ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ ତଥା ‘ଆଇପିଏଲ୍’ରେ ‘କୋଲ୍କାତା ନାଇଟ୍ ରାଇଡର୍’ର ଅଧିନାୟକ ଶ୍ରେୟସ୍ ଅୟର୍ଙ୍କ ଅଣ୍ଟାରେ ଅସ୍ତ୍ରୋପଚାର କରାଯିବ ବୋଲି ଆଜି ବିଶେଷସୂତ୍ରରୁ ତଥ୍ୟ ସଂଗ୍ରହ କରି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ଅଣ୍ଟାରେ ଆଘାତ ଯୋଗୁଁ ଅୟର୍ ‘ବର୍ଡର୍-ଗାଭାସ୍କର୍ ଟ୍ରଫି ୨୦୨୩’ର ଫାଇନାଲ୍ ଦିନରୁ ଆଉ ଖେଳୁ ନାହାନ୍ତି। ‘ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ’ର (ବିସିସିଆଇ) କଡ଼ା ତତ୍ତ୍ବାବଧାନରେ ଲଣ୍ଡନ୍ ଅଥବା ଭାରତରେ କୌଣସି ଏକ ସ୍ଥାନରେ ତାଙ୍କ ଅଣ୍ଟାରେ ଅସ୍ତ୍ରୋପଚାର କରାଯିବ ବୋଲି ଆଶା କରାଯାଉଛି।
ମୁମ୍ବାଇସ୍ଥିତ ଜଣେ ଡାକ୍ତରଙ୍କ ସହିତ ତୃତୀୟ ଥର ସାକ୍ଷାତ୍ କରିବା ବେଳେ ଅସ୍ତ୍ରୋପଚାର ନିମନ୍ତେ ଅୟର୍ଙ୍କୁ ପରାମର୍ଶ ଦିଆଯାଇଛି। ଅସ୍ତ୍ରୋପଚାର ପରେ ଅନ୍ୟୂନ ୫ ମାସ ପର୍ଯ୍ୟନ୍ତ ସେ ଖେଳି ନ ପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଫଳରେ ଏହି ସମୟ ମଧ୍ୟରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ‘ୱାର୍ଲଡ୍ ଟେଷ୍ଟ୍ ଚାମ୍ପିୟନ୍ସିପ୍’ର ଫାଇନାଲ୍, ମାର୍ଚ ୩୧ରେ ଆରମ୍ଭ ହେବାକୁ ଥିବା ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍’ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଅଂଶ ଗ୍ରହଣ ନ କରି ପାରନ୍ତି। ସେହିପରି, ‘ଓଡିଆଇ ୱାର୍ଲଡ୍ କପ୍’ରେ ବି ସେ ଖେଳିବେ କି, ନାହିଁ ନିଶ୍ଚିତ ହୋଇନାହିଁ। ଅୟର୍ଙ୍କୁ ୧୨.୨୫ କୋଟି ଟଙ୍କାରେ ଖରିଦ କରିଥିବା ‘ଆଇପିଏଲ୍ ଫ୍ରାଞ୍ଚାଇଜି ‘କେକେଆର୍’ ପାଇଁ ତାଙ୍କର ଅନୁପସ୍ଥିତି ବଡ଼ ଅସୁବିଧାରେ ପକାଇବ। କାରଣ ମାତ୍ର ୧୦ ଦିନ ମଧ୍ୟରେ ସେମାନଙ୍କୁ ଅୟର୍ଙ୍କ ପରିବର୍ତ୍ତେ ତରବରିଆ ଭାବେ ଆଉ ଜଣେ ବ୍ୟାଟ୍ସ୍ମ୍ୟାନ୍ ଖୋଜିବାକୁ ପଡ଼ିବ।
ସ୍ମରଣଯୋଗ୍ୟ, ଅଣ୍ଟାରେ ଆଘାତ ଯୋଗୁଁ ୨୦୨୨ ‘ଟି୨୦ ବିଶ୍ବକପ୍’ରେ ଭାରତୀୟ କ୍ରିକେଟ୍ ଖେଳାଳି ଜସ୍ପ୍ରୀତ୍ ବୁମ୍ରା ମଧ୍ୟ ଖେଳି ପାରି ନ ଥିଲେ।