ଆୟର+ରାହୁଲ ୪୨୧; ଅନ୍ୟ ସମସ୍ତେ ୪୨୩

ମାଉଣ୍ଟମଙ୍ଗନୁଇ : ଭାରତୀୟ କ୍ରିକେଟ୍ ଦଳ ପାଇଁ ପୂର୍ବରୁ ମଧ୍ୟକ୍ରମ ବ୍ୟାଟିଂ ବିଫଳତା ବଡ଼ ସମସ୍ୟା ଥିଲା। ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ଆପାତତଃ ଏହା ଦୂର ହୋଇଛି। ହେଲେ ସାନି ସମସ୍ୟାର ସୂତ୍ରପାତ ହୋଇଛି। ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଅନୁପସ୍ଥିତିରେ ଶୀର୍ଷକ୍ରମକୁ ନେଇ ଅଧିନାୟକ କୋହଲିଙ୍କ ଚିନ୍ତା ବଢ଼ିଛି। କାରଣ ଏହି ସ୍ଥାନରେ ସୁଯୋଗ ପାଇଥିବା ଦୁଇ ଯୁବ ତାରକା ପୃଥ୍ବୀ ସ’ ଓ ମୟଙ୍କ ଅଗ୍ରୱାଲ ଲଗାତର ବିଫଳ ହୋଇଛନ୍ତି। ଚତୁର୍ଥ ଓ ପଞ୍ଚମ ସ୍ଥାନରେ କିନ୍ତୁ ଭାରତ ଭଲ କରିଛି।

ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳାରେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିଥିବା ଶ୍ରେୟସ୍ ଆୟର ଓ ‌କେଏଲ୍ ରାହୁଲ ମୋଟ ୪୨୧ ରନ୍ କରିଛନ୍ତି। କୋହଲି, ସ’, ଅଗ୍ରୱାଲ ଓ କେଦାର ଯାଦବଙ୍କ ସହ ଅନ୍ୟ ସମସ୍ତ ଭାରତୀୟ ବ୍ୟାଟ୍ସମ୍ୟାନ୍ ମିଶିକି ଏହି ଦୁଇଜଣଙ୍କଠାରୁ ମାତ୍ର ଦୁଇ ରନ୍ ଅଧିକ ଅର୍ଥାତ୍ ୪୨୩ ରନ୍ କରିଛନ୍ତି।

ଏକଦା ଭାରତୀୟ ଶୀର୍ଷକ୍ରମର ଗଭୀରତା ପ୍ରତିପକ୍ଷ ମନରେ ଭୟ ସଞ୍ଚାରଣ କରୁଥିଲା। ମଧ୍ୟକ୍ରମରେ ମଧ୍ୟ ରାହୁଲ ଦ୍ରାବିଡ଼, ୟୁବରାଜ ସିଂହ, ସୁରେଶ ରାଇନା ଓ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଖେଳାଳିଙ୍କୁ ନେଇ ସମୃଦ୍ଧ ଥିଲା। ଗତ କିଛି ବର୍ଷ ହେବ ଭାରତୀୟ କ୍ରିକେଟ୍ ଦଳ ପାଇଁ ଖେଳାଳି ପରଖିବାର ପରୀକ୍ଷାଗାର ପାଲଟିଛି। ବହୁ ଖେଳାଳିଙ୍କୁ ସୁଯୋଗ ମିଳିଥିଲେ କାହା ବ୍ୟାଟ୍ ଆଶାଜନକ ଫଳ ଦେଇନି। ତେବେ ଆୟର ଓ ରାହୁଲ ଆସିବା ପରେ କିନ୍ତୁ ଏହି ସ୍ଥିତି ବଦଳିଛି।

ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ଯୁବ ପ୍ରାରମ୍ଭିକ ଯୋଡ଼ି ପୃଥ୍ବୀ ସ’ ଓ ମୟଙ୍କ ଅଗ୍ରୱାଲ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ଅଧିନାୟକ କୋହଲି ୩ ପାଳିରୁ ୭୫ ରନ୍ କରିଥିଲା ବେଳେ ଗତ ପାଞ୍ଚ ବର୍ଷ ଭିତରେ କୌଣସି ଦ୍ବିପାକ୍ଷିକ ଶୃଙ୍ଖଳାରେ ଏହା ତାଙ୍କର ସବୁଠାରୁ ଖରାପ ପ୍ରଦର୍ଶନ ଥିଲା। ଅନ୍ୟ ପକ୍ଷରେ ରାହୁଲ ଦ୍ବିତୀୟ ସର୍ବାଧିକ ୨୦୨ ରନ୍ କରିଥିଲେ। ସେଥିମଧ୍ୟରେ ଗୋଟିଏ ଶତକ ଓ ଗୋଟିଏ ଅର୍ଧଶତକ ଥିଲା। ଉଦୀୟମାନ ତାରକା ଆୟର ସର୍ବାଧିକ ୨୧୭ ରନ୍ କରିଥିଲେ। ସେ ୭୨.୩୩ ହାରରେ ରନ୍ କରିଥିଲା ବେଳେ ଦୁଇଟି ଅର୍ଧଶତକ ଓ ଗୋଟିଏ ଶତକ ହାସଲ କରିଥିଲେ।

୧୨ ବର୍ଷ ପରେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଦୁଇଟି ଶତକ
୨୦୧୬ ଏପ୍ରିଲ ମାସଠାରୁ ଭାରତ ଚତୁର୍ଥ ସ୍ଥାନରେ ୧୩ ଜଣ ଖେଳାଳିଙ୍କୁ ଖେଳାଇଛି। ସେମାନେ ମିଳିତ ଭାବେ ୩ ଶତକ ଓ ୧୩ ଅର୍ଧଶତକ ବଳରେ ଓ ୩୫.୧୪ ହାରରେ ରନ୍ କରିଛନ୍ତି। ଅନ୍ୟପକ୍ଷରେ ଶ୍ରେୟସ୍ ଆୟର ଚତୁର୍ଥ ସ୍ଥାନରେ ୮ ପାଳି ଖେଳି ୫୬.୮୫ ହାରରେ ରନ୍ କରିଛନ୍ତି। ଏହି ସ୍ଥାନରେ ସେ ଚାରିଟି ଅର୍ଧଶତକ ଓ ଗୋଟିଏ ଶତକ ଅର୍ଜନ କରିଛନ୍ତି। ଅର୍ଥାତ୍ ୧୩ ଜଣ ଖେଳାଳି ମିଳିତ ଭାବେ ଯାହା କରିପାରିନାହାନ୍ତି, ଶ୍ରେୟସ୍ ଏକୁଟିଆ ତାହା କରି ଦେଖାଇଛନ୍ତି। ସେହିଭଳି ୨୦୦୭ ମସିହା ପରେ ଏକ ଦିନିକିଆ ଶୃଙ୍ଖଳାରେ ପ୍ରଥମ ଥର ପାଇଁ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଖେଳି ଦୁଇ ଜଣ ଖେଳାଳି ଦୁଇଟି ଶତକ ଅର୍ଜନ କରିଛନ୍ତି। ଶ୍ରେୟସ୍ ଓ ରାହୁଲଙ୍କ ପୂର୍ବରୁ ୨୦୦୭ ମସିହାରେ ଯୁବରାଜ ସିଂହ ଓ ମହେନ୍ଦ୍ର ସିଂହ ଧୋନି ପାକିସ୍ତାନ ବିପକ୍ଷରେ ଏଭଳି ସଫଳତା ଲାଭ କରିଥିଲେ।

ସମ୍ବନ୍ଧିତ ଖବର