ଆଇପିଏଲ୍‌ ଚୂଡ଼ାନ୍ତ ନିଲାମରେ ଶୁଭ୍ରାଂଶୁ ଓ ଗୋବିନ୍ଦ

ଭୁବନେଶ୍ବର/କେନ୍ଦୁଝର : ଆସନ୍ତା ୧୮ ତାରିଖରେ ଚେନ୍ନାଇରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ପାଇଁ ଖେଳାଳି ନିଲାମ କରାଯିବ। ଏହି ନିଲାମ ପାଇଁ ଚୂଡାନ୍ତ ୨୯୨ ଜଣ ଖେଳାଳିଙ୍କ ତାଲିକାରେ ଓଡ଼ିଶାରୁ ୨ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ କେନ୍ଦୁଝର ଜିଲ୍ଲାର ଯୁବ କ୍ରିକେଟର ତଥା ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ଏବଂ ପୂର୍ବତନ ଅଧିନାୟକ ତଥା ରାଉରକେଲା ତାରକା ଗୋବିନ୍ଦ ପୋଦ୍ଦାର। ଉଭୟଙ୍କ ବେସ୍ ପ୍ରାଇସ ୨୦ ଲକ୍ଷ ଟଙ୍କା ଲେଖାଏଁ ରହିଛି।

ମୋଟ ୨୯୨ ମଧ୍ୟରେ ୧୬୨ ଜଣ ଭାରତୀୟ, ୧୨୫ ଜଣ ବିଦେଶୀ ଏବଂ ସହଯୋଗୀ ଦେଶର ୩ ଜଣ ଖେଳାଳି ରହିଛନ୍ତି। ଶୁଭ୍ରାଂଶୁ ଓ ଗୋବିନ୍ଦଙ୍କ ସାମିଲ ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସୀ ଖବର ଆଣିଛି।

ଶୁଭ୍ରାଂଶୁଙ୍କ ସାମିଲ ଖବର ପାଇବା ପରେ କେନ୍ଦୁଝର ଜିଲ୍ଲା କ୍ରିକେଟ୍‌ପ୍ରେମୀଙ୍କ ସହ କେନ୍ଦୁଝର ଜିଲ୍ଲା କ୍ରୀଡ଼ା ସଂସ୍ଥାର ସଂପାଦକ ଡ. ଜନାର୍ଦ୍ଦନ ଦାଶ ତାଙ୍କର ଉତ୍ତରୋତ୍ତୋର ଉନ୍ନତି କାମନା କରିଛନ୍ତି। ଶୁଭ୍ରାଂଶୁଙ୍କ ସଫଳତାର ରହସ୍ୟ ହେଉଛି ସେ ଜଣେ ଶୃଙ୍ଖଳିତ ଖେଳାଳି। ଛୋଟ ହେଉ ବା ବଡ଼ ସମସ୍ତଙ୍କଠାରୁ ଶିଖିବା ପାଇଁ ତାଙ୍କର ଆଗ୍ରହ ରହିଛି। ତେଣୁ ସେ ନିଶ୍ଚିତ ସଫଳତା ପାଇବେ ବୋଲି ଡ. ଦାଶ ଆଶା ପ୍ରକାଶ କରିଛନ୍ତି। ସେହିପରି ଛୋଟବେଳେ ଶୁଭ୍ରାଂଶୁଙ୍କୁ କ୍ରିକେଟ୍‌ ପ୍ରଶିକ୍ଷଣ ଦେଉଥିବା ଗିରୀଶ ଚନ୍ଦ୍ର ହୋତା କହିଛନ୍ତି, ଶୁଭ୍ରାଂଶୁଙ୍କ ଏକାଗ୍ରତା ବହୁତ ଭଲ ଥିଲା। ସେ କେବେ ବି ବ୍ୟସ୍ତ ହୁଅନ୍ତି ନାହିଁ। ଧୈର୍ଯ୍ୟର ସହ ସମସ୍ୟାକୁ ମୁକାବିଲା କରନ୍ତି। ପ୍ରବଳ ପରିଶ୍ରମ ମଧ୍ୟ କରନ୍ତି ବୋଲି ଶ୍ରୀ ହୋତା କହିଛନ୍ତି।

୨୫ ବର୍ଷୀୟ ଶୁଭ୍ରାଂଶୁଙ୍କ ବାପା ପ୍ରଦୀପ କୁମାର ସେନାପତି ଜଣେ ଶିକ୍ଷକ। ପୁଅର କ୍ରିକେଟ୍‌ ପ୍ରତି ଦୁର୍ବଳତା ଦେଖି ତାଙ୍କୁ ସହଯୋଗ କରିବା ସହ ସର୍ବଦା ଉତ୍ସାହିତ କରିଥା’ନ୍ତି। ସେ କେନ୍ଦୁଝର ସହରର ବିଭିନ୍ନ କ୍ଲବ୍‌ରେ ଖେଳିବା ସହ ଭୁବନେଶ୍ବରରେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ। ୧୬ ବର୍ଷ ଏବଂ ୧୯ ବର୍ଷରୁ କମ୍‌ ଓଡ଼ିଶା ଦଳରେ ସୁଯୋଗ ପାଇଥିଲେ। ଏହି ସୁଯୋଗକୁ ସେ ହାତଛଡ଼ା କରିନଥିଲେ। ଚମତ୍କାର ପ୍ରଦର୍ଶନ କରି ରଣଜୀ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୬-୧୭ରେ ସେ ରଣଜୀ ଦଳରେ ମଧ୍ୟ ସୁଯୋଗ ପାଇଥିଲେ। ୨୦୧୯-୨୦ରୁ ସେ ଓଡ଼ିଶା ଦଳର ଅଧିନାୟକ ଦାୟିତ୍ବ ତୁଲାଇ ଆସୁଛନ୍ତି। ସେ ୩୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌, ୨୨ ଦିନିକିଆ ଓ ୨୧ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଶୁଭ୍ରାଂଶୁ ପ୍ରଥମ ଶ୍ରେଣୀରେ ୫ ଶତକ ଏବଂ ୭ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଅନ୍ୟପକ୍ଷରେ ଗୋବିନ୍ଦ ପୋଦ୍ଦାର ୭୧ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲା ବେଳେ ୫୨ ଲି‌ଷ୍ଟ୍‌-ଏ ଓ ୪୦ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ପ୍ରଥମ ଶ୍ରେଣୀରେ ୭ ଶତକ ଓ ୧୬ ଅର୍ଦ୍ଧଶତକ ସହ ୩୪୨୩ ରନ୍‌ କରିଛନ୍ତି। ଲିଷ୍ଟ୍‌-ଏ‌’ରେ ୩ ଶତକ, ୧୨ ଅର୍ଦ୍ଧଶତକ ସହ ୧୬୮୦ ରନ୍‌ କରିଛନ୍ତି। ସେହିଭଳି ଟି-୨୦ରେ ୭ ଅର୍ଦ୍ଧଶତକ ସହ ୧୦୮୪ ରନ୍ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର