ଆଘାତ ଜନିତ କାରଣରୁ ଇଂଲଣ୍ଡ ବିପକ୍ଷ ଶେଷ ୨ଟି ଦିନିକିଆରୁ ବାଦ ପଡ଼ିଲେ ଶ୍ରେୟସ ଆୟର, ଆଇପିଏଲ ଖେଳିବା ନେଇ ସଂଦେହ

ମୁମ୍ବାଇ : ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଇଂଲଣ୍ଡ ସହ ଖେଳାଯିବାକୁ ଥିବା ଅବଶିଷ୍ଟ ୨ଟି ଏକ ଦିବସୀୟ ମ୍ୟାଚ ନିମନ୍ତେ ଟିମରୁ ବାଦ ପଡ଼ିଛନ୍ତି । କାନ୍ଧରେ ଆଘାତ ଲାଗିଥିବାରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ଏପରିକି ସେ ଆସନ୍ତା ମାସରୁ ଆରମ୍ଭ ହେଉଥିବା ଆଇପିଏଲରେ  ମଧ୍ୟ ଖେଳିବା ନେଇ ସଂଦେହ ଦେଖାଦେଇଛି । ଏହା ଫଳରେ ଭାରତୀୟ ଦଳକୁ ଏକ ଶକ୍ତ ଧକ୍କା ଲାଗିଛି ।

ଗତକାଲି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଫିଲଡିଂ କରୁଥିବାବେଳେ ସେ ଆହତ ହୋଇଥିଲେ । ମ୍ୟାଚ ୮ମ ଓଭରରେ ସେ ଫିଲଡିଂ କରୁଥିବାବେଳେ ଜନି ବେୟାରଷ୍ଟୋଙ୍କ ଏକ ସଟକୁ ଅଟକାଇବାକୁ ଯାଇ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା । ଏହା ପରେ ତାଙ୍କ କାନ୍ଧ ସ୍କାନ କରାଯାଇଥିଲା । ସେଥିରୁ ତାଙ୍କ କାନ୍ଧ ଗଣ୍ଠି ଜଖମ ହୋଇଥିବା କଥା ସ୍ପଷ୍ଟ ହୋଇଥିଲା ।

ଶ୍ରେୟସ ଆୟର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅଛନ୍ତି । ତାଙ୍କ ଅନୁପସ୍ଥିତିରେ ଦିଲ୍ଲୀ ଦଳରେ ଋଷଭ ପନ୍ଥ,ଅଜିଙ୍କ୍ୟ ରାହାଣେ କିମ୍ବା ଷ୍ଟିଭ ସ୍ମିଥଙ୍କ ମଧ୍ୟରୁ ଜଣକୁ ଅଧିନାୟକ ବାଛିପାରେ ।

ଗତ କାଲିର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆୟର ମାତ୍ର ୬ ରନକରି ଆଉଟ ହୋଇଥିଲେ । ଏହି ମ୍ୟାଚରେ ଭାରତ ୬୬ ରନରେ ବିଜୟୀ ହୋଇଥିଲା ।

ସମ୍ବନ୍ଧିତ ଖବର