ଭୁବନେଶ୍ବର: ପ୍ରଥମ ଦିନ ପରି ଦ୍ବିତୀୟ ଦିନରେ ମଧ୍ୟ ମୁମ୍ବାଇ ସମ୍ମୁଖରେ ଓଡ଼ିଶା ଖେଳାଳିମାନେ ମାଟି କାମୁଡ଼ିଛନ୍ତି। ଶରଦ ପାୱାର କ୍ରିକେଟ୍ ଏକାଡେମୀ ପଡ଼ିଆରେ ଚାଲିଥିବା ରଣଜୀ ମ୍ୟାଚ୍ରେ ଓଡ଼ିଶା ବୋଲର୍ମାନଙ୍କୁ ଦ୍ବିତୀୟ ଦିନରେ ବି ଶ୍ରେୟସ ଆୟର ଓ ସିଦ୍ଦେଶ ଲାଡ୍ ନୟାନ୍ତ କରିବା ସହ ୬୦୨/୪ରେ ମୁମ୍ବାଇ ପାଳି ଘୋଷଣା କରିଛି। ଶ୍ରେୟସ କ୍ୟାରିୟର୍ର ସର୍ବୋଚ୍ଚ ରନ୍ ସଂଗ୍ରହ କରିବା ସହ ପ୍ରଥମ ଶ୍ରେଣୀ କ୍ୟାରିୟର୍ର ତୃତୀୟ ଓ ରଣଜୀରେ ଦ୍ବିତୀୟ ଦ୍ବିଶତକ ଅର୍ଜନ କରିଛନ୍ତି। ୨୦୧ ବଲ୍ରୁ ଦେବବ୍ରତ ପ୍ରଧାନଙ୍କୁ ଚୌକା ମାରି ସେ ଦ୍ବିଶତକରେ ପହଞ୍ଚିବା ସହ ପରବର୍ତ୍ତୀ ବଲ୍ରେ ମଧ୍ୟ ଆଉ ଏକ ଚୌକା ମାରି ଶ୍ରେଷ୍ଠ ପ୍ରଥମ ଶ୍ରେଣୀ ସ୍କୋର କରିପାରିଥିଲେ। ପୂର୍ବରୁ ୨୦୧୭ରେ ଭାରତ ‘ଏ’ ପକ୍ଷରୁ ଖେଳିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ୨୦୨* ରନ୍ ସର୍ବୋଚ୍ଚ ଥିଲା। ଅନ୍ୟପକ୍ଷରେ ୨୦୧୫ରେ ସେ ପ୍ରଥମ ଥର ଦ୍ବିଶତକ ଅର୍ଜନ କରିଥିଲେ। ୨୨୮ ବଲ୍ରୁ ୨୪ ଚୌକା ଓ ୯ ଛକା ସହାୟତାରେ ଶ୍ରେୟସ ୨୩୩ ରନ୍ କରିଥିଲା ବେଳେ ହର୍ଷିତ ରାଠୋଡ଼ ବଲ୍ରେ ବିଫଳ ହେବାରୁ ଆଶୀର୍ବାଦ ସ୍ବାଇଁ ତାଙ୍କୁ ଷ୍ଟମ୍ପିଂ କରିଦେଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟାଂଶ ଶେଡ୍ଗେ (୭୯ ରନ୍, ୩୬ ବଲ୍, ୬ଛକା, ୭ଚୌକା) ଦ୍ରୁତ ଖେଳିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ସେହିପରି ଅନ୍ୟ ପଟରେ ପ୍ରଥମ ଦିନର ଅନ୍ୟତମ ଶତକ ଅର୍ଜନକାରୀ ସିଦ୍ଦେଶ ଲାଡ୍ ପାଳି ଘୋଷଣା ପର୍ଯ୍ୟନ୍ତ ୧୬୯ ରନ୍ରେ ଅପରାଜିତ ଥିଲେ।
ଶ୍ରେୟସଙ୍କ ଶ୍ରେଷ୍ଠ ପ୍ରଦର୍ଶନ
ମୁମ୍ବାଇ ୬୦୨/୪ରେ ପାଳି ଘୋଷଣା
ସନ୍ଦୀପ୍ ଭରସା, ଓଡ଼ିଶା ୧୪୬/୫
ଓଡ଼ିଶା ପାଇଁ କିନ୍ତୁ ପ୍ରାରମ୍ଭିକ ଯୋଡ଼ି ବିଫଳତା ଧାରା ଏଥର ମଧ୍ୟ ଜାରି ରହିଛି। ଶାନ୍ତନୁଙ୍କ ବଦଳରେ ଦଳରେ ସ୍ଥାନ ପାଇଥିବା ସ୍ବସ୍ତିକ ସାମଲ ଖାତା ଖୋଲିବା ପୂର୍ବରୁ ତୃତୀୟ ଓଭରରେ ପାଭିଲିୟନ୍ ଫେରିଥିଲେ। ଦୁଇ ବରିଷ୍ଠ ଖେଳାଳି ଗୋବିନ୍ଦ ପୋଦ୍ଦାର ଓ ବିପ୍ଳବ ସାମନ୍ତରାୟ ମଧ୍ୟ ୪ ଲେଖାଏଁ ବଲ୍ ଖେଳିଥିଲେ ମଧ୍ୟ କୌଣସି ରନ୍ କରି ନପାରି ଆଉଟ୍ ହୋଇଛନ୍ତି। ଅନୁରାଗ ଷଡ଼ଙ୍ଗୀ ୩୯ ଓ କାର୍ତ୍ତିକ ବିଶ୍ବାଳ ୨୨ ରନ୍ରେ ଆଉଟ୍ ହୋଇଥିଲା ବେଳେ ସନ୍ଦୀପ ପଟ୍ଟନାୟକ ଏକମାତ୍ର ସଫଳ ବ୍ୟାଟର୍ ଭାବେ ମୁମ୍ବାଇ ବୋଲରଙ୍କ ମୁକାବିଲା କରୁଛନ୍ତି। ସନ୍ଦୀପ ଅର୍ଦ୍ଧଶତକ ଅର୍ଜନ କରିବା ସହ ଷ୍ଟମ୍ପ୍ସ ବେଳକୁ ୧୪୧ ବଲ୍ରୁ ୭୩* ରନ୍ ସଂଗ୍ରହ କରି ଅପରାଜିତ ଅଛନ୍ତି। ଓଡ଼ିଶା ଏବେବି ୪୫୬ ରନ୍ରେ ପଛୁଆ ଥିବାରୁ ଫଲୋଅନ୍ ଆଶଙ୍କା ଦେଖାଦେଇଛି।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ପ୍ରଥମ ପାଳି ୧୨୩.୫ ଓଭରରେ ୬୦୨/୪ (ଘୋଷିତ) (ଶ୍ରେୟସ ଆୟର-୨୩୩, ସିଦ୍ଦେଶ ଲାଡ୍-୧୬୯*, ଅଙ୍ଗକ୍ରିଶ ରଘୁବଂଶୀ-୯୨, ବିପ୍ଳବ ସାମନ୍ତରାୟ-୨/୫୭, ସୂର୍ଯ୍ୟକାନ୍ତ ପ୍ରଧାନ- ୧/୬୬, ହର୍ଷିତ ରାଠୋଡ଼-୧/୧୩୬)। ଓଡ଼ିଶା ପ୍ରଥମ ପାଳି ୪୯ ଓଭରରେ ୧୪୬/୫ (ସନ୍ଦୀପ ପଟ୍ଟନାୟକ-୭୩*, ଅନୁରାଗ ଷଡ଼ଙ୍ଗୀ-୩୯, କାର୍ତ୍ତିକ ବିଶ୍ବାଳ-୨୨, ହିମାଂଶୁ ସିଂହ-୨/୨୨, ସାମ୍ସ ମୁଲାନି-୨/୫୨)।