ଶ୍ରେୟସ୍ ୪ ନମ୍ବର ପାଇଁ ଭଲ, ଋଷବ ତଳେ ଖେଳନ୍ତୁ: ଗାଭାସ୍କର

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଦିନିକିଆରେ ୭୧ ରନ୍‌ର ଉପଯୋଗୀ ପାଳି ଖେଳିବା ପରେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କ ପ୍ରଶଂସକ ପାଲଟି ଯାଇଛନ୍ତି। ବ୍ୟାଟ୍ସମ୍ୟାନ୍ ଭାବେ ଶ୍ରେୟସଙ୍କୁ ଉପରେ ରଖିବା ସହ ବିତର୍କିତ ୪ ନମ୍ବର ସ୍ଥାନ ପାଇଁ ସେ ପୂରା ଉପଯୁକ୍ତ ବୋଲି ଗାଭାସ୍କର କହିଛନ୍ତି। ଅନ୍ୟପକ୍ଷରେ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କୁ ତଳେ ଖେଳାଇବାକୁ ଗାଭାସ୍କର ପରାମର୍ଶ ଦେଇଛନ୍ତି। ଏଥିନେଇ ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ମୁଁ ଭାବୁଛି ଧୋନିଙ୍କ ଭଳି ପନ୍ତ ୫ କିମ୍ବା ୬ ନମ୍ବରରେ ଖେଳିଲେ ଭଲ। ସେଠାରେ ସେ ନିଜ ସ୍ବାଭାବିକ ଖେଳ ଖେଳି ପାରିବେ। ଭାରତ ଭଲ ଆରମ୍ଭ ପାଇଲେ ଅର୍ଥାତ୍ ଶିଖର, ରୋହିତ କିମ୍ବା କୋହଲି ୪୦ ଓଭର ପର୍ଯ୍ୟନ୍ତ ଖେଳିଲେ ପନ୍ତ ୪ ନମ୍ବରରେ ବ୍ୟାଟିଂ ଆସିଲେ ଅସୁବିଧା ନାହିଁ। ଅନ୍ୟଥା ଶ୍ରେୟସ୍‌ଙ୍କୁ ଏହି ସ୍ଥାନରେ ସୁଯୋଗ ଦେଲେ ଭଲ। ୩୦-୩୫ ଓଭର ଭିତରେ ଶୀର୍ଷ ୩ ପ୍ୟାଭିଲିୟନ ଫେରିଲେ ଶ୍ରେୟସ୍ ୪ ଏବଂ ପନ୍ତ ୫ରେ ଖେଳିବା ଉଚିତ। ୨୪ ବର୍ଷୀୟ ଶ୍ରେୟସଙ୍କୁ ଗାଭାସ୍କର ମଧ୍ୟ ଲମ୍ବା ରେସ୍‌ର ଘୋଡ଼ା ଭାବେ ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧିତ ଖବର