ଭୁବନେଶ୍ବର: ‘‘କଳିଙ୍ଗ ଷ୍ଟାଡିୟମ୍ର ଛାତି ଉପରେ ଗର୍ବରେ ଠିଆ ହୋଇଥିବା ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ୍ ଉଚ୍ଚଗୁଣବତ୍ତା କେନ୍ଦ୍ର (ଏଚ୍ପିସି) କେବଳ ଏକ କୋଠା କିମ୍ବା ଭାରତୀୟ ସ୍ଥାପତ୍ୟର ଉକୃଷ୍ଟ ଉଦାହରଣ ନୁହେଁ। ‘ସଟଲ୍’ ହେଉଛି ବିଶ୍ବ ବ୍ୟାଡ୍ମିଣ୍ଟନ୍ ଆକାଶରେ ସଫଳ ଉଡ଼ାଣ ଲାଗି ଶକ୍ତିଶାଳୀ ଡେଣା। ଏକ ଉଜ୍ଜ୍ବଳ ଭବିଷ୍ୟତ ଲାଗି ଦୃଢ଼ ସଂକଳ୍ପ। ଯୁଗାନ୍ତକାରୀ ସୁଯୋଗ। ଏହିଠାରୁ ହିଁ ସୃଷ୍ଟି ହେବେ ବିଶ୍ବବିଜେତା। ୨୦୩୬ରେ ବ୍ୟାଡ୍ମିଣ୍ଟନ୍ରୁ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାର ସ୍ବପ୍ନକୁ ସାକାର କରିବାରେ ଏହି ବିଶ୍ବସ୍ତରୀୟ ଭିତ୍ତିଭୂମି ନେବ ବଳିଷ୍ଠ ଭୂମିକା। କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ବର୍ଷ ପାଇଁ ଏହା ପାଲଟିବ କ୍ରୀଡ଼ାବିତ୍ ସୃଷ୍ଟିର କୁଶଳୀ କାରଖାନା। ବ୍ୟାଡ୍ମିଣ୍ଟନ୍ ଜଗତର ବିଶ୍ବ ମଞ୍ଚରେ ଓଡ଼ିଶା ଏହି ଏଚ୍ପିସି ଜରିଆରେ ଆହୁରି ପରିଚିତ ହେବ’’ କଳିଙ୍ଗ ଷ୍ଟାଡିୟମ୍ର ଆକ୍ବାଟିକ୍ ସେଣ୍ଟର୍ ନିକଟରେ ଡାଲମିଆ ଭାରତ, ଗୋପୀଚାନ୍ଦ ଏକାଡେମି ଓ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସରେ ନିର୍ମିତ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡ୍ମିଣ୍ଟନ୍ ଉଚ୍ଚଗୁଣବତ୍ତା କେନ୍ଦ୍ରର ଉଦ୍ଘାଟନୀ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ‘ସଟଲ୍’ ନାମରେ ନାମିତ ଏହି ୭୭ହଜାର ବର୍ଗଫୁଟ ପରିମିତ, ୭ ମହଲା, ୩୬ଜଣ ଖେଳାଳି ରହିବା ସୁବିଧା ଓ ୮ କୋର୍ଟ ବିଶିଷ୍ଟ ନିଆରା ଅତ୍ୟାଧୁନିକ ଆବାସିକ ବ୍ୟାଡ୍ମିଣ୍ଟନ୍ ଷ୍ଟାଡିୟମ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ବ୍ୟାଡିମଣ୍ଟନ୍ ସଂଘର ସଭାପତି ହିମନ୍ତ ବିଶ୍ବଶର୍ମା ମିଳିତ ଭାବେ ଉଦ୍ଘାଟନ କରିଛନ୍ତି। ତା’ ସହିତ ଓଡ଼ିଶାରେ ସ୍ଥାପିତ ହୋଇଥିବା ବିଭିନ୍ନ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ସମ୍ମାନିତ ଅତିଥି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ବଶର୍ମା ନିଜ ଅଭିଭାଷଣରେ ଭାରତୀୟ କ୍ରୀଡ଼ା ପାଇଁ ଓଡ଼ିଶା ଦେଇ ଆସୁଥିବା ସହଯୋଗ ଓ ସମର୍ଥନକୁ ଉଚ୍ଚ ପ୍ରଶଂସା