ଭୁବନେଶ୍ବର/କଟକ: ଭାରତୀୟ ମହିଳା ଫୁଟ୍‌ବଲ୍ ଦଳର ପୂର୍ବତନ ଅଧିନାୟକ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ନିଜ ପ୍ରଶିକ୍ଷଣ ଜୀବନର ବଡ଼ ଉପଲବ୍ଧି ପାଇଛନ୍ତି। ପ୍ରଥମ ଓଡ଼ିଆ ମହିଳା ଭାବେ ଏଏଫ୍‌ସି ‘ଏ’ ଲାଇସେନ୍ସ ପାଇଛନ୍ତି। ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ ଏବଂ ‘ଫାଓ’ ଏହି ଖବର ଜଣାଇବା ପରେ ରାଜ୍ୟ ଫୁଟ୍‌ବଲ୍ ଦୁନିଆରେ ଖୁସିର ଲହରି ଖେଳିଯାଇଛି। ଏଥିସହ ଶ୍ରଦ୍ଧାଞ୍ଜଳି ଜାତୀୟ ବରିଷ୍ଠ ଦଳର ପ୍ରଶିକ୍ଷକ ହେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ‌ଜଣେ ଅଗ୍ରଣୀ ଫରୱାର୍ଡ ଖେଳାଳି ଭାବେ ଶ୍ରଦ୍ଧାଞ୍ଜଳି ବିଗତ ଏକ ଦଶନ୍ଧିରୁ ଊର୍ଧ୍ବ ହେଲାଣି ଏଆଇଏଫ୍‌ଏଫ୍‌ର ଚୟନକର୍ତ୍ତା, ପ୍ରଶିକ୍ଷକ ଭାବେ ବିଭିନ୍ନ ଭୂମିକାରେ ରହି ଅର୍ଜନ କରିଥିବା ଅଭିଜ୍ଞତା ତାଙ୍କୁ ଏବେ ଉଚ୍ଚ ସ୍ତରକୁ ନେଇଛି। ପୂର୍ବରୁ କେବଳ ଦୁଇ ଜଣ ଓଡ଼ିଆ ଏଏଫ୍‌ସି ‘ଏ’ ଲାଇସେନ୍ସ ପାଇବାର‌ ଗୌରବ ରଖିଥିଲେ ମଧ୍ୟ ଉଭୟ ପୁରୁଷ ବର୍ଗର ଥିଲେ। ସେମାନେ ହେଲେ ଶୁଭେନ୍ଦୁ କୁମାର ପଣ୍ଡା ଓ ଅକ୍ଷୟ ଦାସ। ଶୁଭେନ୍ଦୁ କିନ୍ତୁ ଆଉ ଗୋଟିଏ ପାଦ ଆଗକୁ ବଢ଼ି ଏବେ ପ୍ରୋ ଲାଇସେନ୍ସ ହାସଲ କରିସାରିଛନ୍ତି। ସୂଚନାଯୋଗ୍ୟ, ୨୦୦୫ ମସିହାରେ ଶ୍ରଦ୍ଧାଞ୍ଜଳି ଭାରତୀୟ ମହିଳା ଫୁଟ୍‌ବଲ୍ ଦଳର ଅଧିନାୟକ ନିଯୁକ୍ତ ହୋଇ ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଥିଲେ। ଅବସର ପରେ ବି ଏହି ନାଲ୍‌କୋ ଅଧିକାରୀ ଫୁଟ୍‌ବଲ୍‌ ସହ ଜଡ଼ିତ ରହି ପ୍ରଶିକ୍ଷଣ ଓ ଚୟନକର୍ତ୍ତା ଆଦି ଭୂମିକା ତୁଲାଇ ଆସୁଛନ୍ତି। ଏହି ସଫଳତା ଲାଗି ଶ୍ରଦ୍ଧାଞ୍ଜଳିଙ୍କୁ ‘ଫାଓ’ ସଭାପତି ଟଙ୍କଧର ତ୍ରିପାଠୀ ଓ ସମ୍ପାଦକ ଆଶୀର୍ବାଦ ବେ‌େହରା ଏବଂ ଅନ୍ୟ କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି।