ବେଙ୍ଗଲ କନିଷ୍ଠ କ୍ରିକେଟରଙ୍କ ପାଇଁ ଶୁକ୍ଲାଙ୍କ କଡ଼ା ଆଭିମୁଖ୍ୟ, ଲମ୍ବା ଚୁଟି ରଖିପାରିବେନି, ସାମାଜିକ ଗଣମାଧ୍ୟମଠୁ ଦୂରରେ ରହିବେ

କୋଲକାତା, ୨୬ା୭: ବେଙ୍ଗଲର ପୂର୍ବତନ ଅଧିନାୟକ ତଥା କ୍ରୀଡ଼ା ମନ୍ତ୍ରୀ ଲକ୍ଷ୍ମୀ ରତନ ଶୁକ୍ଲା ରାଜ୍ୟ ୨୩ ବର୍ଷରୁ କମ୍‌ ଦଳର ପ୍ରଶିକ୍ଷକ ଭାବେ ନୂଆ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ନେବାର ପ୍ରଥମ ଦିନରେ ତାଙ୍କ କଡ଼ା ଆଭିମୁଖ୍ୟ ଏବେ ସମସ୍ତଙ୍କୁ ଚକିତ କରିଛି। ସୋମବାର ସେ ଦଳର ଶାରୀରିକ ଅଭ୍ୟାସ ଶିବିରରେ ଯୋଗଦେଇଥିଲା ବେଳେ ଖେଳାଳିମାନେ ସାମାଜିକ ଗଣମାଧ୍ୟମଠୁ ଦୂରେଇ ରହିବା ଓ ଲମ୍ବା ଚୁଟି କାଟିବାକୁ ସେ କଡ଼ାକଡି ଭାବେ ନିର୍ଦ୍ଦେଶ ଦେଇଛନ୍ତି।

କ୍ରିକେଟରୁ ରାଜନେତା ପାଲଟିଥିବା ଶୁକ୍ଲା ୨୦୧୬ରେ ତୃଣମୂଳ କ˚ଗ୍ରେସରେ ଯୋଗଦେଇଥିଲେ। ଦଳକୁ ଆସିବା ପରେ ତାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ଚଳିତ ବର୍ଷ ଜାନୁଆରି ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ସୁଯୋଗ ମିଳିଥିଲା। ପରେ ଦଳର ହାଵଡ଼ା ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିବା ପରେ କିଛି ମାସ ତଳେ ଏହି ପଦରୁ ଇସ୍ତଫା ଦେଇ ରାଜନୀତିଠୁ ଦୂରେଇ ଯାଇଥିଲେ। ସେ କ୍ରିକେଟରେ ଅଧିକ ଧ୍ୟାନ ଦେବାକୁ ମନସ୍ଥ କରିବାରୁ ବେଙ୍ଗଲ ୨୩ ବର୍ଷରୁ କମ୍‌ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ।

ଶୁକ୍ଲା ତାଙ୍କ ଆଭିମୁଖ୍ୟ ବାବଦରେ କହିଛନ୍ତି ଯେ ଖେଳାଳିମାନଙ୍କୁ ଶୃଙ୍ଖଳିତ ହେବାକୁ ସେମାନଙ୍କୁ ସାମାଜିକ ଗଣମାଧ୍ୟମରେ କିଛିବି ପୋଷ୍ଟ ନକରିବାକୁ କୁହାଯାଇଛି। ଏଥିସହିତ ଯେଉଁମାନଙ୍କର ଲମ୍ବା ଚୁଟି ରହିଛି ସେମାନେ ତୁରନ୍ତ ସେଲୁନ୍‌ ଯାଇ ଏହାକୁ କାଟିଆସିବେ ଏବ˚ ଖେଳାଳିଙ୍କ ମଧ୍ୟରେ ଉତ୍ତମ ବୁଝାମଣା ପାଇଁ ସମସ୍ତଙ୍କୁ ବଙ୍ଗାଳି ଭାଷା ଶିଖିବାକୁ ହେବ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ବେଙ୍ଗଲ କ୍ରିକେଟ ସ˚ଘ (ସିଏବି) ଜିଲ୍ଲା ଓ କ୍ଲବ ସ୍ତରୀୟ ଖେଳକୁ ଅଧିକ ପ୍ରୋତ୍ସାହନ ଦେଉଛି। ଯାହାଫଳରେ ଅନେକ ପ୍ରତିଭାବାନ ବାଳକ ଓ ବାଳିକା ଖେଳାଳି ବାହାରିପାରୁଛନ୍ତି। କନିଷ୍ଠ ସ୍ତରରୁ ବରିଷ୍ଠ ସ୍ତରକୁ ଯିବାକୁ ହେଲେ ସେମାନଙ୍କୁ ଶୃଙ୍ଖଳିତ ହେବା ସହ ଅନେକ କିଛି ଶିଖିବାକୁ ପଡ଼ିବ। ତେଣୁ ସେ ନିଜେ କନିଷ୍ଠ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବାକୁ ବାଛିଥିବା ପ୍ରକାଶ କରିଛନ୍ତି। ତେବେ ଜଣେ ପ୍ରଶିକ୍ଷକ ଭାବେ ନୁହେଁ ବର˚ ଜଣେ ମାର୍ଗଦର୍ଶକ ଭାବେ ଖେଳାଳିମାନଙ୍କୁ ସହାୟତା କରିବାକୁ ସେ ଚାହାଁନ୍ତି। ଯାହାଦ୍ବାରା ବେଙ୍ଗଲରୁ ଅଧିକ ପିଲା ଭାରତକୁ ପ୍ରତିନିଧିତ୍ବ କରିବା ପାଇଁ ବାହାରିପାରିବେ ବୋଲି ସେ ଆଗ୍ରହ ରଖିଛନ୍ତି।

ସମ୍ବନ୍ଧିତ ଖବର