କରିଥିଲେ। ବ୍ୟାଡମିଣ୍ଟନ୍ ପାଇଁ ଏହା ଏକ ମାଇଲ୍ଖୁଣ୍ଟ ବୋଲି କହିଥିଲେ। ହକି ଭଳି ବ୍ୟାଡ୍ମିଣ୍ଟନ୍ର ପୃଷ୍ଠପୋଷକ ହେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ବି କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମଧ୍ୟ ‘ସଟଲ୍’ରୁ ପରିଚାଳିତ ହେବାକୁ ଯାଉଥିବା ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ୍ ଉଚ୍ଚ ଗୁଣବତ୍ତା କେନ୍ଦ୍ର ପ୍ରଶିକ୍ଷାର୍ଥୀମାନଙ୍କୁ ସମସ୍ତ ପ୍ରକାର ସମର୍ଥନ ଓ ସହଯୋଗ ଓଡ଼ିଶା ସରକାର ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଉତ୍ସବର ଅନ୍ୟତମ ଅତିଥି ତଥା ବ୍ୟାଡ୍ମିଣ୍ଟନ୍ କିବଂଦନ୍ତି ପୁଲେଲା ଗୋପୀଚାନ୍ଦ କହିଛନ୍ତି, ଏକଦା ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଦଳ ପଠାଇ ପାରୁ ନଥିଲା। ଏବେ ଆମ ଦେଶରେ ଅନେକ ବିଶ୍ବସ୍ତରୀୟ ବ୍ୟାଡମିଣ୍ଟନ୍ ତାରକା ଅଛନ୍ତି। ଏହି ଗୌରବମୟ ଯାତ୍ରାରେ ଓଡ଼ିଶା ସରକାର, ଡାଲମିଆ ଭାରତ ଓ ଶ୍ରୀ ବିଶ୍ବଶର୍ମାଙ୍କର ବଳିଷ୍ଠ ଭୂମିକା ରହିଛି। ଏଭଳି ଏକ ଭିତ୍ତିଭୂମି ନିର୍ମାଣ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଏଚ୍ପିସି ଭାରତୀୟ ବ୍ୟାଡ୍ମିଣ୍ଟନ୍ର ବର୍ଦ୍ଧିତ ସଫଳତା ଏବଂ ଆଶା ଆକାଂକ୍ଷାର ବଳିଷ୍ଠ ପ୍ରତୀକଠାରୁ କିଛି କମ୍ ନୁହେଁ। ଏଚ୍ପିସିକୁ ଏକ ଛୋଟ ଛୁଆ କହି ଏହାକୁ ଯୁବକରେ ରୂପାନ୍ତର କରିବା ଲାଗି ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ସେ।
ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ଏହି ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଡାଲମିଆ ଭାରତର ପରିଚାଳନା ନିର୍ଦ୍ଦେଶକ ପୁନିତ ଡାଲମିଆ, ତାଙ୍କ ବଡ଼ ଭାଇ ଗୌତମ ଡାଲମିଆ, ଓଡ଼ିଶା ବ୍ୟାଡମିଣ୍ଟନ୍ ସଂଘର ସଭାପତି ରାଜେଶ ପ୍ରଭାକର ପାଟିଲ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହ, ବ୍ୟାଡ୍ମିଣ୍ଟନ୍ କିବଂଦନ୍ତି ପୁଲେଲା ଗୋପୀଚାନ୍ଦ, ଅଲିମ୍ପିଆନ୍ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ, ଚିରାଗ ସେଟ୍ଟୀଙ୍କ ସମେତ ଓଡ଼ିଶା ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ଏବଂ ଡାଲମିଆ ଭାରତ ଓ ଓଡ଼ିଶା ତଥା ଭାରତୀୟ ବ୍ୟାଡ୍ମିଣ୍ଟନ୍ର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। କ୍ରୀଡ଼ା ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।
