ବୋଲରଙ୍କ ଦିନରେ ଶ୍ରେୟସ ଚମକ: ଭାରତର ୨୫୨ ଜବାବରେ ଶ୍ରୀଲଙ୍କା ୮୬/୬

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଟେଷ୍ଟ୍‌ର ପ୍ରଥମ ଦିନରେ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଭରତର ସମସ୍ତ ୧୦ ୱିକେଟ୍ ସହ ଏହି ଗୋଲାପି ବଲ୍ ଟେଷ୍ଟ୍‌ର ପ୍ରଥମ ଦିନରେ ମୋଟ ୧୬ ୱିକେଟ୍‌ର ପତନ ଘଟିଛି। କଷ୍ଟକର ଏବଂ ଟର୍ଣ୍ଣିଂ ପିଚ୍‌ରେ କିନ୍ତୁ ଭାରତୀୟ ଯୁବ ବ୍ୟାଟର୍ ଶ୍ରେୟସ୍ ଆୟର ନିଜ ଛାପ ଛାଡ଼ିଛନ୍ତି। ତାଙ୍କ ୯୨ ରନ୍‌ର ସାହସୀ ପାଳି ବଳରେ ଭାରତ ତା’ର ପ୍ରଥମ ପାଳିରେ ୨୫୨ ରନ୍ କରିଛି। ଏହାର ଜବାବରେ ଶ୍ରୀଲଙ୍କା ମାତ୍ର ୮୬ ରନ୍‌ରେ ୬ ୱିକେଟ୍ ହରାଇ ସଙ୍କଟରେ ପଡ଼ିଛି। ବୋଲରଙ୍କ ବଢ଼ିଆ ପ୍ରଦର୍ଶନ ପାଇଁ ପ୍ରଥମ ଦିନର ସମ୍ମାନ ଆପାତତଃ ଭାରତ ଖାତାକୁ ଯାଇଛି।

