ଶ୍ରେୟସୀ ଜିତିଲେ ସୁନା: ବନ୍ଧୁକ ଚାଳନାରୁ ଆଉ ୩ ପଦକ

ଗୋଲ୍ଡକୋଷ୍ଟ: ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବୁଧବାର ସପ୍ତମ ଦିନରେ ଭାରତ ତିନିଟି ପଦକ ଜିତିଛି। ତିନିଟି ଯାକ ପଦକ ବନ୍ଧୁକ ଚାଳନାରୁ ଆସିଛି। ମହିଳା ଡବଲ୍‌ ଟ୍ରାପ୍‌ରେ ଶ୍ରେୟସୀ ସିଂହ ଭାରତକୁ ଆଜି ଦ୍ୱାଦଶ ସ୍ୱର୍ଣ୍ଣ ଉପହାର ଦେଇଛନ୍ତି। ଅନ୍ୟ ପକ୍ଷରେ ଓମ୍‌ ମିଥରଭାଲ ଓ ଅଙ୍କୁର ମିତ୍ତଲ ବଳକା ଦୁଇଟି ପଦକ ପାଇଛନ୍ତି। ଉଭୟ ଓମ୍‌ ଏବଂ ଅଙ୍କୁର ନିଜ ନିଜ ବର୍ଗର ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ହାସଲ କରିଛନ୍ତି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଓମ୍‌ଙ୍କର ବ୍ୟକ୍ତିଗତ ଭାବେ ଏହା ଦ୍ୱିତୀୟ ପଦକ ହୋଇଥିଲା ବେଳେ ଅଙ୍କୁର ପ୍ରଥମ ଥର ପାଇଁ ପୋଡିୟମ୍‌ ଫିନିସ୍‌ ପାଇଛନ୍ତି। ଏହା ପୂର୍ବରୁ ଓମ୍‌ ପୁରୁଷ ୧୦ ମିଟର ଏୟାର ପିସ୍ତଲରେ କାଂସ୍ୟ ପଦକ ଜିତିଥିଲେ। ଅନ୍ୟ ପକ୍ଷରେ ୨୦୧୪ ମସିହାର ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଶ୍ରେୟସୀ ଗୋଲ୍ଡକୋଷ୍ଟରେ ଏହାକୁ ସ୍ୱର୍ଣ୍ଣରେ ରୂପାନ୍ତର କରିଛନ୍ତି। ସେପଟେ ବୁଧବାରର ତିନିିଟି ପଦକ ପରେ ଭାରତର ମୋଟ ପଦକ ସଂଖ୍ୟା ୨୪ (୧୨ ସ୍ୱର୍ଣ୍ଣ, ୪ ରୌପ୍ୟ, ୮ କାଂସ୍ୟ) ରେ ପହଞ୍ଚିଛି। ତେବେ ଆୟୋଜକ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ନିଜ ସ୍ଥିତି ଆହୁରି ଦୃଢ଼ କରି ନେଇଛନ୍ତି। ସେମାନଙ୍କ ତଳକୁ ଭାରତ ପୂର୍ବବତ୍‌ ତୃତୀୟ ସ୍ଥାନରେ ଅପରିବର୍ତିତ ରହିଛି।

ଭାରତ ପାଇଁ ବୁଧବାରର ପ୍ରଥମ ପଦକ ମିଥରଭାଲ ବେଲ୍‌ମଣ୍ଟ ବନ୍ଧୁକ ଚାଳନା ରେଞ୍ଜ୍‌ରେ ଜିତିଥିଲେ। ୫୦ ମିଟର ପିସ୍ତଲରେ ତୃତୀୟ ସ୍ଥାନ ଅଧିକାର କରି ସେ ହୀନା ସିଦ୍ଧୁଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୁଇଟି ପଦକ ହାସଲ କରିଥିଲେ। ନିଜ ବର୍ଗରେ ମିଥରଭାଲ ମୋଟ ୨୦୧.୧ ପଏଣ୍ଟ ଅର୍ଜନ କରି କାଂସ୍ୟ ପଦକ ଜିତିଥିଲେ। ୧୦ ଜଣିଆ ଫାଇନାଲରେ ଦୁଇ ଦିନ ତଳେ ସ୍ୱର୍ଣ୍ଣ ଜିତିଥିବା ଜିତୁ ରାଏ କିନ୍ତୁ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୦୫ ପଏଣ୍ଟ ସହ ଶେଷ ସ୍ଥାନରେ ରହିଥିଲେ। ଏହାର ଦୁଇ ଘଣ୍ଟା ପରେ ୨୬ ବର୍ଷୀୟା ଶ୍ରେୟସୀ ତାଙ୍କ କମାଲ ଦେଖାଇଥିଲେ। ୧୦ ଜଣିଆ ଫାଇନାଲରେ ପୂରା ଆଧିପତ୍ୟ ବିସ୍ତାର କରି ମୋଟ ୯୫ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରି ନେଇଥିଲେ। ଅଷ୍ଟ୍ରେଲିଆର ଏମ୍ମା କକ୍ସ ତାଙ୍କ ପଛରେ ରହି ରୌପ୍ୟ ପଦକ ପାଇଥିଲେ। ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ହାଭାର୍ଡ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ବର୍ଷା ବର୍ଧନ ଏହି ବର୍ଗରେ ମାତ୍ର ଏକ ପଏଣ୍ଟ ପାଇଁ କାଂସ୍ୟ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ବୁଧବାରର ତୃତୀୟ ତଥା ଶେଷ ପଦକ ଅଙ୍କୁର ପୁରୁଷ ଡବଲ ଟ୍ରାପରୁ ହାସଲ କରିଥିଲେ। ଭାରତର ଶୀର୍ଷମାନ୍ୟତା ପ୍ରାପ୍ତ ଡବଲ ଟ୍ରାପ ବନ୍ଧୁକଚାଳକ ଅଙ୍କୁର ୧୦ ପ୍ରୟାସରୁ ୫୩ ପଏଣ୍ଟ ଅର୍ଜନ କରି ବ୍ୟକ୍ତିଗତ ଭାବେ ପ୍ରଥମ ଏବଂ ଭାରତ ପକ୍ଷରୁ ୨୪ତମ ପଦକ ଜିତିଥିଲେ। ସ୍କଟଲାଣ୍ଡ୍‌ର ଡେଭିଡ୍‌ ମ୍ୟାକମ୍ୟାଥ ଓ ଆଇସଏଲ୍‌ ଅଫ୍‌ ମେନର ଟିମ୍‌ ମ୍ୟାକନିଆଲ ରୌପ୍ୟ ପଦକ ପାଇଥିଲେ।

ଶ୍ରେଷ୍ଠ ସମୟ ସତ୍ତ୍ୱେ ହୀମା ଷଷ୍ଠ

ମହିଳା ୪୦୦ ମିଟର ଦୌଡ଼ରେ ଭାରତର ହୀମା ଦାସ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ (୫୧.୩୨ ସେକେଣ୍ଡ) ପାଇଥିଲେ ମଧ୍ୟ ଷଷ୍ଠ ସ୍ଥାନରେ ରହି ପଦକ ହାସଲରୁ ବଞ୍ଚିତ ହୋଇଥିଲେ। ଏହି ବର୍ଗର ସ୍ୱର୍ଣ୍ଣ ପଦକ ବୋସ୍‌ଓ୍ଵାନାର ଅମନତଲେ ମନ୍ତଶୋ, ରୌପ୍ୟ ଜାମାଇକାର ଅନାସ୍ତାସିଆର ଲି-ରଏ ଏବଂ କାଂସ୍ୟ ସେହି ଦେଶର ଷ୍ଟିଫାଇନ୍‌ ମ୍ୟାକଫିଅରସନଙ୍କୁ ମିଳିଥିଲା। ସେହିଭଳି ପୁରୁଷ ଉଚ୍ଚଡିଆଁରେ ତେଜସ୍ୱିନ୍‌ ଶଙ୍କର ମଧ୍ୟ ଷଷ୍ଠ ସ୍ଥାନରେ ନିଜ ଅଭିଯାନ ଶେଷ କରିଥିଲେ। ୧୨ ଜଣିଆ ଫାଇନାଲରେ ସେ ୨.୨୪ ମିଟରର ଶ୍ରେଷ୍ଠ ପ୍ରଦର୍ଶନ ପରେ ପ୍ରଥମ ତିନି ଜଣଙ୍କ ମଧ୍ୟରେ ସ୍ଥାନ ପାଇ ନଥିଲେ।

ସ୍ୱର୍ଣ୍ଣ ଜିତିଲେ କ୍ରିକେଟର୍‌ ଷ୍ଟାର୍କଙ୍କ ଭାଇ

ଅଷ୍ଟ୍ରେଲିଆ କ୍ରିକେଟର୍‌ ମିଚେଲ ଷ୍ଟାର୍କଙ୍କ ସାନଭାଇ ବ୍ରେଣ୍ଡନ ଷ୍ଟାର୍କ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଊଚ୍ଚଡିଆଁରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବ୍ରେଣ୍ଡନ ଏକ କ୍ରିକେଟ୍‌ ପରିବାରରୁ ଆସିଥିଲେ ମଧ୍ୟ ତାଙ୍କର ଏହି ଖେଳରେ କୌଣସି ରୁଚି ନାହିଁ। ୨୪ ବର୍ଷୀୟ ବ୍ରେଣ୍ଡନ ବୁଧବାର ୨.୩୨ ମିଟର ଉଚ୍ଚକୁ ଡେଇଁ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲେ। ୨୦୧୦ ଯୁବ ଅଲିମ୍ପିକ୍ସରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ମିଚେଲ ନିଜ ଭାଇର ସଫଳତାରେ ବେଶ୍‌ ଆନନ୍ଦିତ ହେବା ସହ ଟ୍ଵିଟରରେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର