ନୂଆଦିଲ୍ଲୀ: ପାକିସ୍ତାନକୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରିବାର ଦାୟିତ୍ବ ଦିଆଯାଇଛି। ହେଲେ ଭାରତୀୟ ଟିମକୁ ପାକିସ୍ତାନ ଛାଡ଼ିବାକୁ ରାଜି ହେଉନାହିଁ ବିସିସିଆଇ। ଏହା ଉପରେ ଭାରତର ନିଷ୍ପତ୍ତି କ’ଣ ହେବ ସେ ନେଇ ଦ୍ୱନ୍ଦ୍ୱ ରହିଛି। ଭାରତ ଏଥିରେ ଅଂଶଗ୍ରହଣ କରିବ ନା ନାହିଁ, ନା ୟୁଏଇରେ ଭାରତର ମ୍ୟାଚ୍ ଅନୁଷ୍ଠିତ ହେବ? ତାହା ସ୍ପଷ୍ଟ ହୋଇନାହିଁ। ବିସିସିଆଇ କହିଛି ଯେ, ଭାରତ ସରକାର ଅନୁମତି ଦେବା ପରେ ଯାଇ ଦଳ, ପାକିସ୍ତାନକୁ ଯିବ। ବିସିସିଆଇର ଏଭଳି ନିଷ୍ପତ୍ତି ଉପରେ ଏବେ ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂହ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି ଯେ, “ଭାରତୀୟ ଦଳ କାହିଁକି ପାକିସ୍ତାନ ଯିବା ଉଚିତ୍? ପାକିସ୍ତାନରେ ଆମ ଦଳର ସୁରକ୍ଷିତ ନୁହନ୍ତି। ପାକିସ୍ତାନର ପରିସ୍ଥିତି ଏପରି ଯେ ପ୍ରାୟ ପ୍ରତିଦିନ କିଛି ନା କିଛି ଘଟଣା ଘଟୁଛି। ସେଠାକୁ ଯିବା ଦଳ ପାଇଁ ନିରାପଦ ବୋଲି ମୁଁ ଭାବୁନାହିଁ। ବିସିସିଆଇର ଆଭିମୁଖ୍ୟ ସଂପୂର୍ଣ୍ଣ ସଠିକ୍ ଏବଂ ଆମ ଖେଳାଳିଙ୍କ ସୁରକ୍ଷାଠାରୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୁଁ ବିସିସିଆଇର ନିଷ୍ପତ୍ତିକୁ ସମର୍ଥନ କରୁଛି।”
ତେବେ ବିସିସିଆଇ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିବା ବେଳେ ପିସିବି ନିଶ୍ଚିତ କରିଛି ଯେ ଭାରତର ସମସ୍ତ ମ୍ୟାଚ୍ ଲାହୋରରେ ଆୟୋଜିତ ହେବ ଏବଂ ସମସ୍ତଙ୍କ ପାଇଁ କଡ଼ ସୁରକ୍ଷା ଯୋଗାଇ ଦିଆଯିବ। ଭାରତୀୟ ଦଳ ଟୁର୍ନାମେଣ୍ଟ ଶେଷ ହେବାଯାଏ ସମାନ ହୋଟେଲରେ ରହିବେ।