ଯୋଗ୍ୟତା ପାଇସାରିଛନ୍ତି।

ସମ୍ବନ୍ଧିତ ଖବର