ଶୁବମନ ଗିଲ୍‌ ମଧ୍ୟକ୍ରମକୁ ‌ଖସିବେ!

କାନପୁର: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ ପରେ ଏବେ ଟେଷ୍ଟ୍‌ ଶୃଙ୍ଖଳା ଉପରେ ନଜର ପକାଇଛି ଭାରତୀୟ ଦଳ। ତେବେ ବିରାଟ କୋହଲି, ରୋହିତ ଶର୍ମା, ଋଷଭ ପନ୍ତଙ୍କ ବିନା ଦଳର ବ୍ୟାଟିଂ କ୍ରମ କିଭଳି ରହିବ ଏବେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। କୋହଲି ଅବଶ୍ୟ ଦ୍ବିତୀୟ ଟେଷ୍ଟ୍‌ ବେଳକୁ ଦଳକୁ ଫେରିବେ। ଦଳୀୟ ପରିଚାଳକମାନେ ଏବେ ଯୁବ ପ୍ରାରମ୍ଭିକ ବ୍ୟାଟର୍‌ ଶୁବମନ ଗିଲଙ୍କୁ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ କହିଥିବା କଥା ଅଧିକ ଚର୍ଚ୍ଚା ଚାଲିଛି। ବଡ଼ ଖେଳାଳିମାନଙ୍କ ଅନୁପସ୍ଥିତିରେ ମଧ୍ୟକ୍ରମରେ ସେ ଦୃଢ଼ ମନୋଭାବ ସହ ଦ୍ରୁତ ବେଗରେ ବି ଖେଳିପାରିବେ ବୋଲି ସେମାନେ ବିଶ୍ବାସ କରୁଛନ୍ତି।

କାନପୁରରେ ଗୁରୁବାରଠାରୁ ପ୍ରଥମ ଟେଷ୍ଟ୍ ଖେଳାଯିବାକୁ ଥିବାବେଳେ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ନେତୃତ୍ବ ନେବେ। ରୋହିତ ଶର୍ମା ଏବଂ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତ ବେଳକୁ ସମ୍ପୂର୍ଣ୍ଣ ଉପଲବ୍‌ଧ ହେବେ। ଗିଲଙ୍କୁ ମଧ୍ୟକ୍ରମକୁ ଖସାଇବା ପ୍ରସଙ୍ଗରେ ଏକମତ ଅଛନ୍ତି ପୂର୍ବତନ ଚୟନକର୍ତା ଯତୀନ ପରଞ୍ଚପେ। ଅଷ୍ଟ୍ରେଲିଆ ଗସ୍ତରେ ଗିଲ୍‌ ପଦାର୍ପଣ କରିବା ପଛରେ ଯତୀନ ଅନ୍ୟତମ ଚୟନକର୍ତା ଥିଲେ। ‘ଏବେ ଗିଲଙ୍କୁ ମଧ୍ୟକ୍ରମକୁ ଆଣିବା ପ୍ରସ୍ତାବ କିଛି ଖରାପ ଚିନ୍ତାଧାରା ନୁହେଁ। ଦଳ ଚୟନକୁ ନେଇ ମୁଁ ସର୍ବଦା ଦୃଢ଼ ସମର୍ଥକ ଥାଏ। ଗିଲ୍‌ ମଧ୍ୟକ୍ରମରେ ଖେଳିଲେ ଯଦି ଦଳକୁ ଫାଇଦା ମିଳିବ ବୋଲି ମୁଁ ମଧ୍ୟ ବିଶ୍ବାସ କରୁଛି’ ବୋଲି ଯତୀନ ପ୍ରକାଶ କରିଥିଲେ। ଭାରତୀୟ ପରିବେଶରେ ଜଣେ ଓପନିଂ ବ୍ୟାଟ୍ସମ୍ୟାନକୁ ମଧ୍ୟକ୍ରମକୁ ଆଣିବାରେ ବିଶେଷ ଫରକ ପଡ଼ିବ ନାହିଁ। ଏସ୍‌ଜି ବଲ୍‌ ଏହାର ଚିକ୍କଣ ହରାଇବା ପରେ ଗିଲ୍‌ ଭଲ ଖେଳିପାରିବେ। ଏପରିକି ପୂର୍ବରୁ ସେ ନୂଆ ବଲ୍‌ରେ ଖେଳିବାରେ ଅଭିଜ୍ଞ ଥିବାରୁ ଦ୍ବିତୀୟ ନୂଆ ବଲ୍ ବେଳକୁ ବି ଭଲ ‌‌ଖେଳିପାରିବେ। ଅତୀତରେ କେଏଲ୍ ରାହୁଲ୍‌ ପାଳି ଆରମ୍ଭ କରିବା ସହ ମଧ୍ୟକ୍ରମରେ ଖେଳି ଭଲ କରିଥିଲେ। ଗିଲ୍‌ ଏହ‌ାକୁ ଦୋହରାଇ ପାରିବେ ବୋଲି ଯତୀନ କହିଥିଲେ। ଚେତନ ଶର୍ମାଙ୍କ ନେତୃତ୍ବାଧୀନ ବର୍ତମାନର ବିସିସିଆଇ ଚୟନସମିତି ବିରାଟ କୋହଲିଙ୍କ ସହ ଅନ୍ୟ ଜଣେ ମାତ୍ର ଖେଳାଳି ଆବଶ୍ୟକ କରୁଛି ଯିଏ ପ୍ରତିପକ୍ଷଙ୍କୁ ଆକ୍ରମଣ କରି ଖେଳିପାରିବେ।

ଏମାନେ ହନୁମା ବିହାରୀଙ୍କୁ ସାମିଲ କଲେ ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେଙ୍କୁ ମିଶାଇ ଏହି ୩ ଜଣ ସମାନ ମନୋଭାବରେ ଖେଳିବେ। ପନ୍ତଙ୍କ ବଦଳରେ ଥିବା ଋଦ୍ଧିମାନ ସାହା କିନ୍ତୁ ସେଭଳି ମୁକ୍ତରେ ଖେଳିପାରୁନଥିବାରୁ ଦଳୀୟ ପରିଚାଳକ ଚିନ୍ତାରେ ରହିଛନ୍ତି। କିନ୍ତୁ ଭବିଷ୍ୟତକୁ ନଜରରେ ରଖିରେ ପୂଜାରା ଓ ରାହାଣେ ଯଦି ଦଳଠାରୁ ଦୂରେଇ ଗଲେ ବିହାରୀ, ଶୁବମନ, ଶ୍ରେୟସ ଆୟର ନିଶ୍ଚିତ ମଧ୍ୟକ୍ରମ ସମ୍ଭାଳିବେ। ଏବେ ଆୟର ସୁଯୋଗ ନପାଇଲେ ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ କାହିଁକି ନା ତାଙ୍କ ସମୟ ନିଶ୍ଚିତ ଆସିବ ବୋଲି ପରଞ୍ଚପେ କହିଥିଲେ। ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ମୟଙ୍କ ଅଗ୍ରୱାଲ୍ ଏବଂ କେଏଲ୍ ରାହୁଲ ପାଳି ଆରମ୍ଭ କରିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଭାରତ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବା ପରେ ଦକ୍ଷିଣ ଆଫ୍ରିକା ଗସ୍ତ କରି ଡିସେମ୍ବର ୧୭ରୁ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା‌ ଖେଳିବ। ଏହି ଗସ୍ତରେ ଭାରତ ମଧ୍ୟ ୩ ଦିନିକିଆ ଓ ୪ ଟ୍ବେଣ୍ଟି-୨୦ ଖେଳିବ।

ସମ୍ବନ୍ଧିତ ଖବର