ମୁମ୍ବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଗତ ଜାନୁଆରି ମାସର ଶ୍ରେଷ୍ଠ କ୍ରିକେଟ ଖେଳାଳି ଘୋଷଣା କରାଯାଇଛି । ଉତ୍ତମ ପ୍ରଦର୍ଶନ ପାଇଁ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ଜାନୁଆରି ମାସର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଛି । ସେହିପରି ଇଂଲଣ୍ଡ ୧୯ ବର୍ଷରୁ କମ ମହିଳା ଦଳର ଅଧିନାୟକ ଗ୍ରେସ ସ୍ରିଭେନ୍ସଙ୍କୁ ଶ୍ରେଷ୍ଠ ମହିଳା ଖେଳାଳି ଘୋଷଣା କରାଯାଇଛି ।

Advertisment

ଶୁବମନ ଗିଲ୍ ଗତ ଜାନୁଆରି ମାସରେ ଅନୁଷ୍ଠିତ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସର୍ବାଧିକ ୫୬୭ ରନ ସଂଗ୍ରହ କରିଥିଲେ । ଏହା ମଧ୍ୟରେ ଥିଲା ୩ଟି ଶତକ ( ଦ୍ବିଶତକକୁ ମିଶାଇ) । ହାଇଦ୍ରାବାଦଠାରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସେ ଦ୍ବିଶତକ ହାସଲ କରିଥିଲେ । ମାତ୍ର ୧୪୯ଟି ବଲରେ ସେ ୨୦୮ ରନ ହାସଲ କରିଥିଲେ । ଏହି ଦ୍ବିଶତକ ସତ୍ତ୍ବେ ଏହି ମ୍ୟାଚରେ ଭାରତ ଏକ କଷ୍ଟକର ବିଜୟ ହାସଲ କରିଥିଲା । ଏହା ପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ୧୧୬ରନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ମ୍ୟାଚରେ ୧୧୨ ରନ କରିଥିଲେ ।

ଗିଲଙ୍କର ଏହା ପ୍ରଥମ ଆଇସିସି ସମ୍ମାନ । ନ୍ୟୁଜିଲାଣ୍ଡର ଦେବନ କନଓ୍ବେ ଓ ଭାରତର ମହମ୍ମଦ ସିରାଜଙ୍କୁ ଟପି ସେ ଏହି ସମ୍ମାନ ହାସଲ କରିଛନ୍ତି । ତେବେ ଏହି ସଫଳତା ସତ୍ତ୍ବେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କୁ ସାମିଲ କରାଯାଇ ନଥିଲା ।