କଳିଙ୍ଗ ଇଣ୍ଡିଆନ୍‌ ଗ୍ରାଁ ପ୍ରିରେ ଚମକିଲେ ଶ୍ରାବଣୀ

ଭୁବନେଶ୍ବର, ୨୧ା୫ (ଇମିସ): ସର୍ବଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ଏବଂ ଓଡ଼ିଶା ଦୌଡ଼କୁଦ ସଂଘ (ଏଏଓ)ର ମିଳିତ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩ ଦୌଡ଼କୁଦ ପ୍ରତିଯୋଗିତା ଶନିବାର ଆୟୋଜିତ ହୋଇଯାଇଛି। ମୁଖ୍ୟ ଏବଂ ଅଭ୍ୟାସ ପଡ଼ିଆରେ ଏହି ପ୍ରତିଯୋଗିତା ଖେଳାଯାଇଛି। ଏଥିରେ ବହୁ ଶୀର୍ଷସ୍ତରୀୟ ଭାରତୀୟ ଖେଳାଳି ଅଂଶଗ୍ରହଣ କରିଥିଲା ବେଳେ ଓଡ଼ିଶାରୁ ଏହି ପ୍ରତି‌େଯାଗିତାରେ ୧୦ ଜଣ ଭାଗନେଇଥିଲେ। ରାଜ୍ୟବାସୀଙ୍କ ନଜର ଦୁଇ ଓଡ଼ିଆ ତାରକା ୪ ବର୍ଷ ପରେ ଜାତୀୟ ପ୍ରତିଯୋଗିତାକୁ ଫେରିଥିବା ଶ୍ରାବଣୀ ନନ୍ଦଙ୍କ ସହ ଅମିୟ ମଲ୍ଲିକ ଉପରେ ରହିଥିଲା। ଶ୍ରାବଣୀ ନିଜ ଚମକ ଦେଖାଇଥିଲା ‌ବେଳେ ଅମିୟ କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ।

ଅମିୟ ତୃତୀୟ: ଅର୍ଯ୍ୟନ ନୂଆ ନାୟକ
୨୦୦ ମିଟରରେ ଦୁଇଟି ରେସ୍‌ ହୋଇଥିଲା। ରେସ୍‌-ଏ’ରେ ଅମିୟଙ୍କ ସହ ୫ ଜଣ ଥିଲେ। ଦୁଇ ଜଣ ଅଯୋଗ୍ୟ ହେବାରୁ କେବଳ ୩ ଜଣ ଦୗଡ଼ିଥିଲେ। ଅମିୟ ୨୨ ସେକେଣ୍ଡରେ ରେସ୍‌ ଶେଷ କରି ଦ୍ବିତୀୟରେ ରହିଥିଲେ। ରେସ୍‌-ଏ’ରେ ମହାରାଷ୍ଟ୍ରର ଅକ୍ଷୟ ଆନ୍ନାପ୍ପା ସେଟ୍ଟୀ (୨୧.୮୬) ପ୍ରଥମ ଏବଂ ଅକ୍ଷୟ ଯୁବରାଜ ପାଟିଲ (୨୨.୮୬) ତୃତୀୟରେ ରହିଥିଲେ। ରେସ୍‌-ବି’ରେ ଦୌଡ଼ୁଥିବା ଓଡ଼ିଆ ପୁଅ ଆର୍ଯ୍ୟନ ଏକ୍କା (୨୧.୮୭ ସେକେଣ୍ଡ) ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଦୁଇଟି ଯାକ ରେସ୍‌ର ସମୟ ଅନୁଯାୟୀ ଅକ୍ଷୟ ଆନ୍ନାପ୍ପା ପ୍ରଥମ ହୋଇଥିଲା ‌ବେଳେ ଆର୍ଯ୍ୟନ ଦ୍ବିତୀୟ ଓ ଅମିୟ ତୃତୀୟରେ ରହିଥିଲେ। ତାରକା ଅମିୟଙ୍କୁ ପଛରେ ପକାଇ ଅର୍ଯ୍ୟନ ନୂଆ ନାୟକ ହୋଇଥିଲେ।

”ନିଜ ପଡ଼ିଆରେ ଖେଳି ରେସ୍‌-ବି’ରେ ପ୍ରଥମ ସ୍ଥାନ ପାଇ ଖୁସି, ଏହା ମୋର ଶ୍ରେଷ୍ଠ ସମୟ। ଆଗକୁ ଆହୁରି ଭଲ କରିବାକୁ ଚେଷ୍ଠା କରିବି” ବୋଲି ବିଜୟ ପରେ ଆର୍ଯ୍ୟନ କହିଛନ୍ତି। ‘‘୧୮ ବର୍ଷ ହେବ ଏହି ପଡ଼ିଆରେ ଅଭ୍ୟାସ କରୁଛି। ଏଠାରେ ଖେଳିବାର ସୁଯୋଗ ପାଇ ଖୁସି ଲାଗିଲା। ଟିକେ ଟାଇମିଂ ପାଇଲିନି। ଡେଙ୍ଗୁରେ ପୀଡ଼ିତ ଥିଲି। ସୁସ୍ଥ ହୋଇ ଫେରିଛି। ସେଥିପାଇଁ ଶ୍ରେଷ୍ଠ ଦେଇପାରିନି। ୨୪ ତାରିଖରେ ହେବାକୁଥିବା ଇଣ୍ଡିଆନ୍‌ ଗ୍ରାଁ ପ୍ରି-୪ରେ ମୁଁ ୧୦୦ ମିଟରେ ଅଂଶଗ୍ରହଣ କରିବି। ‌ଏଠାରେ କରିଥିବା ଭୁଲ୍‌କୁ ସୁଧାରି ଭଲ କରିବାକୁ ଚେଷ୍ଠା କରିବି’’ ବୋଲି ଅମିୟ କହିଛନ୍ତି।

ଶ୍ରାବଣୀଙ୍କ କରିସ୍ମା
ଅଲିମ୍ପିଆନ ଶ୍ରାବଣୀ ନନ୍ଦ ପ୍ରାୟ ୪ ବର୍ଷ ବ୍ୟବଧାନ ପରେ ଜାତୀୟ ପ୍ରତିଯୋଗିତାକୁ ଫେରିଥିଲେ। ଜାମାଇକାରେ ଅଭ୍ୟସ କରି ଫେରିଥିବା ଏହି ଓଡ଼ିଆ ଝିଅ ୨୦୦ ମିଟର ରେସ୍‌ରେ ନିଜ ଚମକ ଛାଡ଼ିଥିଲେ। ୨୪.୦୪ ସେକେଣ୍ଡରେ ରେସ୍‌ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ହରିୟାଣାର ସୋନିଆ (୨୪.୮୨) ଦ୍ବିତୀୟ ଏବଂ ପଶ୍ଚିମବଙ୍ଗର ରାଜଶ୍ରୀ ପ୍ରସାଦ (୨୫.୦୦) ତୃତୀୟରେ ରହିଥିଲେ। ‘‘ବିଦେଶରୁ ଫେରିବା ପରେ ଓଡ଼ିଶା ସରକାର ମୋତେ ଯେଉଁ ସହଯୋଗ କରିଛନ୍ତି ସେଥିପାଇଁ ଧନ୍ୟବାଦ। ବିଦେଶରେ ମୋ କୌଶଳ ଓ ଜ୍ଞାନ ବଢ଼ିଛି। ଏଠାରେ ଭଲ କରିଛି। ପବନ ପାଇଁ ଟାଇମିଂ ଟିକେ କମିଥିଲା। ତଥାପି ଏହି ଟାଇମିଂରେ ଖୁସି ରହିଛି। କୌଶଳରେ କ’ଣ ଭୁଲ୍‌ ରହିଲା ପ୍ରଶିକ୍ଷକଙ୍କ ପରାମର୍ଶରେ ତାହାକୁ ସୁଧାରିବି। ଆଗକୁ ଜିପି-୪ ଓ ଅନ୍ତଃରାଜ୍ୟ ମିଟ୍‌ ରହିଛି। ଏଥିରେ ଆହୁରି ଭଲ କରିବାକୁ ଚେଷ୍ଠା କରିବି। ଗତ ଅଲିମ୍ପିକ୍ସରେ ଯାଇ ପାରି ନଥିଲି। ଆଗାମୀ ଅଲିମ୍ପିକ୍ସ ପାଇଁ ଚେଷ୍ଟା ଜାରି ରହିବ। ଭବିଷ୍ୟତ କହିବ କେତେ ସଫଳ ହେବି। ଆଗାମୀ ଦିନରେ ମୋର ଶ୍ରେଷ୍ଠ ୨୩.୭ ସେକେଣ୍ଡକୁ ଟପିବା ଲକ୍ଷ୍ୟ ରଖିଛି। ସେଥପାଇଁ ଟାଇମିଂ ଉପରେ ବେଶି ନଜର ରହିବ’’ ବୋଲି ୩୧ ବର୍ଷୀୟା ଶ୍ରାବଣୀ କହିଛନ୍ତି।

ଉଚ୍ଚଡିଆଁରେ ସ୍ବାଧୀନ ୩, ନିଖିଳ ୪
ପୁରୁଷ ଉଚ୍ଚ ଡିଆଁରେ ମୋଟ ୪ ପ୍ରତିଯୋଗୀ ଥିଲେ। ଏଥିରେ ଓଡ଼ିଶାର ସ୍ବାଧୀନ କୁମାର ମାଝୀ ଓ ନିଖିଳ ଦାସ ଶେଷ ଦୁଇ ସ୍ଥାନରେ ରହିଥିଲେ। ସ୍ବାଧୀନ ୨.୦୫ ମିଟର ଡେଇଁ ତୃତୀୟ ଏବଂ ନିଖିଳ ୧.୯୫ ଡେଇଁ ଚତୁର୍ଥରେ ରହିଥିଲେ। ମହାରାଷ୍ଟ୍ରର ସର୍ବେଶ ଅନିଲ କୁଶରେ (୨.୨୧ ମିଟର) ପ୍ରଥମ, ଇସି ସନ୍ଦେଶ (୨.୧୮) ଦ୍ବିତୀୟ ସ୍ଥାନରେ ରହିଥିଲେ।

୮୦୦ ମିଟରରେ ନିରାଶ
ପୁରୁଷ ୮୦୦ ମିଟର‌ ଦୌଡ଼ରେ ଭାଗ ନେଇଥିବା ଦୁଇ ଓଡ଼ିଆ ପଙ୍କଜ ମଣ୍ଡଳ ଓ ଦେବାଶିଷ ପଟ୍ଟନାୟକ ନିରାଶ ହୋଇଛନ୍ତି। ଉଭୟ ନିଜ ନିଜ ଗ୍ରୁପ୍‌ରେ ଶେଷ ସ୍ଥାନରେ ରହିଥିଲେ। ଗ୍ରୁପ୍‌-ଏ’ରେ ଥିବା ପଙ୍କଜ ୨:୦୨.୮୬ ଓ ଗ୍ରୁପ୍‌-ବିରେ ଦେବାଶିଷ ୧:୫୭.୧୭ ସେକେଣ୍ଡ ସମୟ ନେଇ ରେସ୍‌ ଶେଷ କରିଥିଲେ। ସେହିପରି ମହିଳାରେ ୪ ଜଣ ଭାଗନେଇଥିଲା ‌ବେଳେ ଦୁଇ ଓଡ଼ିଆ ଲକ୍ଷ୍ମୀପ୍ରିୟା କି‌ଷାନ (୨:୧୭.୩୯) ଏବଂ ନମିତା ପ୍ରଧାନ (୨:୧୮.୬୭) ଯଥାକ୍ରମେ ତୃତୀୟ ଓ ଚତୁର୍ଥରେ ରହିଥିଲେ। ପୁରୁଷ ୫୦୦୦ ମିଟର ଦୌଡ଼ରେ ଓଡ଼ିଶାର ଅଶୋକ ଦଣ୍ଡସେନା ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।

ସମ୍ବନ୍ଧିତ ଖବର