ନିଜ ଚତୁର୍ଥ ଦିବା-ରାତ୍ର ବା ଗୋଲାପି ବଲ୍ ଟେଷ୍ଟ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ହେଲେ ଦ୍ବିତୀୟ ଓଭରରେ ହିଁ ଭାରତ ଏକ ଦୁର୍ଭାଗ୍ୟଜନକ ଘଟଣାର ସମ୍ମୁଖୀନ ହୋଇଥିଲା। ଓପନର ମୟଙ୍କ ଅଗ୍ରୱାଲ ବିତର୍କିତ ଏବଂ ଆଶ୍ଚର୍ଯ୍ୟଜନକ ଢଙ୍ଗରେ ରନ୍‌ଆଉଟ୍ ହୋଇଯାଇଥିଲେ। ନିଜେ ରୋହିତ (୧୫) ବି ବଡ଼ ପାଳି ଖେଳି ପାରିନଥିଲେ। ହନୁମା ବିହାରୀ (୩୧) ଓ ପୂର୍ବ ଅଧିନାୟକ ବିରାଟ କୋହଲି (୨୩) ମଧ୍ୟ ପୁଣି ଥରେ ନିରାଶ କରିଥିଲେ। ଗତ ଦୁଇ ବର୍ଷ ଭିତରେ ନିଜ ପ୍ରଥମ ଶତକ ସନ୍ଧାନରେ ଥିବା କୋହଲି ପୁଣି ଥରେ ତ୍ରୁଟିପୂର୍ଣ୍ଣ ପାଦ ଚାଳନା କରି ଏଲ୍‌ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଏହା ପରେ ୱିକେଟ୍ ରକ୍ଷକ ଋଷଭ ପନ୍ତ ଏବଂ ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସ୍ ଆୟର (୯୨) ଭାରତ ପାଳିର ଦ୍ବିତୀୟ ସର୍ବାଧିକ ଭାଗୀଦାରି (ଯାହା ମାତ୍ର ୪୦ ରନ୍ ଥିଲା) କରି ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ। ବିଶେଷ କରି ଋଷଭ ମାତ୍ର ୨୬ ବଲ୍‌ରୁ ୭ ଦର୍ଶନୀୟ ଚୌକା ସହ ୩୯ ରନ୍‌ର ବି‌ସ୍ଫୋରକ ପାଳି ଖେଳିଥିଲେ। ବିପଜ୍ଜନକ ହେବା ପୂର୍ବରୁ ଅବଶ୍ୟ ଶ୍ରୀଲଙ୍କା ବୋଲର ତାଙ୍କୁ ଶିକାର କରିନେଇଥିଲେ। ‌ତେବେ ଶ୍ରେୟସ୍ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ। ଅନ୍ୟପଟୁ ୱିକେଟ୍ ପତନ ଜାରି ରହିଥିଲେ ମଧ୍ୟ ସାହସର ସହ ସେ ଦ୍ବିତୀୟ ଅର୍ଦ୍ଧଶତକ ପୂରଣ କରିନେଇଥିଲେ। ତେବେ ଭାରତର ଶେଷ ୱିକେଟ୍ ଭାବେ ଆଉଟ୍ ହୋଇ ମାତ୍ର ୮ ରନ୍ ପାଇଁ ଦ୍ବିତୀୟ ଶତକରୁ ବଞ୍ଚିତ ହୋଇଥିଲେ। ୯୦ କିମ୍ବା ତା’ଠାରୁ ଅଧିକ ରନ୍‌ରେ ଥିଲା ବେଳେ ଦିଲୀପ ଭେଙ୍ଗସରକାର (୯୭ ବନାମ ପାକିସ୍ତାନ, ୧୯୮୭ ଚେନ୍ନାଇ), ସଚିନ ତେନ୍ଦୁଲକର (୯୦ ବନାମ ଇଂଲଣ୍ଡ, ୨୦୦୧ ବେଙ୍ଗାଲୁରୁ), ବୀରେନ୍ଦ୍ର ସେହବାଗ (୯୯ ବନାମ ଶ୍ରୀଲଙ୍କା, ୨୦୧୦ କଲମ୍ବୋ)ଙ୍କ ପରେ ଚତୁର୍ଥ ଭାରତୀୟ ଭାବେ ଷ୍ଟମ୍ପିଂ ହୋଇଥିଲେ।

ଭାରତ ପାଳି ପରେ ତୃତୀୟ ଅଧିବେଶନର ଠିକ୍ ପୂର୍ବରୁ ଶ୍ରୀଲଙ୍କା ତାର ପାଳି ଆରମ୍ଭ କରିଥିଲା। ହେଲେ ଭାରତୀୟ ଦ୍ରୁତ ବୋଲର ଖୁବଶୀଘ୍ର ତା’ର ଶୀର୍ଷକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲେ। ଶ୍ରୀଲଙ୍କା ୨୮ ରନ୍‌ରେ ୪ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ଏହି ଚାରିଟି ୱିକେଟ୍ ଭିତରୁ ଭାରତର ଦୁଇ ସଫଳ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏବଂ ମହମ୍ମଦ ସାମି ଦୁଇଟି ଲେଖାଏଁ ୱିକେଟ୍ ବାଣ୍ଟି ନେଇଥିଲେ। ଚରିତ ଅସଲଙ୍କା (୫)ଙ୍କୁ ପଞ୍ଚମ ୱିକେଟ୍ ଭାବେ ଅକ୍ଷର ପଟେଲ ସାଥୀ ସ୍ପିନର ଆର ଅଶ୍ବିନଙ୍କ ହାତରେ କ୍ୟାଚ୍ କରାଇନେବା ପରେ ମାତ୍ର ୫୦ ରନ୍‌ରେ ଶ୍ରୀଲଙ୍କା ତାର ଅଧାଦଳକୁ ହରାଇଥିଲା। ଆଞ୍ଜେଲୋ ମାଥ୍ୟୁସ୍‌ଙ୍କୁ ବୁମ୍‌ରା ନିଜ ତୃତୀୟ ଶିକାର କରି ନେଇଥିଲେ।

ସମ୍ବନ୍ଧିତ ଖବର