ଶୋଭନ ଭାରତୀୟ ଯୁବ ଦୌଡ଼କୁଦ ଦଳର ଫିଜିଓ

ଭୁବନେଶ୍ବର: ହଂକଂଠାରେ ଚଳିତ ମାସ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳା ଯିବାକୁ ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ରାଜଧାନୀ ନୂଆଦିଲ୍ଲୀରେ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶାର ଶୋଭନ୍ କୁମାର ନାୟକ ଫିଜିଓ ଦାୟିତ୍ବ ତୁଲାଇଥିଲେ। ଜବାହରଲାଲ ନେହରୁ ଷ୍ଟାଡିୟମରେ ଆୟୋଜିତ ଏହି ଶିବିରରେ ମୋଟ ୧୨ ଜଣ ବିଶେଷଜ୍ଞଙ୍କ ମଧ୍ୟରୁ ଶୋଭନ ଅନ୍ୟତମ ଥିଲେ। ସଂଯୋଗ ବଶତଃ ଓଡ଼ିଶାର ପ୍ରତିଷ୍ଠିତ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଶିବିର ପରିଚାଳନା କରିଥିଲେ। ଶୋଭନ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଠୋକର ଗ୍ରାମର ମୂଳ ବାସିନ୍ଦା ହୋଇଥିଲା ବେଳେ ସେ ପ୍ରଥମ ଥର ପାଇଁ ଭାରତୀୟ ଦଳ ସହ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। ଶିବିରରେ ସ୍ଥାନ ପାଇଥିବା ଖେଳାଳିଙ୍କ ସୁସ୍ଥତା ଏବଂ ଆଘାତ ଜନିତ ସମସ୍ୟା ଦୂର କରିବା ତାଙ୍କର ପ୍ରମୁଖ ଦାୟିତ୍ବ ଥିଲା। ସଞ୍ଜୟଙ୍କ ନେତୃତ୍ବରେ ୫୬ ଜଣିଆ ଭାରତୀୟ ଦଳ ମଙ୍ଗଳବାର ରାତିରେ ହଂକଂ ଅଭିମୁଖେ ଯାତ୍ରା କରିଛି। ଏହି ଦଳରେ ୩୧ ବାଳକ, ୧୬ ବାଳିକା ଏବଂ ୯ ଜଣ ଅଧିକାରୀ ଅଛନ୍ତି।

ସମ୍ବନ୍ଧିତ ଖବର