ଆରମ୍ଭ ହେବ ସିଏମ୍ ଟ୍ରଫି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍ଶୀଘ୍ର ଫୁଟବଲ୍, ବ୍ୟାଡ୍ମିଣ୍ଟନ୍ ଓ ଆଥଲେଟିକ୍ସରେ ‘ସିଏମ୍ ଟ୍ରଫି’ ନାମକ ଏକ ନୂଆ ପ୍ରତିଯୋଗିତା ଓଡ଼ିଶା ସରକାର ଆରମ୍ଭ କରିବେ ବୋଲି ସେ କହିଛନ୍ତି। ନିଜ ପ୍ରତିଭାର ପରିପ୍ରକାଶ ପାଇଁ ଏହା ଓଡ଼ିଆ ଖେଳାଳିଙ୍କ ପାଇଁ ଏକ ବଳିଷ୍ଠ ମଞ୍ଚ ହେବ। ପ୍ରତିଯୋଗିତା ଆକାର, ରୂପରେଖ ଓ ସମୟ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ସେହିଭଳି ଜିଲ୍ଲାସ୍ତରରେ ଷ୍ଟାଡିୟମ ଓ କ୍ରୀଡ଼ା ଛାତ୍ରବାସ ନିର୍ମାଣ, ପ୍ରତିଯୋଗିତା ଆୟୋଜନ ଓ ପ୍ରତିଭା ଚିହ୍ନଟକୁ ସରକାର ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି। ‘ଖେଳରତ୍ନ ଖୋଜା ଅଭିଯାନ’ ବିଷୟରେ କହି ପିଲାଙ୍କ ପ୍ରତିଭାକୁ ଚିହ୍ନଟରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଆଶା ପୋଷଣ କରିଥିଲେ ସେ। ଓଡ଼ିଶାକୁ କ୍ରୀଡ଼ା ମହାଶକ୍ତି ଭାବେ ଗଢ଼ି ତୋଳିବା ଲାଗି ସରକାର ସବୁପ୍ରକାର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
ନୂଆ ସ୍ପୋର୍ଟସ୍ କଂପ୍ଲେକ୍ସ ପାଇଁ ୧,୦୦୦ କୋଟି
ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଆମ ସରକାର ୧୨୦ ଏକର ଅଞ୍ଚଳରେ ଆଉ ଏକ ବହୁମୁଖୀ କ୍ରୀଡ଼ା କଂପ୍ଲେକ୍ସ ନିର୍ମାଣ କରିବାକୁ ଯୋଜନା କରିଛି। ସେଠାକାର ସୁବିଧା ସୁଯୋଗ ମଧ୍ୟ ବିଶ୍ବସ୍ତରୀୟ ହେବ। ପ୍ରାୟ ସବୁ ପ୍ରକାର ଖେଳ ଲାଗି ଭିତ୍ତିଭୂମି ଓ ପ୍ରଶିକ୍ଷଣର ବ୍ୟବସ୍ଥା ରହିବ। ଏଥିଲାଗି ବଜେଟରେ ୧,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ୨୦୩୬ ମସିହାରେ ଭାରତରେ ଅଲିମ୍ପିକ୍ସ ଆୟୋଜନର ସମ୍ଭାବନା ଥିବାରୁ ଏହି ନୂଆ କଂପ୍ଲେକ୍ସ ମଧ୍ୟ ଓଡ଼ିଶା ଓ ଭାରତର କ୍ରୀଡ଼ାବିତ୍ଙ୍କ ପାଇଁ ଆଉ ଏକ ବଡ଼ ଭିତ୍ତିଭୂମି ହେବ। ଓଡ଼ିଶାରୁ ବହୁ ଅଲିମ୍ପିଆନ୍ ସୃଷ୍ଟି ହେବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି।