ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ମଣ୍ଡଳରେ ଆଉ ଏକ ବିଶ୍ବସ୍ତରୀୟ ଭିତ୍ତିଭୂମି ଯୋଡ଼ି ହେବାକୁ ଯାଉଛି। ଗତ ୪ ବର୍ଷ ହେବ କଳିଙ୍ଗ ଷ୍ଟାଡିୟମ୍ର ଦକ୍ଷିଣ ପାର୍ଶ୍ବରେ ନିର୍ମାଣ ହେଉଥିବା ଅନ୍ତର୍ଜାତୀୟ ମାନର ତଥା ନିଆରା ଡିଜାଇନ୍ ବିଶିଷ୍ଟ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ୍ ଏଚ୍ପିସି ଖୁବ୍ଶୀଘ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହେବାକୁ ଯାଉଛି। ଉଦ୍ଘାଟନ ପରେ ଏହା କେବଳ ଭାରତ ନୁହେଁ ସମଗ୍ର ଏସିଆ ମହାଦେଶର ବ୍ୟାଡମିଣ୍ଟନ୍ ମାନଚିତ୍ରରେ ଓଡ଼ିଶାକୁ ସ୍ବତନ୍ତ୍ର ସ୍ଥାନ ପ୍ରଦାନ କରିବ। ଏଠାରେ ଜାତୀୟ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷକ ତଥା ପୂର୍ବତନ ଅଲଇଂଲଣ୍ଡ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ବିଜେତା ପୁଲେଲା ଗୋପୀଚାନ୍ଦ ଦେଶର ବଛାବଛା ପ୍ରତିଭାବାନ ଖେଳାଳିଙ୍କୁ ଉତ୍ସର୍ଗୀକୃତ ପ୍ରଶିକ୍ଷଣ ଦେବେ।
ରାଜ୍ୟର ଉଦୀୟମାନ ଖେଳାଳିମାନେ ମଧ୍ୟ ଫାଇଦାରେ ରହିବେ। ଶନିବାର କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କ ସହ ନିଜେ ଗୋପୀଚାନ୍ଦ କଳିଙ୍ଗ ଷ୍ଟାଡିୟମ୍ ଯାଇ ଏହି ବିଶ୍ବସ୍ତରୀୟ କଂପ୍ଲେକ୍ସରେ ଦିଆଯାଉଥିବା ଶେଷ ସ୍ପର୍ଶକୁ ବୁଲି ଦେଖିଥିଲେ। ନିଜର ବହୁମୂଲ୍ୟ ପରାମର୍ଶ ମଧ୍ୟ ଦେଇଥିଲେ। ଏହି ଅବସରରେ କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି କଂପ୍ଲେକ୍ସ ନିର୍ମାଣର ବିଭିନ୍ନ ଦିଗକୁ ସମୀକ୍ଷା କରିବା ସହ ଆସନ୍ତା କିଛି ଦିନ ମଧ୍ୟ ନିର୍ମାଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ କାର୍ଯ୍ୟାଦେଶ ପାଇଥିବା ଠିକା ସଂସ୍ଥାକୁ ଶ୍ରୀ ଶର୍ମା ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। କ୍ରୀଡ଼ା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବ୍ୟାଡ୍ମିଣ୍ଟନ୍ କଂପ୍ଲେକ୍ସକୁ ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ମୋଦୀ ଆସନ୍ତା ୧୭ ତାରିଖରେ ତାଙ୍କ ଜନ୍ମଦିନରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା ବେଳେ ସେହି ସମୟରେ ଏହି ଶୁଭକାର୍ଯ୍ୟ ସମାପନ ହେବ। ତେବେ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା କିଛି ଦିନ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁଜ ସଙ୍କେତ ଦେବା ପରେ ନିଆଯିବ।
ସଟଲ୍ ଭିତରେ ସଟଲ୍
କଳିଙ୍ଗ ଷ୍ଟାଡିୟମ୍ରେ ନିର୍ମାଣ ହୋଇଥିବା ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ୍ ଏଚ୍ପିସି ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର। ଡ୍ରଇଂ ଟେବୁଲ୍ରୁ ବାହାରି ବାସ୍ତବ ରୂପ ନେବା ଭିତରେ ଏହା ଅନେକ କୀର୍ତ୍ତିମାନର ଅଧିକାରୀ ହୋଇଛି। ଦେଶରେ ପ୍ରଥମ ଥର ପାଇଁ କୌଣସି ବ୍ୟାଡମିଣ୍ଟନ୍ ହଲ୍ ସଟଲକକ୍ ଆକାରରେ ନିର୍ମାଣ ହୋଇଛି। ବିଲ୍ଡିଂର ମୂଳଦୁଆ ଏବଂ ଉପର ଭାଗକୁ ଦେଖିଲେ ଏହା ଏକ ଉଡ଼ନ୍ତା କକ୍ ଭଳି ଦେଖାଯାଉଛି। ଏଥିଲାଗି ସ୍ବତନ୍ତ୍ର ଲାଇଟ୍ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଏଠାରେ ସଟଲ୍ ଭିତରେ ସଟଲ୍ ବା ବ୍ୟାଡମିଣ୍ଟନ୍ ଖେଳ ହେବ ବୋଲି ଚର୍ଚ୍ଚା ହେଉଛି। ନିଆରା ଲାଇଟ୍ ବ୍ୟବସ୍ଥା ପାଇଁ ଦିନ ଅପେକ୍ଷା ରାତିରେ ଏହା ଅଧିକ ମନଲୋଭା ହେବ ବୋଲି ଠିକା ସଂସ୍ଥାର ଜଣେ କର୍ମଚାରୀ ଦାବି କରିଛନ୍ତି।
ପ୍ରାୟ ୪ ଏକର ଜମିରେ ନିର୍ମିତ ଏହି ହଲ୍ ନିର୍ମାଣ ଲାଗି ପାଖାପାଖି ୫୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଡାଲମିଆ ଭାରତ କଂପାନି ମୁଖ୍ୟ ପ୍ରାୟୋଜକ ଥିଲା ବେଳେ ଓଡ଼ିଶା ସରକାର ଜମି ସହ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି। ହଲ୍ଟି ହେଉଛି ୧୧ ମହଲା ବିଶିଷ୍ଟ। ପୁଣି ଖେଳାଳିଙ୍କ ରହିବା, ଅଭ୍ୟାସ, ବ୍ୟାୟାମ କରିବା ଲାଗି ସୁବିଧା ସୁଯୋଗ ଅଛି। ଏପରିକି ସନ୍ତରଣ କରିବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। ସେହିଭଳି ଦୁଇ ଥାକରେ ୫୦୦ ଦର୍ଶକ ବସିବାର ବ୍ୟବସ୍ଥା ଥିଲା ବେଳେ ୮ରୁ ଅଧିକ କୋର୍ଟ ଅଛି। ହଲ୍ର ଭିତରେ ଓ ବାହାରେ ଗୋପୀଚାନ୍ଦଙ୍କ ପସନ୍ଦର ରଙ୍ଗ ଦିଆଯାଇଥିବା ସଂପୃକ୍ତ କର୍ମଚାରୀ ଜଣକ ସୂଚନା ଦେଇଛନ୍ତି।