ଭୁବନେଶ୍ବର: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଗୁରୁବାର ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ ଓ ୩ କାଂସ୍ୟ ମିଳିଛି। ଦୌଡ଼କୁଦ (୧ ସ୍ବର୍ଣ୍ଣ, ୧ କାଂସ୍ୟ) ଓ ସାଇକେଲିଂ (୨ କାଂସ୍ୟ)ରୁ ଏହି ୪ଟି ପଦକ ଆସିଛି। ଫଳରେ ଏ ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୩୧ରେ (୬ ସ୍ବର୍ଣ୍ଣ, ୧୦ ରୌପ୍ୟ, ୧୫ କାଂସ୍ୟ) ପହଞ୍ଚିଛି। ଅଲିମ୍ପିଆନ୍‌ ଶ୍ରାବଣୀ ନନ୍ଦ ୨୦୦ ମିଟର ଦୌଡ଼ରୁ ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେ ଏହି ରେସ୍‌କୁ ୨୩.୬୯ ସେକେଣ୍ଡ୍‌ରେ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପଛକୁ ପଞ୍ଜାବର କମଲଜିତ କୌର (୨୩.୮୪ ସେକେଣ୍ଡ) ଏବଂ ଭୁବନେଶ୍ବର ଏଚ୍‌ପିସିରେ ପ୍ରଶିକ୍ଷିତ ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜି (୨୩.୯୫ ସେକେଣ୍ଡ) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଛନ୍ତି।

Advertisment

ପୁରୁଷ ୨୦୦ ମିଟର ଦୌଡ଼ରେ ଅନିମେଷ କୁଜୁର (୨୦.୯୯ ସେକେଣ୍ଡ) କାଂସ୍ୟ ଜିତିଛନ୍ତି। ସାଇକେଲିଂରେ ସ୍ବସ୍ତି ସିଂହ ଦୁଇଟି କାଂସ୍ୟ ଜିତିଛନ୍ତି। ସେ ୧୦ କିମି ସ୍କ୍ରାଚ୍‌ ରେସ୍‌ ଏବଂ ବ୍ୟକ୍ତିଗତ ପର୍ସ୍ୟୁଟ ଇଭେଣ୍ଟ୍‌ରେ ଏହି ଦୁଇ ପଦକ ପାଇଛନ୍ତି। ଓଡ଼ିଶା ପୁରୁଷ ହକି ଦଳ ଗୁରୁବାର ପ୍ରଥମ ବିଜୟ ପାଇଛି। ଏହି ଦଳ ୩-୨ ଗୋଲ୍‌ରେ ଦିଲ୍ଲୀକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ଅ‌ଭିଷେକ ରଣା (୨୮, ୫୫ ମିନିଟ୍‌) ଦୁଇଟି ଓ କ୍ରିଷ୍ଣା ପନୱାର (୨୩ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲେ।