ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ଆର୍ସେଲର-ମିତ୍ତଲ-ନିପନ୍ ଇଣ୍ଡିଆ ଏଚ୍ପିସି ପ୍ରତିଷ୍ଠା ଦିନଠାରୁ ରାଜ୍ୟରେ ଜିମ୍ନାଷ୍ଟିକ୍ସ ପାଇଁ ଏକ ଭଲ ମାହୋଲ ସୃଷ୍ଟି ହୋଇଛି। ଏହାରି ଭିତରେ ନବେ ଦଶକରେ ଓଡ଼ିଶା ପାଇଁ ଜିମ୍ନାଷ୍ଟିକ୍ସରୁ ସଫଳତା ଆଣି ଦେଇଥିବା ଶୁଭେନ୍ଦ୍ର ପାତ୍ରଙ୍କ ସଫଳତାର ଅନାଲୋଚିତ କାହାଣୀ ନୂଆ ମୋଡ଼ ନେଇଛି। ସଫଳ ଖେଳାଳିରୁ ବିଚାରକ, ଚୟନକର୍ତ୍ତା ପରେ ଏବେ ପ୍ରଶିକ୍ଷଣ ସଫଳତା ଶୁଭେନ୍ଦ୍ରଙ୍କ ଜୀବନରେ ନୂଆ ଫର୍ଦ ଯୋଡ଼ିଛି। ଜାନୁଆରି ପ୍ରଥମ ସପ୍ତାହରେ କଳିଙ୍ଗ ଷ୍ଟାଡିୟମ୍ ଜିମ୍ନାଷ୍ଟିକ୍ସ ସେଣ୍ଟରରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତାରେ ରେଳବାଇ ଦଳର ଦ୍ବିମୁକୁଟ ଅର୍ଜନ ପଛରେ ରହିଥିଲା ଶୁଭେନ୍ଦ୍ରଙ୍କ ଶୁଭ ହାତ। ରେଳବାଇ ମହିଳା ଦଳ ମୋଟ ଉପରେ ବିଜେତା ହେବାର ଧାରାକୁ ବଜାୟ ରଖିଥିଲା। କିନ୍ତୁ ରେଳବାଇ ପୁରୁଷ ଦଳର ସଂଘର୍ଷକୁ ସଫଳତାରେ ରୂପାନ୍ତରିତ କରିଛନ୍ତି ଶୁଭେନ୍ଦ୍ର। ଅନ୍ୟତମ ବୃତ୍ତିଗତ ଦଳ ସର୍ଭିସେସ୍ର ପ୍ରାଧାନ୍ୟକୁ ପ୍ରତିହତ କରି ଦୀର୍ଘ ୧୨ ବର୍ଷ ପରେ ରେଳବାଇ ପୁରୁଷ ଦଳ ବିଜେତା ହୋଇଛି। କହିବାକୁ ଗଲେ ଦଶନ୍ଧି ଧରି ଲାଇନଚ୍ୟୁତ ଥିବା ରେଳବାଇକୁ ଟ୍ରାକ୍କୁ ଫେରାଇ ଆଣିଛନ୍ତି ଏହି ୪୫ ବର୍ଷୀୟ ପୁରୀ ପ୍ରତିଭା। କାରଣ ଶୁଭେନ୍ଦ୍ର ହିଁ ଥିଲେ ଏଥର ରେଳବାଇ ଦଳର ପ୍ରଶିକ୍ଷକ।
ଓଡ଼ିଶାରେ ଜିମ୍ନାଷ୍ଟିକ୍ସ ଭଳି ଟେକନିକାଲ୍ ଖେଳ ଏତେ ଲୋକପ୍ରିୟ କି ସଫଳତା ପାଇ ନଥିଲା ନବେ ଦଶକରେ। ତଥାପି ଏହି ଖେଳର ପ୍ରାରମ୍ଭିକ ଜୀବନରେ ଜବିଉଲା ଖାନ୍, ଅଜୟ ଗୁପ୍ତା, ନିରଂଜନ ବେହେରାଙ୍କ ଭଳି କିଛି ନାମ ସ୍ବତଃ ମନକୁ ଆସିଯାଏ। ପରବର୍ତ୍ତୀ ସମୟରେ ରାକେଶ ପାତ୍ର ଓଡ଼ିଶା ଜିମ୍ନାଷ୍ଟିକ୍ସକୁ ଢେର ଶୀର୍ଷକୁ ନେଇଛନ୍ତି। କିନ୍ତୁ ନବେ ଦଶକ ଆରମ୍ଭର ଠିକ୍ ପୂର୍ବରୁ ଅଶୋକ ମିଶ୍ରଙ୍କ ପ୍ରଶିକ୍ଷଣ କେବଳ ଓଡ଼ିଶାକୁ ନୁହେଁ ଭାରତୀୟ ଜିମ୍ନାଷ୍ଟିକ୍ସକୁ ମଧ୍ୟ ନୂଆ ଦିଶା ଦେଖାଇଛନ୍ତି। ଶୁଭେନ୍ଦ୍ର ହେଉଛନ୍ତି ସେହି ଅଶୋକ ମିଶ୍ରଙ୍କ ଆଦ୍ୟ ପ୍ରଶିକ୍ଷିତ ଅନ୍ୟତମ ଶିଷ୍ୟ ଯିଏ ଏକାଧିକ ଜାତୀୟ ପଦକ ଜିତିବା ସହ ଅନ୍ତର୍ଜାତୀୟସ୍ତରରେ ବି ଜିମ୍ନାଷ୍ଟିକ୍ସ ଖେଳିଥିଲେ। ଜାତୀୟ କନିଷ୍ଠ ଓ ଉପକନିଷ୍ଠ ବର୍ଗରୁ ୫ ସ୍ବର୍ଣ୍ଣ, ୨ ରୌପ୍ୟ, ୩ କାଂସ୍ୟ ସହ ୧୦ ପଦକ ଏବଂ ବରିଷ୍ଠ ବର୍ଗର ଜାତୀୟ ଓ ଫେଡେରେସନ କପ୍ରୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୨ କାଂସ୍ୟ ସହ ୬ ପଦକ ଜିତିଥିଲେ। ୧୯୯୫ରୁ ରେଳବାଇରେ ଯୋଗଦେବା ପରଠାରୁ ସର୍ବଭାରତୀୟ ରେଳବାଇ ପ୍ରତିଯୋଗିତାରୁ ୪ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୧ କାଂସ୍ୟ ସହ ୬ ପଦକ ଜିତି ସଫଳତାର ଛାପ ଛାଡ଼ିଥିଲେ। ୧୯୯୧ ମସିହାର କଟକ ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାଠାରୁ ଆରମ୍ଭ କରି ଶୁଭେନ୍ଦ୍ରଙ୍କ ପଦକ ଅଭିଯାନ ୨୦୦୨-୦୩ କୋଲ୍କାତା ଅନ୍ତଃରେଳବାଇ ପ୍ରତିଯୋଗିତା ପର୍ଯ୍ୟନ୍ତ ଲମ୍ବିଥିଲା। ୧୯୯୭ ବେଙ୍ଗାଲୁରୁ ଜାତୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିବା ଶୁଭେନ୍ଦୁଙ୍କୁ ଶୀର୍ଷ ସଫଳତା ଦେଇଥିଲା। ଏହା ଛଡ଼ା ବେଲାରୁଷ ଓ ତେହେରାନରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଖେଳିଥିଲେ। ଭାରତୀୟ ଦଳ ସହ ମଧ୍ୟ ସେ ଏସୀୟ କ୍ରୀଡ଼ା, ଏସୀୟ ପ୍ରତିଯୋଗିତା ଆଦିରେ ବିଚାରକ ଓ ଚୟନକର୍ତା ଭାବେ ସାମିଲ ହୋଇ ଅଭିଜ୍ଞତାର ଉପଯୋଗ କରୁଛନ୍ତି।
ଆକାଶପାତାଳ ଫରକ
‘‘ଓଡ଼ିଶାରେ ଜିମ୍ନାଷ୍ଟିକ୍ସ ସେ ସମୟ ଏବଂ ବର୍ତ୍ତମାନ ସମୟ ତୁଳନା କଲେ ଆକାଶପାତାଳ ଫରକ ଅନୁଭବ ହେଉଛି। ଆମ ସମୟରେ ଏତେ ସୁବିଧା ସୁଯୋଗ ସହିତ ଭିତ୍ତିଭୂମି ଅଭାବ ଥିଲା। ପୁରୀରୁ ଚିହ୍ନଟ ହୋଇ ଆମେ କଟକରେ ପ୍ରଶିକ୍ଷଣ ନେଇଥିଲୁ। ଭାରତୀୟ ଉପକରଣରେ ଅଭ୍ୟାସ କରିବାକୁ ପଡୁଥିଲା। ଏବେ କଳିଙ୍ଗ ଷ୍ଟାଡିୟମ୍ ଏଚ୍ପିସି ସହିତ ପୁରୀ, ରାଉରକେଲା, ଜୟପୁରରେ ହେଉଥିବା ଜିମ୍ନାଷ୍ଟିକ୍ସ ସୁବିଧା ଭବିଷ୍ୟତ ପାଇଁ ଭଲ ହେବ। ଆମ ସମୟରେ ଏତିକି ଥିଲେ ହୁଏତ ବହୁ ଆଗକୁ ବଢ଼ିପାରିଥାନ୍ତୁ’’ ବୋଲି କହିଥିଲେ ଶୁଭେନ୍ଦ୍ର।