ପୁଣେ: ମଙ୍ଗଳବାର ପ୍ରଥମ ଦିନିକିଆ ମ୍ୟାଚ୍‌ରେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ବାମ କାନ୍ଧରେ ଗୁରୁତର ଆଘାତ ପାଇଥିବା ଭାରତୀୟ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ଶ୍ରେୟସ ଆୟର ଶୃଙ୍ଖଳାର ଅବଶିଷ୍ଟ ଦୁଇଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ କାନ୍ଧର ହାଡ଼ ଆଂଶିକ ଭାବେ ଖସି ଯାଇଥିଲା ବେଳେ ମଙ୍ଗଳବାର ତୁରନ୍ତ ସ୍କାନ୍‌ କରାଯାଇଥିଲା। ତାଙ୍କୁ ପୂରା ସୁସ୍ଥ ହେବା ପାଇଁ କିଛି ସପ୍ତାହ ଲାଗିପାରେ। ଆୟରଙ୍କ ଅନୁପସ୍ଥିତି ଭାରତୀୟ ଦଳର ରଣକୌଶଳକୁ ବିଶେଷ କ୍ଷତିଗ୍ରସ୍ତ କରିପାରିବନି ବୋଲି କୁହାଯାଇଛି। କାରଣ ତାଙ୍କ ସ୍ଥାନ ଭରଣା କରିବା ପାଇଁ ଦଳ ନିକଟରେ ସୂର୍ଯ୍ୟକୁମାର ଯାଦବ ଏବଂ ଶୁବମନ ଗିଲ୍‌ ବିକଳ୍ପ ଭାବେ ରହିଥିବା ଦଳୀୟ ସୂତ୍ରରୁ କୁହାଯାଇଛି। ଏପରିକି ଆୟର ମଧ୍ୟ ଆଗାମୀ ଆଇପିଏଲ୍‌ର ପ୍ରଥମାର୍ଦ୍ଧରୁ ବଞ୍ଚିତ ହେବେ। ଫଳରେ ଆଇପିଏଲ୍‌କୁ ସେ ଫେରିବା ପର୍ଯ୍ୟନ୍ତ ତାଙ୍କ ସ୍ଥାନରେ ୱିକେଟ୍‌ ରକ୍ଷକ ତଥା ଉପଅଧିନାୟକ ଋଷଭ ପନ୍ତ୍‌ ଦିଲ୍ଲୀ କ୍ୟାପିଟାଲ୍‌ସର ନେତୃତ୍ବ ନେବେ। ଆଇପିଏଲ୍‌ ଚତୁର୍ଦ୍ଦଶ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍‌ସ ଦ୍ବିତୀୟ ଦିନ ମୁମ୍ବାଇରେ ଚେନ୍ନାଇ ସୁପର କିଙ୍ଗ୍‌ସ ସହ ଖେଳି ଅଭିଯାନ ଆରମ୍ଭ କରିବ।

Advertisment

ଗତ ୬ ମାସ ମଧ୍ୟରେ ଆୟର ଦ୍ବିତୀୟ ଥର ପାଇଁ କାନ୍ଧଜନିତ ଆଘାତ ପାଇଛନ୍ତି। ଗତ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ସମଦଶା ଭୋଗିଥିଲେ। ତେବେ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ଶୃଙ୍ଖଳା ପାଇଁ ଦଳକୁ ଫେରିବା ପୂର୍ବରୁ ଆୟର ବିସିସିଆଇର ଘରୋଇ ପ୍ରତିଯୋଗିତା ବିଜୟ ହଜାରେ ଟ୍ରଫି ଜରିଆରେ ୮ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଯେଉଁଥିରେ କି ସେ ୨ ଶତକ ଜମାଇଥିଲେ।