ବନ୍ଧୁକଚାଳନା ବିଶ୍ବକପ୍ : ଭାରତକୁ ଆଉ ଦୁଇ ସ୍ବର୍ଣ୍ଣ

ନୂଆଦିଲ୍ଲୀ : ଡ. କର୍ନି ସିଂହ ସୁଟିଂ ରେଞ୍ଜ୍‌ରେ ଚାଲିଥିବା ବନ୍ଧୁକ ଚାଳନା ବିଶ୍ବକପ୍‌ରେ ଶୁକ୍ରବାର ଭାରତକୁ ୨ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ସହ ୩ ପଦକ ମିଳିଛି। ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍‌ର ପୁରୁଷ ଦଳଗତ ଇଭେଣ୍ଟ୍‌ରେ ନୀରଜ କୁମାର, ସ୍ବପ୍ନିଲ କୁସାଲେ ଓ ଚୈନ୍‌ ସିଂହଙ୍କୁ ନେଇ ଗଠିତ ଭାରତୀୟ ଦଳ ଏବଂ ମିଶ୍ରିତ ଯୁଗଳରେ ସଞ୍ଜୀବ ରାଜପୁତ ଓ ତେଜସ୍ବିନୀ ସାୱନ୍ତ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ପୁରୁଷ ଦଳଗତ ଫାଇନାଲ୍‌ରେ ଭାରତ ୪୭-୨୫ରେ ଆମେରିକାକୁ ପରାସ୍ତ କରିଥିଲା। ମିଶ୍ରିତ ଯୁଗଳରେ ଭାରତୀୟ ଯୋଡ଼ି ୩୧-୨୯ରେ ୟୁକ୍ରେନର ସେରି କୁଲିସ ଓ ଆନ୍ନା ଲିନାଙ୍କୁ ମାତ୍‌ ଦେଇଥିଲେ। ତେବେ ୨୫ ମିଟର ରାପିଡ ଫାୟାର ଫାଇନାଲ୍‌ରେ ଭାରତୀୟ ବନ୍ଧୁକଚାଳକ ବିଜୟବୀର ସିନ୍ଧୁ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ଶେଷ ମୁକାବିଲାରେ ସେ ୫ ସଟ୍‌ରୁ ଗୋଟିଏ ସ୍କୋର୍‌ କରି ଇସ୍ତୋନିଆର ପିଟର ଓଲେସ୍କ (୪)ଙ୍କଠାରୁ ପଛରେ ରହିଯାଇଥିଲେ। ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟ ଦୁଇ ଭାରତୀୟ ଅନିଶ ଭନୱାଲ ଓ ଗୁରପ୍ରୀତ ସିଂହ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ପୋଲାଣ୍ଡର ଓସ୍‌କାର ମିଲିୱେକ କାଂସ୍ୟ ଜିତିଥିଲେ। ସଂପ୍ରତି ଭାରତ ୨୫ ପଦକ (୧୨ ସ୍ବର୍ଣ୍ଣ, ୭ ‌ରୌପ୍ୟ, ୬ କାଂସ୍ୟ) ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର